ଧରାପଡ଼ିଲା କେନ୍ଦ୍ରର ଚାଲ୍‌

ସଂସଦରେ ଗୋଟିଏ କଥା, ସତ୍ୟପାଠରେ ଆଉ ଗୋଟିଏ

ଭୁବନେଶ୍ୱର : ୨୦୧୭ ଜୁଲାଇ ୩୧ ତାରିଖ। ରାଜ୍ୟସଭା ସାଂସଦ ଏ ଭି ସ୍ୱାମୀ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ଆବଣ୍ଟନ ସଂପର୍କରେ ପ୍ରଶ୍ନ ପଚାରିଥିଲେ। ପ୍ରଶ୍ନର ଉତ୍ତର ଦେଇଥିଲେ ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ସଞ୍ଜୀବ କୁମାର ବାଲ୍ୟାନ। କହିଥିଲେ, ମହାନଦୀ ବିବାଦ ବୁଝାମଣା ଦ୍ୱାରା ସମ୍ଭବ ନୁହେଁ। ଏହି ବିବାଦର ସମାଧାନ ଲାଗି ଟ୍ରିବ୍ୟୁନାଲ ଗଠନ କରାଯିବ। ଏଥିଲାଗି ଚିଠା କ୍ୟାବିନେଟ୍‌ ନୋଟ୍‌ ପ୍ରସ୍ତୁତ କରାଯାଇଛି। ୨୦୧୭ ଅଗଷ୍ଟ ୧୦ ତାରିଖ। ଲୋକସଭା ସାଂସଦ ନଗେନ୍ଦ୍ର କୁମାର ପ୍ରଧାନଙ୍କ ସମେତ ୯ ଜଣ ସାଂସଦ ମଧ୍ୟ ମହାନଦୀ ସଂପର୍କରେ ପ୍ରଶ୍ନ କରିଥିଲେ। ଉତ୍ତର ଦେଇଥିଲେ ରାଷ୍ଟ୍ରମନ୍ତ୍ରୀ ବାଲ୍ୟାନ। ସମାନ କଥା ଦୋହରାଇଥିଲେ। କହିଥିଲେ, ମହାନଦୀ ମହାବିବାଦ ଆପୋଷ ଆଲୋଚନାରେ ସମାଧାନ ହେବ ନାହିଁ। ଏଣୁ ଏହି ବିବାଦର ସମାଧାନ ଲାଗି ଟ୍ରିବ୍ୟୁନାଲ ଗଠନ ପାଇଁ ନିଷ୍ପତ୍ତି ହୋଇଛି ଓ ଚିଠା କ୍ୟାବିନେଟ୍‌ ନୋଟ୍‌ ପ୍ରସ୍ତୁତ କରାଯାଇଛି।

୨୦୧୭ ଡିସେମ୍ବର ୪ ତାରିଖ। ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ସତ୍ୟପାଠ କରି କହିଛନ୍ତି, ଅନ୍ତଃରାଜ୍ୟ ଜଳ ବିବାଦ ଆଇନ୍‌ରେ ବୁଝାମଣା ଜରିଆରେ ବିବାଦର ସମାଧାନ ବ୍ୟବସ୍ଥା ରହିଛି। ଏମିତିରେ ବି ଟ୍ରିବ୍ୟୁନାଲ ଗଠନ କୌଣସି ଫଳପ୍ରଦ ହେବ ନାହିଁ। ମାମଲାର ସମାଧାନ ବୁଝାମଣା ଜରିଆରେ ହୋଇପାରିବ। ୧୯୮୩ର ମେମୋରାଣ୍ଡମ୍‌ ଅଫ୍‌ ଏଗ୍ରିମେଣ୍ଟ୍‌ ଅନ୍ତର୍ଗତ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ କରାଯାଇ ସମାଧାନ କରାଯିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ। ସର୍ବୋଚ୍ଚ ନ୍ୟାୟାଳୟରେ ମହାନଦୀ ଜଳ ବିବାଦକୁ ନେଇ ଯେଉଁ ମୂଳ ଆବେଦନ ଓଡ଼ିଶା ସରକାର ଦାଖଲ କରିଛନ୍ତି, ତାକୁ ଜରିମାନା ସହ ଖାରଜ କରିଦିଆଯାଉ। କେବଳ ସେତିକି ନୁହେଁ, ଓଡ଼ିଶା ସରକାର ଯେଉଁ ଅଭିଯୋଗ ଆଣୁଛନ୍ତି, ତାହା ତଥ୍ୟ ଉପରେ ଆଧାରିତ ନୁହେଁ। ଅଭିଯୋଗ ସପକ୍ଷରେ ତଥ୍ୟ ପ୍ରମାଣ କିଛି ବି ଦିଆଯାଇନାହିଁ। ଏପରିକି ଓଡ଼ିଶାର ଅଧିକାର ପ୍ରଭାବିତ ହୋଇଛି ବୋଲି ଯେଉଁ ଅଭିଯୋଗ ଅଣାଯାଇଛି, ସେ ସଂକ୍ରାନ୍ତରେ ବି ପ୍ରମାଣ ଦିଆଯାଇନାହିଁ।

ଏ ମଧ୍ୟରୁ କେଉଁଠି ଠିକ୍‌? ରାଜ୍ୟସଭା ଓ ଲୋକସଭାରେ କେନ୍ଦ୍ରମନ୍ତ୍ରୀଙ୍କ ବକ୍ତବ୍ୟ ନା ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠକୁ ବିଶ୍ୱାସ କରାଯିବ? ଥରେ ଗୃହକୁ ଗୋଟିଏ ତଥ୍ୟ ଦେବା ପରେ ସୁପ୍ରିମ କୋର୍ଟ ବେଳକୁ କେନ୍ଦ୍ର ସରକାର ଏହା ବଦଳାଇଲେ କାହିଁକି?

ମହାନଦୀ ଜଳବିବାଦ ସଂପର୍କରେ କେନ୍ଦ୍ର ସରକାରଙ୍କ ସତ୍ୟପାଠକୁ ନେଇ ଏମିତି ଅନେକ ପ୍ରଶ୍ନ ଏବେ ମୁଣ୍ଡ ଟେକିଲାଣି। ଓଡ଼ିଶାର ସ୍ୱାର୍ଥ ପ୍ରସଙ୍ଗରେ କେନ୍ଦ୍ରର ଦୋମୁହାଁ ନୀତିକୁ ଏହି ଘଟଣା କେବଳ ପଦାକୁ ଟାଣି ଆଣିଛି ତା ନୁହେଁ, ଯୁକ୍ତିର ବୈଧତାକୁ ନେଇ ମଧ୍ୟ ବିବାଦ ଦାନା ବାନ୍ଧିଲାଣି। ବିଶେଷଜ୍ଞମାନଙ୍କର କହିବା କଥା ହେଉଛି, କେନ୍ଦ୍ର ସରକାରଙ୍କ ସତ୍ୟପାଠ ସୂଚାଇ ଦେଉଛି, ମହାନଦୀ ନେଇ ତାଙ୍କ ଆଭିମୁଖ୍ୟ ମନ୍ଦ। କାରଣ, ବର୍ଷେ ହେଲାଣି ଏ ସଂକ୍ରାନ୍ତ ଆବେଦନ କେନ୍ଦ୍ର ନିକଟରେ ପଡ଼ିରହିଛି। ଥରେ ହେଲେ ବି କେନ୍ଦ୍ର ସରକାର ତଥ୍ୟ ନଥିବା କଥା କହିନାହାନ୍ତି। ଏମିତିରେ ବି ତଥ୍ୟକୁ ଆଳ କରି ଟ୍ରିବ୍ୟୁନାଲ ଗଠନକୁ କେନ୍ଦ୍ର ଅଟକାଇବାର କ୍ଷମତା ନାହିଁ। କାରଣ ଆଇନରେ ସ୍ପଷ୍ଟ ଲେଖାଯାଇଛି ଯେ ଆବେଦନର ବର୍ଷେ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ କରିବାକୁ କେନ୍ଦ୍ର ବାଧ୍ୟ। ଟ୍ରିବ୍ୟୁନାଲ ହିଁ ତଥ୍ୟ ମାଗିପାରିବେ ଓ ଏହା ପର୍ଯ୍ୟାପ୍ତ ନ ହେଲେ ଆବେଦନକୁ ଖାରଜ କରିପାରନ୍ତି।

ଦ୍ୱିତୀୟତଃ, ରାଜ୍ୟ ସରକାର ୨୦୧୬ ନଭେମ୍ବର ୧୯ ତାରିଖରେ କେନ୍ଦ୍ର ନିକଟରେ ଟ୍ରିବ୍ୟୁନାଲ ଗଠନ ପାଇଁ ଯେଉଁ ଆବେଦନ କରିଛନ୍ତି, ତା ସହିତ ୭୦୦ ପୃଷ୍ଠାର ତଥ୍ୟ ଦିଆଯାଇଛି। ଯଦି ତଥ୍ୟ ନାହିଁ, ତେବେ ରାଜ୍ୟ ସରକାରଙ୍କ ଆବେଦନ ପତ୍ର କଣ କେବଳ କାଗଜ ଟୁକୁଡା? ଏ ନେଇ କୋର୍ଟରେ ପୂର୍ବରୁ କେନ୍ଦ୍ର ଯୁକ୍ତି ରଖିଥିଲା କି?

ତୃତୀୟତଃ, ଯେଉଁ କମିଟିକୁ ରାଜ୍ୟ ସରକାର ବର୍ଜନ କରିଛନ୍ତି ବା ଗ୍ରହଣ କରିନାହାନ୍ତି, ସେ କମିଟିକୁ ତଥ୍ୟ କାହିଁକି ଦିଆଯାଇଥାନ୍ତା। ସେହିଭଳି କେନ୍ଦ୍ର ସରକାର ନିଜେ ସଂସଦରେ ବିବାଦର ଆପୋଷ ସମାଧାନ ହୋଇପାରିବ ନାହିଁ ସୂଚାଇବା ସହିତ ଟ୍ରିବ୍ୟୁନାଲ ଗଠନ କଥା କହିଛନ୍ତି। ଥରେ ଏକଥା ସଂସଦରେ ମତ ରଖିବା ପରେ କେଉଁ ତଥ୍ୟ ବଳରେ ପୁଣି ଆପୋଷ ଆଲୋଚନାର ସୁଯୋଗ ରହିଥିବା କହୁଛନ୍ତି?

ଏଠାରେ ଉଲ୍ଲେଖଥାଉକି, କେନ୍ଦ୍ର ସରକାର ଏକକ ଟ୍ରିବ୍ୟୁନାଲ ଗଠନ ପ୍ରସ୍ତାବ ସଂପର୍କରେ ମଧ୍ୟ ଅତିରିକ୍ତ ନିବେଦନ ଜରିଆରେ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଅର୍ଥାତ୍‌ ମହାନଦୀ ପାଇଁ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନ ହେବାର ନାହିଁ, ଏକଥା ଅନୁମେୟ ବୋଲି ବିଶେଷଜ୍ଞ ମହଲ ବିଚାର କରୁଛନ୍ତି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟ ସରକାର ଏହି ମାମଲାରେ ଦିନେ ଦୁଇ ଦିନ ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ରାୟ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିପାରନ୍ତି। ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସେପଟେ ଆସନ୍ତା ୧୧ ତାରିଖରେ ସୁପ୍ରିମକୋର୍ଟରେ ମହାନଦୀ ଜଳବିବାଦ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ବିଚାରପତି ଏସ୍‌ ଏ ବବ୍‌ଡେ, ବିଚାରପତି ଏଲ୍‌ ନାଗେଶ୍ୱର ରାଓଙ୍କ ଖଣ୍ଡପୀଠରେ ଏହି ଶୁଣାଣି କରାଯିବ। ଅକ୍ଟୋବର ୯ ତାରିଖରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ଯେ ନଭେମ୍ବର ୧୯ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ କରାଯିବ। ମାତ୍ର ପରେ ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ ଅନାବଶ୍ୟକ ବୋଲି ସୂଚାଇଛନ୍ତି। ଏପରି ପରିସ୍ଥିତିରେ ଆସନ୍ତା ସୋମବାରର ଶୁଣାଣିକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଏହି ଦିନ କେନ୍ଦ୍ର ସରକାରଙ୍କ ସତ୍ୟପାଠକୁ ଚ୍ୟାଲେଞ୍ଜ କରି ଜୋରଦାର ଯୁକ୍ତି ଉପସ୍ଥାପନ କରିବା ପାଇଁ ସରକାରୀ ସଜବାଜ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର