୧୧ରୁ କଲମାରୁ ପୁରୀ ଯାଏ ମହାନଦୀ ବଞ୍ଚାଅ ଯାତ୍ରା

ଆଜିଠାରୁ ଆରମ୍ଭ ହେଲା ଦସ୍ତଖତ ଅଭିଯାନ

ଭୁବନେଶ୍ୱର : ମହାନଦୀ ଉପରେ ନିର୍ମିତ ୬ଟି ବ୍ୟାରେଜ୍‌ ଦ୍ୱାରା ମହାନଦୀ ତଳମୁଣ୍ଡର ପ୍ରଭାବିତ ହେଉଛି। ମହାନଦୀ ଶୁଖିଲା ପଡ଼ିଛି। ବିଶେଷକରି କଲମା ବ୍ୟାରେଜ୍‌ର ୬୫ଟି ଗେଟ୍‌ ବନ୍ଦ ହେବା ଦ୍ୱାରା ହୀରାକୁଦକୁ ପାଣି ନିଷ୍କାସିତ ହେଉ ନାହିଁ। ହୀରାକୁଦ ଜଳଭଣ୍ଡାର ଜଳସ୍ତର କମିଯାଇଛି। ଯେଉଁଥିପାଇଁ ଭବିଷ୍ୟତରେ ୧୫ଟି ଜିଲ୍ଲାରେ ଜଳ ସଙ୍କଟ ସୃଷ୍ଟି ହେବା ଆଶଙ୍କା ପ୍ରକାଶ ପାଇଛି। ବିଦ୍ୟୁତ ଉତ୍ପାଦନ ଓ ଜଳସେଚନ ପ୍ରଭାବିତ ହେବା ସହ ପିଇବା ପାଣି ମିଳିବ ନାହିଁ। ତେଣୁ କଲମାର ସମସ୍ତ ଗେଟ୍‌ ଖୋଲା ରଖିବା ପାଇଁ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଦାବି କରାଯାଇଛି।

ଛତିଶଗଡ଼ର ମନମୁଖୀ କାର୍ଯ୍ୟକୁ ବିରୋଧ କରି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆଜିଠାରୁ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ଦାବିପତ୍ର ଉପରେ ଦସ୍ତଖତ ଅଭିଯାନ କରିବା ସହ ପୋଷ୍ଟକାର୍ଡ ମାଧ୍ୟମରେ ଦାବି ଜଣାଇବା ପାଇଁ ଲୋକଙ୍କୁ ଆହ୍ଵାନ କରାଯାଇଛି। ଏଥିସହ ଆସନ୍ତା ୧୧ ତାରିଖଠାରୁ କଲମାଠାରୁ ପୁରୀ ପର୍ଯ୍ୟନ୍ତ ମହାନଦୀ ବଞ୍ଚାଅ ଯାତ୍ରା ଅନୁଷ୍ଠିତ ହେବ। ୧୧ ତାରିଖ ସକାଳେ ଏକ ପ୍ରତିନିଧି ଦଳ କଲମାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବେ। ଏହାପରେ ଭଟଲି, ବରଗଡ଼, ବୁର୍ଲା, ସମ୍ବଲପୁର, ସୋନପୁର, ବୌଦ୍ଧ, ଆଠମଲ୍ଲିକ, ବାଙ୍କୀ, ନରସିଂହପୁର, ବଡମ୍ବା, ଆଠଗଡ଼, କଟକ, ଜଗତ୍‌ସିଂହପୁର, ନିମାପଡ଼ା ଦେଇ ୧୫ ତାରିଖରେ ପୁରୀରେ ପହଞ୍ଚିବେ। ଏଥିରେ ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଙ୍ଗଠନ ଓ ବ୍ୟକ୍ତିବିଶେଷ ସାମିଲ ହେବାକୁ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ଲଳିତ ପଟ୍ଟନାୟକ, ବାସୁଦେବ ଭଟ୍ଟ, ପ୍ରସନ୍ନ ବିଶୋଇ, ନିରଦ ଖୁଣ୍ଟିଆ, ବିଜୟ ପ୍ରଧାନ, ଅଶୋକ ପାଇକରାୟ ପ୍ରମୁଖ ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର