ସାମ୍ନାକୁ ଆସିଲା ଶୁଖିଲା ମହାନଦୀର ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ୱର : ଛତିଶଗଡ଼ ସରକାର ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ୍‌ ନିର୍ମାଣ କରି ଜଳକୁ ଅଟକାଇବା ଫଳରେ ଦିନକୁ ଦିନ ମହାନଦୀର ତଳମୁଣ୍ଡରେ ଜଳ ପ୍ରବାହ କମିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ, ଏବେ ମହାନଦୀ ଶୁଖିବାରେ ଲାଗିଛି। ଫଳରେ ହୀରାକୁଦରେ ଜଳସ୍ତର ହ୍ରାସ ପାଇବା ସହ ପାନୀୟ ଜଳ, ଜଳସେଚନ, ବିଦ୍ୟୁତ ଉତ୍ପାଦନ, ଶିଳ୍ପ ଭିତ୍ତିକ ଜଳ ଯୋଗାଣରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି।

ଏକ ତଥ୍ୟରୁ ଜଣାପଡିଛି ଯେ, ମହାନଦୀ ପାଣିର ପ୍ରାକୃତିକ ସ୍ରୋତକୁ ଅଟକାଇବା ପାଇଁ ୨ ହଜାର ୨୬୮ଟି ପ୍ରକଳ୍ପ ନିର୍ମାଣ କରିସାରିଛି ଛତିଶଗଡ଼ । ଆଉ ୪୪୩ଟି ପ୍ରକଳ୍ପ ନିର୍ମାଣଧୀନ ରହିଛି । ସେଥିରେ ରହିଛି ୬ଟି ବଡ଼ ବଡ଼ ବ୍ୟାରେଜ୍‌।

ମାଳ ମାଳ ଡ୍ୟାମ୍‌ ଓ ବ୍ୟାରେଜ୍‌ ନିର୍ମାଣ କରି ମହାନଦୀର ପ୍ରାକୃତିକ ଜଳ ପ୍ରବାହକୁ ରୋକି ଦେଇଛି ଛତିଶଗଡ। ପଡୋଶୀ ରାଜ୍ୟର ଏହି ସାଂଘାତିକ ଷଡ଼ଯନ୍ତ୍ରର ପୂରା କାହାଣୀ ବିଧାନସଭାକୁ ଜଣାଇଛନ୍ତି ଜଳସଂପଦ ମନ୍ତ୍ରୀ ନିରଜଂନ ପୂଜାରୀ। ମହାନଦୀ ଉପରେ କେଉଁ ରାଜ୍ୟ ବନ୍ଧ ବାନ୍ଧିଛନ୍ତି ଏବଂ କେତେ ବନ୍ଧ ବାନ୍ଧିବାର ପ୍ରସ୍ତାବ ରହିଛି, ଏ ନେଇ ବିଧାୟକ ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ଜଳସଂପଦ ମନ୍ତ୍ରୀ।

ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ମହାନଦୀର ଉପରମୁଣ୍ଡରେ ବନ୍ଧ ବାନ୍ଧି ୨୨୬୮ଟି ପ୍ରକଳ୍ପ ନିର୍ମାଣ କରିସାରିଛି ଛତିଶଗଡ଼। ସେଥିରେ ରହିଛି ୮ଟି ବଡ଼, ୨୯ଟି ମଧ୍ୟମ, ୧୮୬୦ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଏବଂ ୩୭୧ଟି ଆନିକଟ। ସେହିପରି ୪୪୩ଟି ପ୍ରକଳ୍ପ ନିର୍ମାଣଧୀନ ରହିଛି। ସେଥିରେ ରହିଛି ୬ଟି ବଡ଼ ବଡ଼ ବ୍ୟାରେଜ୍‌। ଏହାଛଡ଼ା ୪ଟି ବଡ଼ ପ୍ରକଳ୍ପ, ୩ଟି ମଧ୍ୟମ ଧରଣର ୩୦୫ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଓ ୧୨୫ଟି ଆନିକଟ।

ଜଳସେଚନ ମନ୍ତ୍ରୀ ବିଧାନସଭାକୁ କହିଛନ୍ତି ଯେ, ହୀରାକୁଦରେ ହ୍ରାସ ପାଉଥିବାରୁ ପାନୀୟ ଜଳ, ଜଳସେଚନ, ବିଦ୍ୟୁତ ଉତ୍ପାଦନ, ଶିଳ୍ପ ଭିତ୍ତିକ ଜଳ ଯୋଗାଣରେ ସମସ୍ୟା ସୃଷ୍ଟି ହେବ। ବିଶେଷ କରି ତ୍ରିକୋଣଭୂମି ଅଂଚଳରେ ଜଳସେଚନ, ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହେବ। ଏହାସହ ମହାନଦୀ ତଳ ମୁଣ୍ଡରେ ଥିବା ଜୈବ ବିବିଧତାରେ ଭରପୂର ସାତକୋଶିଆ ଅଭୟାରଣ୍ୟ, ଚିଲିକା, ଭିତରକନିକା, ଗହିରମଥା ଆଦି ପ୍ରାକୃତିକ ପରିବେଶ ଗଭୀର ଭାବେ ପ୍ରଭାବିତ ହେବ।

ଉଲ୍ଲେଖ ଥାଉ କି, ବର୍ତ୍ତମାନ ମହାନଦୀର ଛତିଶଗଡ଼ ଅବବାହିକାରୁ ହୀରାକୁଦକୁ ଆସୁଥିବା ଜଳ ପରିମାଣ ଦିନକୁ ଦିନ ହ୍ରାସ ପାଇ ସଂକଟଜନକ ସ୍ଥିତି ଆଡକୁ ଗତି କରୁଛି। ଛତିଶଗଡ଼ର ସବୁ ପ୍ରକଳ୍ପ ପୂରା ଦମରେ କାର୍ଯ୍ୟ କରିବା ଆରମ୍ଭ କଲେ ହୀରାକୁଦ ଜଳଭଣ୍ଡାରର ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯିବ।

ସମ୍ବନ୍ଧିତ ଖବର