ମହାନଦୀ ଭାଗ୍ୟ କୁଆଡ଼େ?

କେନ୍ଦ୍ରକୁ କାଠଗଡ଼ାକୁ ଟାଣିଲା ବିଜେଡି

ଭୁବନେଶ୍ୱର : ମହାନଦୀକୁ ନ୍ୟାୟ ମିଳିନି। ପ୍ରସଙ୍ଗ ଯେଉଁଠି ଥିଲା, ଏବେ ବି ସେଇଠି ଝୁଲୁଛି। କିନ୍ତୁ ମହାନଦୀକୁ ନେଇ ରାଜନୀତି ଓ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ତୁ ତୁ ମେ ମେ ଦିନକୁ ଦିନ ଜୋର ଧରିଲାଣି। ଦୁଇ ଦିନ ସଂସଦରେ କେନ୍ଦ୍ର ସରକାର ରଖିଥିବା ଆଭିମୁଖ୍ୟ ଉପରେ ଆଜି ବିଜେଡି ଓ ବିଜେପି ପୁଣି ଥରେ ବୟାନବାଜି କରିଛନ୍ତି। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି ଓ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ।

ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳୀୟ ନେତାମାନେ ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ଜଳସଂପଦ ମନ୍ତ୍ରୀଙ୍କ ମନ୍ତବ୍ୟ ଧର୍ମକୁ ଆଖିଠାର ବୋଲି ଅଭିଯୋଗ କରିଥିଲେ। କେବଳ ସେତିକି ନୁହେଁ, ଓଡ଼ିଶାକୁ ଉପହାସ କରାଯାଇଥିବା ଅଭିଯୋଗ ଆଣିଥିଲା ଦଳ। ଭାରତୀୟ ଜନତା ପାର୍ଟିର ଚକ୍ରାନ୍ତକୁ ପଣ୍ଡ କରିବା ପାଇଁ ଜନମତ ଲଢ଼େଇ ସହ ନ୍ୟାୟିକ ଲଢ଼େଇ ଜାରି ରଖିବ ବୋଲି ବିଜେଡି ଘୋଷଣା କରିଛି। ଅନ୍ୟପଟରେ ବିଜେପି ସାମ୍ବାଦିକ ସମ୍ମିଳନୀରେ ଚାଷୀ ନୁହେଁ, ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ମହାନଦୀକୁ ବିଜେଡି ପ୍ରସଙ୍ଗ କରୁଛି ବୋଲି ଅଭିଯୋଗ କରିଛି।

ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର, ସାଂସଦ ପିନାକୀ ମିଶ୍ର, ପ୍ରତାପ ଦେବ ଓ ସରକାରୀ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ଗଣମାଧ୍ୟମକୂ ସୂଚନା ଦେଇଥିଲେ। ବିଜେଡି କହିଥିଲା, ଏକ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ତା’ର ସାମ୍ବିଧାନିକ ଦାୟିତ୍ୱକୁ ଏଡ଼ାଇ ଛତିଶଗଡ଼ର ବେଆଇନ କାର୍ଯ୍ୟକଳାପ ଉପରେ ଜାଣିଶୁଣି ନିରବ ରହିଛି। ଯଦି କେନ୍ଦ୍ରମନ୍ତ୍ରୀ ଛତିଶଗଡ଼ର ବେଆଇନ୍‌ ନିର୍ମାଣ ଓ ମହାନଦୀ ଜଳ ପ୍ରବାହର ରୋକ୍‌କୁ ବନ୍ଦ କରିବାକୁ ନିର୍ଦ୍ଦେଶ ସହିତ ତୁରନ୍ତ ଟ୍ରିବ୍ୟୁନାଲ୍‌ ଘୋଷଣା ଓ ଟ୍ରିବ୍ୟୁନାଲ୍‌ର ରାୟ ପର୍ଯ୍ୟନ୍ତ ଆପୋସ ଆଲୋଚନା ଜରିଆରେ ସମସ୍ୟାର ସମାଧାନ ପାଇଁ ପନ୍ଥା ନିରୂପଣ ଆହ୍ଵାନ କରିଥାନ୍ତେ, ତେବେ ଓଡ଼ିଶାବାସୀ ଆଶ୍ୱସ୍ତ ହୋଇଥାନ୍ତେ। ସମ୍ବିଧାନରେ ସ୍ପଷ୍ଟ ଭାବେ ଲେଖାଅଛି ଯେ ଆନ୍ତଃରାଜ୍ୟ ଜଳ ସଂପଦ ବିବାଦରେ କେନ୍ଦ୍ର ନିରବଦ୍ରଷ୍ଟା ସାଜିପାରିବ ନାହିଁ। ହସ୍ତକ୍ଷେପ କରି ସମାଧାନ କରିବା ତା’ର ଦାୟିତ୍ୱ। ମାତ୍ର ଏଠାରେ କେନ୍ଦ୍ରମନ୍ତ୍ରୀ ସମ୍ବିଧାନ କଥାକୁ ପାଳନ କରୁନାହାନ୍ତି। ବିଜେଡି ଉପସଭାପତି ଶ୍ରୀ ମିଶ୍ର କହିଥିଲେ, ପୂର୍ବରୁ ଚୁକ୍ତି ଥିଲା, ହୀରାକୁଦର ଉପର ମୁଣ୍ଡରେ ବର୍ଷକୁ ୨୦.୬୧ ମିଲିୟନ୍‌ ଏକର ଫୁଟ ଜଳ ପ୍ରବାହରୁ ୮.୩ ମିଲିୟନ ଏକର ଫୁଟ ଜଳ ତତ୍କାଳୀନ ମଧ୍ୟପ୍ରଦେଶ ବା ଆଜିର ଛତିଶଗଡ଼ ପାଇଁ ରହିବ। ବାକି ୧୨.୬୬ ମିଲିୟନ୍‌ ଏକର ଫୁଟ ଜଳ ଓଡ଼ିଶା ଉପଯୋଗ କରିବ। ମାତ୍ର ଛତିଶଗଡ଼ ଏହାକୁ ଉଲ୍ଲଂଘନ କରି ଏକପାଖିଆ ଭାବେ ୨୭.୪୮ ମିଲିୟନ୍‌ ଏକର ଫୁଟ ପାଣି ଉପଯୋଗ ପାଇଁ ଚକ୍ରାନ୍ତ କରିଛି। ଛତିଶଗଡ଼ରେ ହେବାକୁ ଥିବା ନିର୍ବାଚନକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଛତିଶଗଡ଼ ସରକାରକୁ ବ୍ୟାରେଜ୍‌ ନିର୍ମାଣ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଉନାହାନ୍ତି।

ସାଂସଦ ପିନାକୀ ମିଶ୍ର କହିଥିଲେ, ଓଡ଼ିଶା ପ୍ରତି ଅବିଚାର ହିଁ ବିଜେପିର ବିଚାର ନୀତି ପାଲଟିଛି। ୨୦ ସେପ୍ଟେମ୍ବର ୨୦୧୭ରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗ ଛତିଶଗଡ଼ର ଜଳସଂପଦ ବିଭାଗ ସଚିବଙ୍କୁ ଚିଠି ଲେଖିଥିଲେ। ଜଳସେଚନର ଆଳ ଦେଖାଇ ଶିଳ୍ପାଞ୍ଚଳକୁ ପାଣି ଯୋଗାଇ ଦେବାକୁ ଚାହୁଁଛନ୍ତି କି? ପ୍ରତ୍ୟେକ ବ୍ୟାରେଜ୍‌ରେ କେତେ ଶିଳ୍ପକୁ ପାଣି ଯୋଗାଇ ଦିଆଯାଉଛି, ତାହା ମଧ୍ୟ ସେ ଚିଠିରେ ଉଲ୍ଲେଖ କରିଥିଲେ। ଏଥିରୁ ସ୍ପଷ୍ଟ ହେଉଛି, ଛତିଶଗଡ଼ ସରକାର ଏ ପର୍ଯ୍ୟନ୍ତ ଯାହା ତଥ୍ୟ ଦେଇଆସିଛନ୍ତି ସଂପୂର୍ଣ୍ଣ ମିଥ୍ୟା। ପ୍ରକୃତ ସତ୍ୟ ହେଉଛି ଛତିଶଗଡ଼ର ବିଜେପି ସରକାର ସାମୋଡ଼ା ବ୍ୟାରେଜ୍‌ରୁ ଥର୍ମାଲ ପାୱାର ପ୍ଲାଣ୍ଟ୍‌ ଅଫ୍‌ ଜିଏମ୍‌ଆର୍‌ ଏନର୍ଜି ଲିଃ ରାଇଖେଦାକୁ ପାଣିଯୋଗାଇ ଦେଉଥିବା ବେଳେ ସେଓରିନାରାୟଣ ବ୍ୟାରେଜ୍‌ରୁ ଜିନ୍ଦଲ ଷ୍ଟିଲ୍‌ ପାୱାର ଲିଃ, କର୍ଣ୍ଣାଟକ ପାୱାର ଲିଃ ଓ କେଏସ୍‌କେ ମହାନଦୀ କମ୍ପାନୀ ଲିଃକୁ ପାଣି ଯୋଗାଇ ଦିଆଯାଉଛି। ସେହିପରି ବସନ୍ତପୁର ବ୍ୟାରେଜ୍‌ରୁ ୭ଟି କମ୍ପାନିକୁ ପାଣି ଯୋଗାଇ ଦିଆଯାଉଛି। ମିରୋନୀ ବ୍ୟାରେଜ୍‌ରୁ ୮ଟି କମ୍ପାନିକୁ ପାଣି ଯୋଗାଇ ଦିଆଯାଉଛି। ସାର୍‌ଡିହା ବ୍ୟାରେଜ୍‌ରୁ ମଧ୍ୟ ୮ଟି କମ୍ପାନିକୁ ପାଣି ଯୋଗାଇ ଦିଆଯାଉଛି। ସାଂସଦ ଶ୍ରୀ ଦେବ କହିଥିଲେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ଜଳସଂପଦ ବିଭାଗର ଦାୟିତ୍ୱ ନେବା ପରେ ଓଡ଼ିଶା ପ୍ରତି ଅବିଚାର ନକରି କିଛି ଠୋସ୍‌ ପଦକ୍ଷେପ ନେବେ। ମାତ୍ର କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି କେବଳ ଏକ ଚକ୍ରାନ୍ତ ବୋଲି ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ କହିଛନ୍ତି। ବିଜେଡି ଭାରତୀୟ ଜନତା ପାର୍ଟିର ଚକ୍ରାନ୍ତକୁ ପଣ୍ଡ କରିବା ପାଇଁ ଜନମତ ଲଢ଼େଇ ସହ ନ୍ୟାୟିକ ଲଢ଼େଇ ଜାରି ରଖିବ ବୋଲି ଶ୍ରୀ ଦେବ କହିଥିଲେ।

ଚାଷୀ ନୁହେଁ, ରାଜନୈତିକ ଚାଲ: ବିଜେପି

ଭୁବନେଶ୍ୱର : ଓଡିଆ ଚାଷୀଙ୍କ ଚାଷ ପାଇଁ ଜଳସେଚନର ଆବଶ୍ୟକତା ମେଣ୍ଟାଇବା ପାଇଁ ନୁହେଁ ବରଂ ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ମହାନଦୀକୁ ବିଜେଡି ପ୍ରସଙ୍ଗ କରୁଛି ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ତତ୍କାଳୀନ ଜଳସଂପଦ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ଓ ବର୍ତମାନର ଜଳସଂପଦ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କେହି ବି ଟ୍ରିବ୍ୟୁନାଲ ଗଠନକୁ ବିରୋଧ କରି ନାହାନ୍ତି । ଶ୍ରୀ ଗଡକରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ମହାନଦୀ ବିବାଦର ସମାଧାନ ପାଇଁ ଆପୋସ ବୁଝାମଣା କରିବାକୁ ପରାମର୍ଶ ଦେଇଛନ୍ତି ।

ବିଜେପି କହିଛି, ପୂର୍ବରୁ ଜଳ ବିବାଦ ପ୍ରସଙ୍ଗରେ ୮ ଟି ଟ୍ରିବ୍ୟୁନାଲ ଗଠନ ହୋଇଥିବାବେଳେ ମାତ୍ର ୩ ଟି ରାୟକୁ ଉଭୟ ପକ୍ଷ ଗ୍ରହଣ କରିଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଟ୍ରିବ୍ୟୁନାଲ ଗଠନ ସବୁ ସମସ୍ୟାର ସମାଧାନ ନୁହେଁ । ଅନ୍ୟପକ୍ଷରେ ଟ୍ରିବ୍ୟୁନାଲ ଗଠନ ହେଲେ ଛତିଶଗଡରେ ନିର୍ମାଣାଧୀନ ବନ୍ଧ ବନ୍ଦ ହେବ ବୋଲି ଓଡିଶା ସରକାର ଯେଉଁ ଯୁକ୍ତି ରଖିଛନ୍ତି ତାହା ସଂପୂର୍ଣ୍ଣ ଅଯୌକ୍ତିକ ବୋଲି ଦଳ ଯୁକ୍ତି ରଖିଛି।

ବିଜେପି କହିଛି, ଜଳ ବିବାଦ ଇତିହାସରେ ଆନ୍ତଃ ରାଜ୍ୟ ଜଳ ବିବାଦ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ବା ଟ୍ରିବ୍ୟୁନାଲ କୌଣସି ବି ରାଜ୍ୟରେ ଗୋଟିଏ ନିର୍ମାଣାଧୀନ ବନ୍ଧକୁ ବନ୍ଦ କରିବାକୁ ନିର୍ଦେଶ ଦେବାର ଉଦାହରଣ ନାହିଁ। ଅପରପକ୍ଷରେ କେନ୍ଦ୍ରମନ୍ତ୍ରୀ ସଂସଦରେ ସ୍ପଷ୍ଟ କରିଛନ୍ତି ଯେ ରାବି, ବ୍ୟାସ ଓ କାବେରୀ ଜଳ ବିବାଦରେ ଟ୍ରିବ୍ୟୁନାଲ ୨୭-୩୦ ବର୍ଷ ଧରି ହେଲାଣି ନିଷ୍ପତ୍ତି ନେବାରେ ବିଫଳ ହୋଇଛନ୍ତି । ଯେହେତୁ ବର୍ତମାନ ଟ୍ରିବ୍ୟୁନାଲ ଆଇନରେ ସମୟ ସୀମା ନାହିଁ, ଏଣୁ ଗଠିତ ଟ୍ରିବ୍ୟୁନାଲଗୁଡିକରେ ନ୍ୟାୟ ଲମ୍ବା ସମୟ ଧରି ପଡି ରହୁଛି।

ବିଜେପି ଓଲଟା କହିଛି, ଅନ୍ୟକୁ ଦୋଷ ଦେଉଥିବା ଏବଂ ଚାଷୀ ହକ୍‌ର ବିରୋଧୀ ବିଜେଡି ସରକାର ହୀରାକୁଦ ଓ ସମଲ ବ୍ୟାରେଜରୁ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଜଳରୁ କେତେ ଜଳ ଶିଳ୍ପ ସଂସ୍ଥା ମାନଙ୍କ ହାତରେ ଟେକି ଦେଇଛି ତାହା ପ୍ରଥମେ ସ୍ପଷ୍ଟ କରନ୍ତୁ। ହୀରାକୁଦର ତଳ ମୁଣ୍ଡରେ ତେଲ, ଇବ ଓ ହାତୀ ଆଦି ନଦୀରୁ ଆରମ୍ଭ କରି ତଳମୁଣ୍ଡରେ କାଠଯୋଡି, ଦେବୀ ଓ ସମୁଦ୍ର ମୁହାଣ ପର୍ଯ୍ୟନ୍ତ ଲମ୍ବିଥିବା ବିଭିନ୍ନ ଶାଖା ନଦୀ ଗୁଡିକରେ ବର୍ଷା ଦିନେ ସମୁଦ୍ରକୁ ବହିଯାଉଥିବା ପାଣିକୁ ସୁବିନିଯୋଗ କରି ଅଣ ମୈାସୁମୀ ସମୟରେ ଚାଷୀଙ୍କ କାମରେ ଲଗାଇବା ପାଇଁ କଣ ବ୍ୟବସ୍ଥା ରାଜ୍ୟ ସରକାର କରିଛନ୍ତି ? ସେ ତଥ୍ୟ ବି ଦିଅନ୍ତୁ। ଏହି ସାମ୍ବାଦିକ ସମ୍ମଳନୀରେ ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ପ୍ରସାଦ ମହାପାତ୍ର ଏବଂ କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର