ମହାନଦୀ ସୁରକ୍ଷା ପାଇଁ ସଂକଳ୍ପ ନେଲେ

କଟକରେ ମହାନଦୀ ସୁରକ୍ଷା ଅଭିଯାନ ଟିମ୍‌, ହଜାର ହଜାର ଲୋକ ସାମିଲ; ସଭା, ଶୋଭାଯାତ୍ରା

କଟକ/ଭାପୁର : ମହାନଦୀ କେବଳ ଆମ ଜୀବନଜୀବିକାର ମାଧ୍ୟମ ନୁହେଁ, ଏହା ଆମ ସଂସ୍କୃତି, ପରମ୍ପରାର ପ୍ରତୀକ। ମହାନଦୀର ଜଳପ୍ରବାହକୁ ଯେଉଁଭଳି ଭାବେ ଛତିଶଗଡ ରୋକିଛି, ତାକୁ ବରଦାସ୍ତ କରାଯିବନି।

ଏଭଳି ବାର୍ତ୍ତା ନେଇ ସଂକଳ୍ପ ସଭା ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭଟ୍ଟାରିକା, କରଡିବନ୍ଧ, ଗୋପୀନାଥପୁର ଗ୍ରାମବାସୀ ଦେଇଥିଲେ ସଂକଳ୍ପପତ୍ର। ତା’ସହିତ ମା’ ଭଟ୍ଟାରିକାଙ୍କ ପୀଠରେ ସମୂହ ଦୀପଦାନ ସହିତ ମହାନଦୀ ଆଳତୀ ହୋଇଥିଲା। ଆଜି କଟକ ଜିଲ୍ଲାର ବଡମ୍ବା, ତିଗିରିଆ, ଆଠଗଡ, ବାଙ୍କୀ ବ୍ଲକ୍‌ର ୨୦ରୁ ଉର୍ଦ୍ଧ୍ୱ ପଂଚାୟତ ଅତିକ୍ରାନ୍ତ କରିଥିଲା ମହାନଦୀ ବଂଚାଅ ସୁରକ୍ଷା ଅଭିଯାନ। ଏଥିରେ ବଡମ୍ବା ବ୍ଲକ୍‌ର ୧୨ଟି ପଞ୍ଚାୟତରେ ମହାନଦୀ ସୁରକ୍ଷା ବାର୍ତ୍ତା ପହଞ୍ଚାଇଥିଲେ ଅଭିଯାତ୍ରୀ ଦଳ।

ସେପଟେ ବିଜେଡି ଉପସଭାପତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଆସୁଥିବା ମହାନଦୀ ସୁରକ୍ଷା ଅଭିଯାନ ନୟାଗଡ ଜିଲ୍ଲା କଣ୍ଟିଲୋରୁ ବାହାରି ଭାପୁର ଅଭିମୁଖେ ଆସିଥିଲା ଓ ସ୍ଥାନୀୟ କାଳିଗିରି ଉପନଦୀଠାରୁ କଟକ ଜିଲ୍ଲାର ନେତୃମଣ୍ଡଳୀ ମହାନଦୀ ସୁରକ୍ଷା ଅଭିଯାନର ଯାତ୍ରାକୁ ସ୍ୱାଗତ କରିଥିଲେ।

ଆଜି ପଞ୍ଚମ ଦିନରେ ବଡମ୍ବାର ଭଟ୍ଟାରିକା ପୀଠରୁ ଆରମ୍ଭ ହୋଇଥିବା ମହାନଦୀ ସୁରକ୍ଷାଯାତ୍ରା କଙ୍କଡାଯୋରୀ, ଗୋପୀନାଥପୁର, କରଡିବନ୍ଧ, ନୂଆପାଟଣା, ତିଗିରିଆ, ବାଙ୍କୀ ବ୍ଲକ୍‌ ( ଗୋଟିଏ ପାର୍ଶ୍ୱ) ପରିକ୍ରମା କରିଥିଲା। ବାଙ୍କୀରେ ସାଧାରଣ ସଭା ହୋଇଥିଲା। ପୂର୍ବତନ ମନ୍ତ୍ରୀ ତଥା ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ସକାଳୁ ବଡମ୍ବାର ଭଟ୍ଟାରିକା ପୀଠରୁ ଆୟୋଜିତ ସଂକଳ୍ପ ଯାତ୍ରାରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ରଜନୀ ସିଂହ, ବିଧାୟକ ସୁଶାନ୍ତ ବେହେରା, ଯୁବ ବିଜେଡ଼ି ସଭାପତି ଅମରେଶ ପତ୍ରୀ, ଯୁଗଳ ନାୟକ, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଧର୍ମାନନ୍ଦ ବେହେରା ପ୍ରମୁଖ ଯୋଗଦେଇଥିଲେ।

ନୂଆପାଟଣାରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗଦେଇ ତିଗିରିଆ ବ୍ଲକ୍‌ର ବିଭିନ୍ନ ସ୍ଥାନରେ ପ୍ରତିବାଦ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ମହାନଦୀ ସୁରକ୍ଷା ପାଇଁ ସଂକଳ୍ପ ନେଇଥିଲେ। ସେହିପରି ସଂକଳ୍ପ ଯାତ୍ରାରେ ବାଙ୍କୀ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଉ ଏକ ପ୍ରତିବାଦ ସଭାରେ ସାଂସଦ ଭର୍ତୃହରି ମହତାବ, ରାଜ୍ୟ ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ସାଧାରଣ ସଂପାଦକ ସୁଜିତ ପାଲଟାସିଂହ ମହାନଦୀ ଓଡ଼ିଶାର ଜୀବନରେଖା ବୋଲି କହିଥିଲେ।

ସେପଟେ ନୟାଗଡ ଜିଲ୍ଲାରେ ଗତକାଲି ଅଟକି ରହିଥିବା ମହାନଦୀ ସୁରକ୍ଷା ଅଭିଯାନର ଆଉ ଏକ ପ୍ରତିନିଧି ଦଳ ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକଙ୍କ ନେତୃତ୍ୱରେ କଣ୍ଟିଲୋରୁ ବାହାରି ଭାପୁର ଅଭିମୁଖେ ଆସିଥିଲା। ଭାପୁର ବ୍ଲକ୍‌ର କରବର, ପଦ୍ମାବତୀ, କେନ୍ଦୁପଲ୍ଲୀ, ପଥରଚକଡ଼ା ଏବଂ ଧାନଚାଙ୍ଗଡ଼ା ଆଦି ପଞ୍ଚାୟତର ହଜାର ହଜାର କୃଷକ ତଥା ମତ୍ସ୍ୟଜୀବୀ ସେମାନଙ୍କର ଜୀବିକା ହରାଇ ବସିଥିବା ବେଳେ ଜନଜୀବନର ଆଧାର ବିପର୍ଯ୍ୟସ୍ତ ହୋଇପଡ଼ିଥିବା ନେତାମାନେ ମତପ୍ରକାଶ କରିଥିଲେ।

କଟକ ସହରରେ ‘ମହାନଦୀ ସୁରକ୍ଷା ଅଭିଯାନ’ ଶୋଭାଯାତ୍ରା ପହଞ୍ଚିବା ପରେ ସଂଧ୍ୟା ୭ଟାରେ ନେତାଜୀ ସୁଭାଷ ବୋଷ ବ୍ରିଜ (ଜୁଡିସିଆରି ଏକାଡେମି) ଠାରେ ଶତାଧିକ ବିଜେଡି କର୍ମୀ ବାଇକ ଯୋଗେ ଶୋଭାଯାତ୍ରାରେ ଆସି ପହଞ୍ଚିଥିଲେ। ସେତୁ ନିକଟରେ ଶୋଭାଯାତ୍ରାକୁ କଟକ ବିଜେଡି ପକ୍ଷରୁ ସ୍ୱାଗତ କରାଯାଇଥିଲା। ଏଠାରେ ଛତିଶଗଡ଼ ସରକାର ମହାନଦୀର ଜଳକୁ ନିୟନ୍ତ୍ରଣ କରି ରଖିଥିବା ବେଳେ ଏହାର କୁପ୍ରଭାବ ଓଡ଼ିଶା ଉପରେ ପଡୁଥିବାରୁ ବାଲୁକା କଳା ଦ୍ୱାରା ଏହା ପ୍ରଦର୍ଶିତ ହୋଇଥିଲା। ଏହାକୁ ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ ଉଦ୍‌ଘାଟନ କରିଥିଲେ।

ଏହି ଶୋଭାଯାତ୍ରା ଚାନ୍ଦିନୀଚୌକ, ମହମ୍ମଦିଆ ବଜାର, ଶେଖ୍‌ ବଜାର, ଚଣ୍ଡିଛକ, ମିସନ୍‌ ରୋଡ, ଓ୍ଵାଇଏମ୍‌ସିଏ ରୋଡ ଦେଇ ଗଡ଼ଗଡ଼ିଆ ଘାଟରେ ପହଞ୍ଚିବା ପରେ ସେଠାରେ ଆଳତି କରାଯାଇଥିଲା। କାଳବୈଶାଖୀ ଯୋଗୁଁ ଗଡ଼ଗଡ଼ିଆ ଘାଟରେ ହେବାକୁ ଥିବା ଦୀପଦାନ ଓ ସାଧାରଣ ସଭାକୁ ସ୍ଥଗିତ ରଖାଯାଇଛି।

କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନା, ସାଂସଦ ଶ୍ରୀ ମହତାବ, ବିଧାୟକ ପ୍ରଭାତ ତ୍ରିପାଠୀ, ପ୍ରସନ୍ନ ଆଚାର୍ଯ୍ୟ, ଉଷା ଦେବୀ, ସିଏମ୍‌ସି ମେୟର ମିନାକ୍ଷୀ ବେହେରା, ଡେପୁଟି ମେୟର ଅଜୟ ବାରିକ, ପୂର୍ବତନ ମେୟର ସୌମେନ୍ଦ୍ର ଘୋଷ, ଯୁବ ବିଜେଡି ରାଜ୍ୟ ମହାସଚିବ ଶିଶିର ପରିଜା, ସଭାପତି ଜ୍ଞାନେନ୍ଦ୍ର ଗିରି ଗୋସ୍ୱାମୀ ପ୍ରମୁଖ ଉପସ୍ଥିତ ଥିଲେ। ମହାନଦୀକୁ ସରୁକ୍ଷା ଦେବାକୁ ବିଜେଡିର ନେତା, ବିଧାୟକଙ୍କ ସହିତ ଶତାଧିକ କର୍ମୀ ଗଡ଼ଗଡ଼ିଆ ମନ୍ଦିରରେ ଶପଥ ନେଇଥିଲେ। ବାଙ୍କୀରୁ ଆସିଥିବା ଶୋଭାଯାତ୍ରା ଆସନ୍ତାକାଲି ସକାଳ ୯ଟାରେ ଗଡ଼ଗଡ଼ିଆ ଘାଟରୁ ଫୁଲନଖରା ଦେଇ ଭୁବନେଶ୍ୱରକୁ ଯିବ।

ସମ୍ବନ୍ଧିତ ଖବର