ମହାନଦୀ ପାଇଁ ମହାଯୋଜନା : ୭ ବ୍ୟାରେଜ ପାଇଁ ୨୦ ସ୍ଥାନ ଚିହ୍ନଟ, ୮ଟି ସ୍ଥାନ ଉପରେ ଅନୁଧ୍ୟାନ ଆରମ୍ଭ, ଶାଖା ନଦୀରେ ବି ଅନୁଧ୍ୟାନ ଜାରି

0 353

ଭୁବନେଶ୍ୱର : ମହାନଦୀ ବଞ୍ଚାଇବା ଲାଗି ଶାସକ ବିଜେଡି ତୃତୀୟ ପର୍ଯ୍ୟାୟ ମହାଆନ୍ଦୋଳନ ପାଇଁ ସଜବାଜ ହେଉଛି। ଖୁବ୍‌ଶୀଘ୍ର ଦଳ ରାଜନୈତିକ କାର୍ଯ୍ୟକ୍ରମ ହାତକୁ ନେବ। ଅନ୍ୟପଟରେ ମହାନଦୀ ଉପରେ ବ୍ୟାରେଜ୍‌ ନିର୍ମାଣ ନେଇ ମଧ୍ୟ ସମାନ୍ତରାଳ ଭାବେ ସରକାରୀ ତନାଘନା ଆରମ୍ଭ ହୋଇଛି। ଗତ ମେ’ ମାସରେ ମହାନଦୀ ଉପରେ ସାତଟି ବ୍ୟାରେଜ୍‌ ନିର୍ମାଣ ଯୋଜନା ଥିବା ସଂପର୍କରେ ଜଳସଂପଦ ବିଭାଗ ସୂଚନା ଦେଇଥିଲା।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦ଟି ପ୍ରସ୍ତାବିତ ସ୍ଥାନ ମଧ୍ୟରୁ କେଉଁଟି ବ୍ୟାରେଜ୍‌ ପାଇଁ ଉପଯୁକ୍ତ ହେବ, ସେ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ମହାନଦୀ ସହିତ ଏହାର ସମସ୍ତ ଶାଖା ନଦୀକୁ କର୍ତୃପକ୍ଷ ଅନୁଧ୍ୟାନ କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ୮ଟି ସ୍ଥାନ ଚିହ୍ନଟ କରାଯାଇ ସେସବୁ ସ୍ଥାନ ପ୍ରକଳ୍ପ ପାଇଁ ଉପଯୋଗୀ କି ନାହିଁ, ସେ ସଂକ୍ରାନ୍ତ ପ୍ରାରମ୍ଭିକ ଅନୁଧ୍ୟାନ ଆରମ୍ଭ ହୋଇଛି। ଏଗୁଡିକ ହେଲା, ଦେଗାଁ, କପାସିରା, ଖଇରମାଳ, ଗୋଧନେଶ୍ୱର, ସୁବଳୟା, ମଣିଭଦ୍ରା, କୁଆଖିଆ-କୁଶଭଦ୍ରା ପ୍ରକଳ୍ପ ଓ ଦେଉଳି (ତେଲ ବ୍ୟାରେଜ୍‌)।

କେବଳ ସେତିକି ନୁହେଁଁ, ପ୍ରସ୍ତାବିତ ଏସବୁ ସ୍ଥାନରେ ବ୍ୟାରେଜ୍‌ ନିର୍ମାଣ ଲାଗି ବିସ୍ତତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ପାଇଁ ନୀତିଗତ ନିଷ୍ପତ୍ତି ନେଇଛି। ଏଥିପାଇଁ ଜଳ ସଂପଦ ବିଭାଗ ଓଡ଼ିଶା ନିର୍ମାଣ ନିଗମକୁ ଦାୟିତ୍ୱ ଦେଇଛନ୍ତି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସର୍ଭେ ଓ ଅନୁଧ୍ୟାନ କରିବା ଲାଗି ରୁର୍‌କି ଆଇଆଇଟି ସହିତ ଆଲୋଚନା ହୋଇଥିଲା। ମାତ୍ର ସଂପୃକ୍ତ ସଂସ୍ଥା ଅନିଚ୍ଛା ପ୍ରକାଶ କରିବା ପରେ ରାଜ୍ୟ ସରକାର ଏବେ କେନ୍ଦ୍ରୀୟ ଜଳ ଓ ଶକ୍ତି ଗବେଷଣା କେନ୍ଦ୍ର, ପୁନେ ସହିତ ଆଲୋଚନା କରୁଛନ୍ତି। ଏହି ସଂସ୍ଥା ସମ୍ମତି ଜଣାଇବା ପରେ ଅନୁଧ୍ୟାନ କରି ରିପୋର୍ଟ ପ୍ରସ୍ତୁତ କରିବ ଓ ସରକାର ଆବଶ୍ୟକ ପଦକ୍ଷେପ ନେବେ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ମହାନଦୀ ଓ ତାର ଶାଖା ନଦୀକୁ ବର୍ଷତମାମ ଜୀବନ୍ତ କରି ରଖାଯିବ। ବନ୍ୟା ପରେ ପରେ ନଦୀରେ ପ୍ରବାହିତ ଜଳକୁ କିଭଳି ସଂରକ୍ଷିତ କରି ରଖାଯିବ, ତାହା ଏବେ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ବିଳମ୍ବରେ ହେଲେ ମଧ୍ୟ ମହାନଦୀ ସମେତ ଏହାର ସମସ୍ତ ଶାଖା ନଦୀରେ ବ୍ୟାରେଜ ନିର୍ମାଣ କରିବା ଲାଗି ସ୍ଥିର ହୋଇଛି। ବିନା ବିସ୍ଥାପନ ଓ ସର୍ବନିମ୍ନ ବୁଡି ଅଞ୍ଚଳରେ ହିଁ ପ୍ରକଳ୍ପ କରିବାକୁ ଗୁରୁତ୍ୱାରୋପ କରାଯିବ। ଏହି କ୍ରମରେ ଜଳସଂପଦ ବିଭାଗ ମହାନଦୀ ଓ ତାର ଅବବାହିକାରେ ୨୦ଟି ସ୍ଥାନ ଚିହ୍ନଟ କରିଥିବା ସୂଚନା ମିଳିଛି। ତେଲ ନଦୀ ଠାରୁ ଆରମ୍ଭ କରି ଦୟା, ଭାର୍ଗବୀ, କୁଆଖାଇ ଯାଏ ସବୁ ନଦୀ ଉପରେ କର୍ତ୍ତୃପକ୍ଷ ଅନୁଧ୍ୟାନ କରୁଛନ୍ତି।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଭୁବନେଶ୍ୱର ଉପରେ ଏକ ପ୍ରକଳ୍ପ କରିବା ଲାଗି ବହୁ ପୂର୍ବରୁ ପ୍ରସ୍ତାବ ଥିଲା। ଜନସ୍ୱାସ୍ଥ୍ୟ ବିଭାଗ ଏ ସଂକ୍ରାନ୍ତରେ ଦୀର୍ଘ ବର୍ଷ ତଳେ ଏକ ପ୍ରସ୍ତାବ ଦେଇଥିଲେ। ଜଳସଂପଦ ବିଭାଗ ଏବେ ସେ ସଂପର୍କରେ ମଧ୍ୟ ଅନୁଧ୍ୟାନ କରୁଛନ୍ତି। କାରଣ କୁଆଖିଆ ଉପରେ ପ୍ରକଳ୍ପ କରାନଗଲେ, ଭୁବନେଶ୍ୱରରେ ଆଗାମୀ ଦିନରେ ଜଳସଙ୍କଟ ସୃଷ୍ଟିହୋଇପାରେ। କେବଳ ସେତିକି ନୁହେଁ, ଛୋଟ ଛୋଟ ପ୍ରକଳ୍ପ କରି ଜଳବିଦ୍ୟୁତ ଉତ୍ପାଦନ ପାଇଁ ମଧ୍ୟ ବିଚାର ଚାଲିଛି। ତେବେ ଏହା ଅତ୍ୟନ୍ତ ପ୍ରାରମ୍ଭିକ ସ୍ତରରେ ରହିଛି ଓ ଠୋସ୍‌ ନିଷ୍ପତ୍ତି ନେବାଲାଗି ଆଉ କିଛି ମାସ ଲାଗିପାରେ ବୋଲି ଜଣେ ଅଧିକାରୀ କହିଛନ୍ତି।

ଉଲ୍ଲେଖଥାଉକି, ମହାଦନୀ ଉପରମୁଣ୍ଡରେ ଛତିଶଗଡ଼ ସରକାର ଏକାଧିକ ପ୍ରକଳ୍ପ କରି ଜଳକୁ ଅଟକାଇବା ପରିଣାମରେ ଅଣମୌସୁମୀ ସମୟରେ ଉତ୍କଟ ଜଳାଭାବ ଦେଖାଦେଇଛି। ଚଳିତବର୍ଷ ନଦୀ ପଠା ଶୁଖିଯାଇଛି। ସ୍ଥିତି ଏତେ ଗମ୍ଭୀର ଯେ ନଦୀ ଉପକୂଳବର୍ତୀ ୧୫ଟି ଜିଲ୍ଲାରେ ପାନୀୟ ଜଳ ସଙ୍କଟ ମଧ୍ୟ ଗୁରୁତର ହେଲାଣି। ଓଡ଼ିଶା ସରକାର ଏ ସଂକ୍ରାନ୍ତରେ ଛତିଶଗ଼ଡ ସରକାରଙ୍କୁ ମୁକାବିଲା ଲାଗି ଅଣ୍ଟା ଭିଡିଛନ୍ତି। ମହାନଦୀ ଟ୍ରିବ୍ୟୁନାଲରେ ଖୁବ୍‌ଶୀଘ୍ର ଶୁଣାଣି ଆରମ୍ଭ ହେବ। ହେଲେ ହୀରାକୁଦ ତଳେ ମହାନଦୀରେ କୌଣସି ବ୍ୟାରେଜ୍‌ ନଥିବାରୁ ମୌସୁମୀ ସମୟରେ ନଦୀରେ ପାଣି ରଖିବା ସମ୍ଭବ ହେଉନାହିଁ। ଏହି ଦୁର୍ବଳତାକୁ ଧରି ବିଜେପି, ଛତିଶଗଡ଼ ସରକାର ଓ କେନ୍ଦ୍ର ଓଡ଼ିଶାକୁ ଟାର୍ଗେଟ କରି ଆସୁଥିଲା। ମାତ୍ର ନିର୍ଦିଷ୍ଟ ସମୟ ସୀମା ମଧ୍ୟରେ ମହାନଦୀରେ ବ୍ୟାରେଜ୍‌ ନିର୍ମାଣ କରି ସରକାର ଏ ଅଭିଯୋଗରେ ପୂର୍ଣ୍ଣଛେଦ ଟାଣିବା ପାଇଁ ଯୋଜନା କରିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.