ଭୁବନେଶ୍ୱର : ଗତ ୫ଦିନ ଧରି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ ଦାବିରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଚାଲିଥିବା ଗଣ ସତ୍ୟାଗ୍ରହ ସ୍ଥଗିତ ରଖାଯାଇଛି। ଆସନ୍ତା ୨୬ତାରିଖରେ ସଂଗଠନ ପକ୍ଷରୁ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳ, ବୁଦ୍ଧିଜୀବୀ, ସାମାଜିକ ସଂଗଠନ ଓ ବିଶେଷଜ୍ଞମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଅପରାହ୍ଣରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଚାଲିଥିବା ଗଣ ସତ୍ୟାଗ୍ରହରେ ଜଳ ପୁରୁଷ ରାଜେନ୍ଦ୍ର ସିଂ ଯୋଗଦେଇ ଏହାକୁ ସମର୍ଥନ ଜଣାଇଥିଲେ। ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂ କହିଲେ, ମହାନଦୀ ଜଳ ବିବାଦର ସମାଧାନ ପାଇଁ ସବୁ ଦଳମାନଙ୍କୁ ଏକାଠି ହେବାକୁ ପଡ଼ିବ। ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବାକୁ ପଡ଼ିବ। ଏଥିପାଇଁ ଆଗାମୀ ଦିନରେ ଦିଲ୍ଲୀରେ ଆନ୍ଦୋଳନ କରିବା ପାଇଁ ଶ୍ରୀ ସିଂ ଆହ୍ଵାନ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ସଂଗଠନ ପକ୍ଷରୁ ଲୋୟର ପିଏମ୍ଜିରେ ଚାଲିଥିବା ଗଣ ସତ୍ୟାଗ୍ରହକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି କରାଯାଇଛି।
ସାମ୍ବାଦିକ ସମ୍ମିଳନୀରେ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ଦେବୀ ପ୍ରସାଦ ମିଶ୍ର, ଲଳିତ ମୋହନ ପଟ୍ଟନାୟକ, ତୁଷାରକାନ୍ତ, ବାସୁଦେବ ଭଟ୍ଟ, ପ୍ରସନ୍ନ ବିଶୋଇ, ମନୋଜ ଜେନା, ବିଜୟ ପ୍ରଧାନ, ଅରୁଣ ଜେନା, ପରେଶ ଜାଲି, ଅଶୋକ ପାଇକରାୟ, ଦେବୀ ମହାରଣା, ଅଜୟ ସେଠୀ, ପ୍ରଭାସିନୀ ରାଉତ, ସିତାଂଶୁ, ଅକ୍ଷୟ ଜେନା, ଦେବାଶିଷ ମିଶ୍ର ଓ ରାଧାରମଣ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।
ମହାନଦୀ ଜଳ ଟ୍ରିବ୍ୟୁନାଲ ଗଠନ କରିବାରେ କେନ୍ଦ୍ର ସରକାରଙ୍କ ବିଳମ୍ବ ପ୍ରତିବାଦରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଗଣ ସତ୍ୟାଗ୍ରହ ଜାରି ରହିଥିଲା। ଏଥିରେ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତାଙ୍କ ସମେତ ବିଶିଷ୍ଟ ଗାନ୍ଧୀବାଦୀ ନେତା ଆନ୍ନା ହଜାରେ, ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକ ଓ ଅନ୍ୟମାନେ ଯୋଗ ଦେଇଥିଲେ।