ନିଜ ନିଜର ପ୍ରତିନିଧି ମନୋନୀତ କରିବାକୁ  ୫ଟି ରାଜ୍ୟକୁ ମହାନଦୀ ଟ୍ରିବୁନାଲର ନିର୍ଦ୍ଦେଶ

ଭୁବନେଶ୍ୱର : ମହାନଦୀ ଜଳବିବାଦ ଟ୍ରିବୁନାଲରେ ନିଜ ନିଜର ପ୍ରତିନିିଧିମାନଙ୍କୁ ମନୋନୀତ କରିବାକୁ ଟ୍ରିବୁନାଲ ପକ୍ଷରୁ ଓଡ଼ିଶା, ଛତିଶଗଡ଼, ମହାରାଷ୍ଟ୍ର, ଝାଡ଼ଖଣ୍ଡ  ଓ ମଧ୍ୟପ୍ରଦେଶ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଅଗଷ୍ଟ ୬, ୨୦୧୮ ସୁଦ୍ଧା ନିଜର ପ୍ରତିନିଧି ମନୋନୟନ କାର୍ଯ୍ୟ ଚୂଡାନ୍ତ କରିବାକୁ ଏହି ନୋଟିସରେ କୁହାଯାଇଛି । ଅନ୍ତଃରାଜ୍ୟ ନଦୀଜଳ ବିବାଦ ଆଇନ ୧୯୫୬ ର ନିୟମ ୪ ଅନୁସାରେ ଜାରି ଏହି ନୋଟିସରେ ଆହୁରି ମଧ୍ୟ କୁହାଯାଇଛି ଯେ ଏହି ଶେଷତାରିଖ ସୁଦ୍ଧା କୌଣସି ରାଜ୍ୟ ନିଜର ପ୍ରତିନିଧି ପଠାଇବାକୁ ବିଫଳ ହେଲେ, ଉକ୍ତ ରାଜ୍ୟ ଅନୁପସ୍ଥିତ ରହିଲା ବୋଲି କୁହାଯିବ ।

ମହାନଦୀ ଜଳ ଆବଣ୍ଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ  କେନ୍ଦ୍ର ସରକାର ଗତ ମାର୍ଚ୍ଚ ୧୨ରେ ମହାନଦୀ ଜଳ ବିବାଦ ଟ୍ରିବୁନାଲ ଗଠନ କରିଥିଲେ । କେନ୍ଦ୍ର ଜଳସମ୍ପଦ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଖାନଓ୍ଵିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟ୍ରିବୁନାଲରେ ପାଟନା ହାଇକୋର୍ଟ ଜଜ୍‌ ଜଷ୍ଟିସ ଡଃ ରବି ରଂଜନ ଓ ଦିଲ୍ଲୀ ହାଇକୋର୍ଟ ଜଜ୍‌ ଜଷ୍ଟିସ ଇନ୍ଦରମିତ କୌର କୋଚାର ସଦସ୍ୟ ଅଛନ୍ତି । ଏହି ଟ୍ରିବୁନାଲର ମୁଖ୍ୟାଳୟ ନୂଆଦିଲ୍ଲୀଠାରେ ରହିଛି । ଏହି ଟ୍ରିବୁନାଲ ଗଠନ ପାଇଁ  ଦାବି କରି ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଏକ ରିଟ୍‌ ପିଟିସନ ଦାଏର କରିଥିଲେ । ଏହି ମାଲାର ଶୁଣାଣୀ କରି ସୁପ୍ରିମକୋର୍ଟ ଗତ ଜାନୁୟାରୀ ୨୩ରେ ଏକ ଜଳବିବାଦ ଟ୍ରିବୁନାଲ ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

 

ସମ୍ବନ୍ଧିତ ଖବର