ମହାନଦୀ ପ୍ରସଙ୍ଗରେ ରାଜ୍ୟର ଦୋ’ମୁହାଁ ନୀତି: ବିଜେପି

ନବୀନଙ୍କୁ ୧୮ ବର୍ଷର ରିପୋର୍ଟ କାର୍ଡ ମାଗିଲା ବିଜେପି, ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବ

ଭୁବନେଶ୍ୱର : ମହାନଦୀକୁ ନେଇ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଗୋଟିଏ କଥା କହୁଛନ୍ତି। ବିଧାନସଭା ବାହାରେ ଆଉ ଗୋଟିଏ ତଥ୍ୟ ରଖୁଛନ୍ତି। ଗତବର୍ଷ ଡିସେମ୍ବର ମାସରେ ବିଧାନସଭାରେ କହିଥିଲେ, ରାଜ୍ୟକୁ ଉଚିତ୍‌ ମାତ୍ରାରେ ପାଣି ମିଳୁଛି। ମହାନଦୀର ୫୩ ପ୍ରତିଶତ ଜଳ ସମୁଦ୍ରକୁ ଚାଲିଯାଉଛି। କିନ୍ତୁ ବିଜେଡ଼ିର ସଭାପତି ଭାବରେ ଗୃହ ବାହାରେ ସମ୍ପୂର୍ଣ୍ଣ ବିଭ୍ରାନ୍ତିକର ତଥ୍ୟ ରଖୁଛନ୍ତି ନବୀନ।

ମହାନଦୀକୁ ନେଇ ଶାସକ ବିଜେଡ଼ି ଦଳ ସମ୍ପୂର୍ଣ୍ଣ ଆକ୍ରମଣାତ୍ମକ ମୁଦ୍ରାରେ ଥିବାବେଳେ ଆଜି ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ୍‌ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଢଙ୍ଗରେ ପାଲଟା ଆକ୍ରମଣ କରିଛନ୍ତି। ମୋଦିଙ୍କ ଗସ୍ତରୁ ଗୋଟିଏ ଦିନ ପୂର୍ବରୁ ହିଁ ଶ୍ରୀ ପାତ୍ର ବିଜେପିର ବିଭିନ୍ନ ଉପଲବ୍ଧିକୁ ନେଇ ତଥ୍ୟ ରଖିଥିବା ବେଳେ ମହାନଦୀକୁ ନେଇ ରାଜ୍ୟ ସରକାର ବିଭ୍ରାନ୍ତିକର ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି।

ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାତ୍ର କହିଥିଲେ, କେନ୍ଦ୍ର ସରକାର ଏହି ସମସ୍ୟାର ସମାଧାନ ଆପୋଷ ଆଲୋଚନା ମାଧ୍ୟମରେ କରିବାକୁ ଚାହୁଁଥିଲେ ମଧ୍ୟ ରାଜ୍ୟ ସରକାର କେବଳ ରାଜନୀତି କରୁଛନ୍ତି। ଏଥିସହିତ ସେ ମୋଦି ସରକାରର ୪ ବର୍ଷର ବିଭିନ୍ନ ଉପଲବ୍ଧିକୁ ନେଇ ବିସ୍ତତ ତଥ୍ୟ ରଖିଥିଲେ। କହିଥିଲେ, କେନ୍ଦ୍ର ସରକାର ଆସନ୍ତା ୨୦୨୨ ସୁଦ୍ଧା ସମସ୍ତଙ୍କ ପାଇଁ ପକ୍କା ଘର ଯୋଗାଇଦେବାର ଲକ୍ଷ୍ୟ ରଖିଛନ୍ତି। ସେହିପରି ଉଜ୍ଜଳା ଯୋଜନା ମାଧ୍ୟମରେ ୩.୮ କୋଟି ପରିବାରକୁ ଇନ୍ଧନ ଗ୍ୟାସ, ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ଯୋଜନାରେ ମାତ୍ର ୧୨ଟଙ୍କା ପ୍ରିମିୟମ୍‌ରେ ୧୪ କୋଟି ଲୋକ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧କୋଟି ଲୋକଙ୍କୁ ସାମିଲ କରିବା ଭଳି ବିଭିନ୍ନ କଲ୍ୟାଣମୂଳକ ଯୋଜନା ରହିଛି।

କଂଗ୍ରେସକୁ ମଧ୍ୟ ବେଶ୍‌ କଡ଼ା ଭାଷାରେ ସମାଲୋଚନା କରିଥିଲେ ଶ୍ରୀ ପାତ୍ର। ତାତ୍ସଲ୍ୟ କରି କହିଥିଲେ, ଉପା ସରକାର ଅମଳରେ ହୋଇଥିବା ବିଭିନ୍ନ ଦୁର୍ନୀତିକୁ ଦେଶବାସୀ ମନେ ରଖିଛନ୍ତି। ତେଣୁ ବର୍ତ୍ତମାନ କଂଗ୍ରେସ କେବଳ ନିଜର ଅସ୍ଥିତ୍ୱ ବଞ୍ଚାଇବାକୁ ଚେଷ୍ଟା କରୁଛି। ମୋଦି ସରକାର ୪ ବର୍ଷ ଶାସନ କାଳ ମଧ୍ୟରେ ପ୍ରତିବର୍ଷ ରିପୋର୍ଟ କାର୍ଡ଼ ଦେଉଥିବା ବେଳେ ନବୀନ ସରକାର ମଧ୍ୟ ୧୮ବର୍ଷ ଶାସନର ରିପୋର୍ଟ କାର୍ଡ଼ ପ୍ରଦାନ କରିବା ନେଇ ମୁଖପାତ୍ର ଶ୍ରୀ ପାତ୍ର ଦାବି କରିଥିଲେ। ଏହି ୪ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି କୋଟି କୋଟି ଭାରତୀୟଙ୍କ ବିଶ୍ୱାସକୁ ଜିତିପାରିଥିବା ଶ୍ରୀ ପାତ୍ର ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର