ମହାନଦୀର ଶୁଖିଲା ଶଯ୍ୟାରୁ ୧୬ରୁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିବେ ମହାନଦୀ ବଚାଓ ଅଭିଯାନ

ଝାରସୁଗୁଡ଼ା/ବ୍ରଜରାଜନଗର : ଶୁଖିଲା ପଡ଼ିଛି ମହାନଦୀ ଶଯ୍ୟା। ଯେଉଁ ମହାନଦୀରେ ଅତାଳତାଳ ପାଣି ରହୁଥିଲା ଏବେ ତାହା ପଡ଼ିଆ ପଡ଼ିଛି। ଏହା ଉପରେ ପ୍ରଚଣ୍ଡ ତାତି ଯୋଗୁଁ ବାଲିରୁ ବାହାରୁଛି ନିଆଁର ଧାସ। ନଦୀ ଅବବାହିକାରେ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ।

ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର କଣ୍ଢେଇକେଲା ପଞ୍ଚାୟତର ସୁଖାସୋଡ଼ା ଗ୍ରାମ ନିକଟରେ ଓଡ଼ିଶାକୁ ପ୍ରବେଶ କରିଛି ମହାନଦୀ। ଛତିଶଗଡ଼ରୁ ବୋହି ଆସି ଓଡ଼ିଶାର ଏହି ସୁଖାସୋଡ଼ାରେ ମହାନଦୀ ପ୍ରବେଶ କରିଥିବାରୁ ଏହି ଠାରୁ ବିଜେଡ଼ି ମହାନଦୀ ବଚାଓ ଆନ୍ଦୋଳନର ଦ୍ୱିତୀୟ ପଯ୍ୟୟ ଆନ୍ଦୋଳନ କରିବ ବୋଲି ଘୋଷଣା କରିଥିଲା। ଏଥି ପାଇଁ ଆସନ୍ତା ୧୬ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଖସୋଡ଼ା ଆସି ମହାନଦୀ ବଚାଓ ଆନ୍ଦୋଳନର ଶୁଭାରମ୍ଭ କରିବେ। ମୁଖ୍ୟମନ୍ତ୍ରୀଙ୍କ ଏହି କାଯ୍ୟର୍କ୍ରମକୁ ସଫଳ କରିବା ପାଇଁ ଝାରସୁଗୁଡ଼ାରୁ ଭୁବନେଶ୍ୱର ପଯ୍ୟର୍ନ୍ତ ବିଜେଡି ଶିବିର ଚଳଚଞ୍ଚଳ ହୋଇ ଉଠିଛି। ବିଜେଡିର ବରିଷ୍ଠ ନେତା ମାନେ ଆସି ଏଠାରେ ଡ଼େରା ପକାଇ ରହିଛନ୍ତି। ଏହି ଦିନ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ଓ ବରଗଡ଼ ଦୁଇଟି ଜିଲ୍ଲାରେ ସାଧାରଣ ସଭା କରି ଛତିଶଗଡ଼ ବିଜେପି ସରକାରଙ୍କ ବିରୋଧରେ ଯୁଦ୍ଧ ଡାକରା ଦେବେ। ତେଣୁ ଆଜି ରାଜ୍ୟସଭା ବିଜେଡି ସଂସଦୀୟ ଦଳନେତା ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ସଂଜୟ ଦାଶ ବର୍ମା, ପ୍ରଣବ ପ୍ରକାଶ ଦାସ, ବିଜୁଛାତ୍ର ଜନତା ଦଳର ରାଜ୍ୟ ସଭାପତି ରାଣା ପ୍ରତାପ ପାତ୍ର, ଯୁବ ବିଜେଡି ରାଜ୍ୟ ସଭାପତି ଅମରେଶ ପତ୍ରୀ ମୁଖ୍ୟମନ୍ତ୍ରୀ କେଉଁ ସ୍ଥାନରେ ସଭା କରିବେ ତାହା ଅନୁଧ୍ୟାନ କରିଥିଲେ। ଓଡ଼ିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଅନୁପ ସାଏ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି, ଝାରସୁଗୁଡ଼ା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ରବି ପାଣି ପ୍ରମୁଖ ଉପରୋକ୍ତ ନେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ କିଭଳି ବ୍ୟବସ୍ଥା କରାଯାଇଛି ସେ ନେଇ ଅବଗତ କରିଥିଲେ। ତେବେ ପୂର୍ବରୁ ସୁଖାସୋଡ଼ା ସ୍କୁଲ ପଡ଼ିଆରେ ମୁଖ୍ୟମନ୍ତ୍ରୀ ସଭା କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଆଜି ଶୁଖିଲା ନଦୀ ଶଯ୍ୟାରେ ସଭା କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ମହାନଦୀ ପ୍ରସଙ୍ଗରେ ବିଜେଡି କୌଣସି ସାଲିସ କରିବ ନାହିଁ, ମହାନଦୀ ହେଉଛି ଓଡ଼ିଶାର ଜୀବନରେଖା ମହାନଦୀର ପାଣି ସହିତ ରାଜ୍ୟର ୪ କୋଟି ଲୋକଙ୍କ ଭାବାବେଗ ଜଡ଼ିତ ରହିଛି। ତେଣୁ ମହାନଦୀ ବଞ୍ଚାଇବା ପାଇଁ ଦଳ ଶେଷ ନିଃଶ୍ୱାସ ଯାଏ ଏ ଲଢ଼େଇ କରିବ ବୋଲି ଉପରୋକ୍ତ ନେତା ମାନେ ତାଙ୍କ ବକ୍ତବ୍ୟରେ କହିଥିଲେ। ଏହି ସଭାରେ ଯୁବ ବିଜେଡି,ଛାତ୍ର ବିଜେଡିର କର୍ମକର୍ତ୍ତା ମାନଙ୍କୁ ଅଧିକ ସକ୍ରିୟ କରାଯାଇଛି। ଏହି ନେତା ମାନେ ଆଜି ସୁଖାସୋଡ଼ା ସଭାସ୍ଥଳ ଚୟନ ପରେ ମହୁଲପାଲି ନିର୍ମାଣାଧୀନ ନଦୀଘାଟ ପରିଦର୍ଶନ କରି ଡଙ୍ଗାରେ ଆରପଟେ ଅମ୍ବାଭୋନା ନିକଟରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳ ପରିଦର୍ଶନରେ ଯାଇଥିଲେ।

ସମ୍ବନ୍ଧିତ ଖବର