ମୌସୁମିରେ ବି କମିଛି ଜଳପ୍ରବାହ

ମହାନଦୀ ପାଣି ଉପରେ ଛତିଶଗଡ଼ର ଦାଦାଗିରି

ସମ୍ବଲପୁର (ରତ୍ନାକର ଭୋଇ): ଅଣମୌସୁମି ନୁହେଁ, ମୌସୁମି ଋତୁରେ ବି ମହାନଦୀରେ ଓଡ଼ିଶାକୁ ଜଳ ପ୍ରବାହ ସାଂଘାତିକ ଭାବେ ହ୍ରାସ ପାଇଛି। ଗୋଟିଏ ପଟେ କେନ୍ଦ୍ର ସରକାର ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲ ଗଠନ କରିବାକୁ ମନା କରିଦେବା ପରେ ଛତିଶଗଡ଼ ସରକାର ବେଶ୍‌ ଉତ୍ସାହିତ ହୋଇ ପଡ଼ିଛନ୍ତି। ମହାନଦୀ ଓ ଏହାର ଉପନଦୀମାନଙ୍କରେ ଥିବା ବିଭିନ୍ନ ଡ୍ୟାମ୍‌କୁ ସଂଯୋଗ କରିବା ପାଇଁ ଆଗଭର ହୋଇଛନ୍ତି। ଏହା ଦ୍ୱାରା ଆଗାମୀ ଦିନରେ ଓଡ଼ିଶା ପାଇଁ ବଡ଼ ସମସ୍ୟା ସୃଷ୍ଟି କରିବା ନିଶ୍ଚିତ ହୋଇଛି।

ହୀରାକୁଦ ଜଳଭଣ୍ଡାର ମହାନଦୀ ଓ ଏହାର ଉପନଦୀଗୁଡ଼ିକ ଉପରେ ନିର୍ଭର କରିଥାଏ। ହୀରାକୁଦ ଜଳଭଣ୍ଡାର କ୍ୟାଚ୍‌ମେଣ୍ଟ ଏରିଆ ପାଖାପାଖି ୯୦ ପ୍ରତିଶତ ଛତିଶଗଡ଼ରେ ରହିଥିବା ବେଳେ ବାକି ଅଂଚଳ ଓଡ଼ିଶାରେ ରହିଛି। ମୌସୁମି ଋତୁ(୧ଜୁନ୍‌ରୁ ୩୧ଅକ୍ଟୋବର)ରେ ହୀରାକୁଦକୁ ଯେତିକି ପାଣି ଆସିଥାଏ, ଅଣମୌସୁମୀ ଋତୁରେ (ନଭେମ୍ବରରୁ ମେ’)ରେ ତା’ଠାରୁ ଯଥେଷ୍ଟ କମ୍‌ ପାଣି ଜଳଭଣ୍ଡାରକୁ ପ୍ରବେଶ କରିିଥାଏ। ଗତ କିଛି ବର୍ଷ ହେଲା ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ମାତ୍ରା କମି କମି ଯାଉଛି। ୨୦୧୩ ମସିହାରେ ମୌସୁମି ସମୟରେ ୨୬.୦୦୪ ନିୟୁତ(ମିଲିୟନ) ଏକର ଫୁଟ୍‌ ପାଣି ପ୍ରବେଶ କରିଥିଲା। ସେହିପରି ଅଣମୌସୁମି ଋତୁରେ ୧.୪୫୦ ନିୟୁତ ଏକର ଫୁଟ୍‌ ପାଣି ଆସିଥିଲା। ୨୦୧୪ ମସିହାରେ ମୌସୁମି ଋତୁରେ ୨୬.୫୫୫ ନିୟୁତ ଏକର ଫୁଟ୍‌ ଜଳ ପ୍ରବେଶ କରିଥିଲା। ଅଣମୌସୁମୀ ଋତୁରେ ଏହି ବର୍ଷ ୧.୩୫୫ ନିୟୁତ ଏକର ଫୁଟ୍‌ ପ୍ରବେଶ କରିିଥିଲା। ୨୦୧୫ ମସିହାରେ ଉଭୟ ମୌସୁମି ଓ ଅଣମୌସୁମି ଋତୁରେ ଜଳପ୍ରବେଶ ମାତ୍ରା ସାଂଘାତିକ ଭାବେ ହ୍ରାସ ପାଇଥିଲା।

ମୌସୁମି ଋତୁରେ ୧୩.୨୪୦ ନିୟୁତ ଏକର ଫୁଟ୍‌ ପାଣି ଏବଂ ଅଣମୌସୁମି ଋତୁରେ ମାତ୍ର ୦.୯୦୭ ନିୟୁତ ଏକର ଫୁଟ୍‌ ପାଣି ପ୍ରବେଶ ଜଳଭଣ୍ଡାରକୁ ପ୍ରବେଶ କରିଥିଲା। ୨୦୧୬ ମସିହରେ ମୌସୁମି ଋତୁରେ ୧୬.୬୭୨ ନିୟୁତ ଏକର ଫୁଟ୍‌ ହୀରାକୁଦକୁ ପ୍ରବେଶ କରିଥିଲା। ଅକ୍ଟୋବରରୁ ହୀରାକୁଦର ଉପର ମୁଣ୍ଡରେ ଥିବା ଛତିଶଗଡ଼ର କଲ୍‌ମା ବ୍ୟାରେଜରୁ ଜଳ ନିଷ୍କାସନ ଉପରେ ଅଂକୁଶ ଲାଗିବା ଦ୍ୱାରା ସ୍ଥିତି ପୂର୍ବ ବର୍ଷ ତୁଳନାରେ ଅଧିକ ବିଗିଡି ଯାଇଥିଲା। ଅଣମୌସୁମିରେ ହୀରାକୁଦକୁ ଜଳ ପ୍ରବେଶ ୭୯ ପ୍ରତିଶତ କମିଥିଲା। ତେବେ ସବୁଠାରୁ ଉଦ୍‌ବେଗଜନକ କଥା ହେଲା, ଚଳିତ ୨୦୧୭ରେ ମୌସୁମୀ ଋତୁରେ ପୂର୍ବ ବର୍ଷ ତୁଳନାରେ ବି ହୀରାକୁଦ ଜଳ ପ୍ରବେଶ ହ୍ରାସ ପାଇଛି। ମାତ୍ର ୧୧.୮୭୧ ନିୟୁତ ଏକର ଫୁଟ୍‌ ପାଣି ଛତିଶଗଡ଼ ସରକାର ମହାନଦୀରେ ଓଡ଼ିଶା ପାଇଁ ଛାଡ଼ିଛନ୍ତି, ଯାହାକି ୨୦୧୬ ମସିହା ତୁଳନାରେ ୪.୮୦୧ ନିୟୁତ ଏକର ଫୁଟ ଏବଂ ୨୦୧୪ ତୁଳନାରେ ୧୪.୬୮୪ ନିୟୁତ ଏକର ଫୁଟ୍‌ କମ୍‌ ଅଟେ।

ଅପରପକ୍ଷରେ ଛତିଶଗଡ଼ର ଜଳସଂପଦ ବିଭାଗ ମନ୍ତ୍ରୀ ବ୍ରିଜମୋହନ ଅଗ୍ର୍‌ଓ୍ଵାଲ ରାୟପୁରରେ ବୁଧବାର ସାମ୍ବାଦିକ ସମ୍ମିଳନୀ ଡାକି ଆସନ୍ତା ୨୦୨୨ ମସିହା ସୁଦ୍ଧା ମହାନଦୀ ଓ ଏହାର ଉପନଦୀମାନଙ୍କରେ ଥିବା ବିଭିନ୍ନ ଡ୍ୟାମ୍‌କୁ ସଂଯୋଗ କରିବାର କାମ ଶେଷ କରାଯିବ ବୋଲି କହିଛନ୍ତି। ଏଥିସହିତ ତାନ୍ଦୁଲା-ଗାଂଗରେଲ ଡ୍ୟାମ୍‌ ସଂଯୋଗୀକରଣ କାର୍ଯ୍ୟ ତ୍ୱରାନ୍ଵିତ କରାଯାଇଛି। ମହାନଦୀରେ ଗାଂଗରେଲ ଡ୍ୟାମ୍‌ରୁ ପାଣିକୁ ତାନ୍ଦୁଲା ଡ୍ୟାମ୍‌କୁ ପଠାଯିବା ନେଇ ଛତିଶଗଡ଼ ସରକାର ଯୋଜନା ରଖିଥିବା ସେ ସୂଚନା ଦେଇଛନ୍ତି। ଏଭଳି ହେଲେ ଓଡ଼ିଶାର ଜୀବନରେଖା ମହାନଦୀ ଆଗାମୀ ଦିନରେ ବର୍ଷା ଋତୁରେ ବି ଶୁଖିଲା ରହିବ। ଆଉ ଓଡ଼ିଶାବାସୀଙ୍କ ଭୟଙ୍କର ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ।

ସମ୍ବନ୍ଧିତ ଖବର