କଟକରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ବୈଠକ : ସବୁ ନେତା ଏକାଠି ହେବାକୁ ବିଜୟ ମହାପାତ୍ରଙ୍କ ଆହ୍ଵାନ
ଛତିଶଗଡ଼ ସରକାରକୁ ଦିଲ୍ଲୀପ ରାୟଙ୍କ ସମାଲୋଚନା
କଟକ :ମହାନଦୀ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ଦୁଇ ମାସ ତଳେ ଟି୍ରବ୍ୟୁନାଲ ଗଠନ କରିଛନ୍ତି। ହେଲେ ଆଜି ଯାଏ ତାହା କାର୍ଯ୍ୟକ୍ଷମ ହୋଇନାହିଁ। ଟ୍ରିବ୍ୟୁନାଲକୁ କାର୍ଯ୍ୟକ୍ଷମ ନ କରାଇ ଦେବା ପଛରେ ବଡ଼ ଧରଣର ଷଡ଼ଯନ୍ତ୍ର ରହିଛି। ଅନ୍ୟପଟେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ମହାନଦୀ ପ୍ରସଙ୍ଗରେ ଦେଉଥିବା ମନ୍ତବ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର। କଟକ ମହାନଦୀବିହାର ହାରାମଣି ମଣ୍ଡପରେ ଆୟୋଜିତ ମହାନଦୀ ବଞ୍ଚାୟ ଆନ୍ଦୋଳନର ପ୍ରସ୍ତୁତି ବୈଠକରେ ଯୋଗ ଦେଇ ଶ୍ରୀ ମହାପାତ୍ର କହିଛନ୍ତି ଯେ ଯଦି ରମଣଙ୍କ କଥା ଅନୁଯାୟୀ ଓଡ଼ିଶାର ସମୁଦ୍ର ଉପକୂଳରେ ନଦୀବନ୍ଧ ନିର୍ମାଣ କରାଯାଏ ତାହାହେଲେ ଉପକୂଳ ଓଡିଶା ଲୁଣି ପାଣିରେ ଡୁବିଯିବ। ରାଜ୍ୟ ସରକାର ବି ଏ ପ୍ରସଙ୍ଗରେ ଲୋକଙ୍କୁ ଭୂଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି। କେନ୍ଦ୍ର ସରକାର ଦୁଇ ମାସ ତଳେ ଟ୍ରିବ୍ୟୁନାଲ ଗଠନ କରିଥିଲେ ମଧ୍ୟ ଏ ଯାଏ ତାହା କାର୍ଯ୍ୟକ୍ଷମ ହୋଇନାହିଁ। ଏହାକୁ କାର୍ଯ୍ୟକାରୀ ନ କରିବା ପଛରେ ବଡ଼ ଚକ୍ରାନ୍ତ ରହିଛି। ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କର ଭୂମିକା ବି ସ୍ପଷ୍ଟ ନୁହେଁ। ରାଜ୍ୟ ସରକାର ମହାନଦୀରେ ୭ ଟି ବ୍ୟାରେଜ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି। କିନ୍ତୁ କେଉଁଠି ବ୍ୟାରେଜ ନିର୍ମାଣ ହେବ,ଏଥିପାଇଁ କେତେ ଅର୍ଥ ବ୍ୟୟବରାଦ ହେବ, କେବେ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ସେ ନେଇ କୌଣସି ନିର୍ଦ୍ଦିଷ୍ଟ ରୂପରେଖ ପ୍ରସ୍ତୁତ ହୋଇନାହିଁ। ତେଣୁ ଏ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। କିନ୍ତୁ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ମହାନଦୀ ପାଣି ପ୍ରସଙ୍ଗରେ ଦଳମତ ନିର୍ବିଶେଷରେ ସବୁ ନେତା ଏକଜୁଟ୍ ହୁଅନ୍ତୁ ବୋଲି ବିଜୟ ଏହି ଅବସରରେ ଆହ୍ଵାନ ଦେଇଛନ୍ତି। ଏହା ସହିତ ମହାନଦୀ ବଞ୍ଚାଅ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଆଗାମୀ ଦିନରେ କଟକ ସହରରୁ ଏହାକୁ ଆରମ୍ଭ କରିବା ପାଇଁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ବୈଠକରେ ଯୋଗ ଦେଇ ବିଜେପି ବିଧାୟକ ଦିଲ୍ଲୀପ ରାୟ କହିଥିଲେ ଯେ ବାର ବର୍ଷ ତଳେ ମହାନଦୀ ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରାଯାଇଥିଲା। କିନ୍ତୁ ସରକାର ଏହାକୁ ଗୁରୁତ୍ୱ ଦେଇ ନ ଥିଲେ। ମାତ୍ର ପରେ ଏହାର ଗୁରୁତ୍ୱ ଅନୁଭବ କଲେ। ବିଜୁବାବୁ ଶିଳ୍ପର ଗୁରୁତ୍ୱ ଦୃଷ୍ଟିରୁ ରାଉରକେଲାରେ ମନ୍ଦିରା ଡ୍ୟାମ ନିର୍ମାଣ କରିଥିଲେ। ସେହିିଦୃଷ୍ଟିରୁ ସରକାର ଶିଳ୍ପସଂସ୍ଥାମାନଙ୍କୁ ନିଜ ଅର୍ଥରେ ଡ୍ୟାମ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଶ୍ରୀ ରାୟ କହିଥିଲେ। ସେହିପରି ମହାନଦୀ ସହିତ ଅନ୍ୟ ନଦୀଗୁଡିକର ସଂଯୋଗୀକରଣ ନିହାତି ଦରକାର ବୋଲି ଶ୍ରୀ ରାୟ କହିବା ସହ ଛତିଶଗଡ଼ର ବିଜେପି ସରକାରକୁ କଠୋର ଭାଷାରେ ସମାଲୋଚନା କରିଥିଲେ। ବୈଠକରେ ମହାନଦୀ ବଞ୍ଚାଅ ଆନ୍ଦୋଳନ କମିଟିର ଆବାହକ ଗୌରାଙ୍ଗ ହୋତା ସଭାପତିତ୍ୱ କରିଥିଲେ। ଯୁବ ନେତା ଶୁଭେନ୍ଦୁ ମହାନ୍ତି, ଅଶୋକ ସାମଲ, ବିଜୟ ପରିଡା, ପ୍ରଦୀପ ପଟ୍ଟନାୟକ, ମହେଶ୍ୱର ଦାସ, ଟୁକୁ ସାହୁ, ବାବାଜୀ ଚରଣ ସାହୁ, ନନ୍ଦ ବିଶ୍ୱାଳ, ସୁଧୀର ଦାସ, ଆଶିଷ ମହାପାତ୍ର, ଗୌତମ ଦାସ, ଦିଲ୍ଲୀପ ସିଂ, ଆଇନଜୀବୀ ରମେଶ ସ୍ୱାଇଁ, ଆଇନଜୀବୀ ଦିଲ୍ଲୀପ କୁମାର ମହାପାତ୍ର, ଡକ୍ଟର ଶାନ୍ତିଭୂଷଣ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଅଧ୍ୟାପକ ତୁଷାରକାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।