ସେପ୍ଟେମ୍ବର ୨୯ରୁ ମହାନଦୀ ଶୁଣାଣି : ଏବେ ବଳ ପରୀକ୍ଷା

ନୂଆଦିଲ୍ଲୀରେ ଖୋଲିବ ସ୍ୱତନ୍ତ୍ର ସେଲ୍‌, ଦାୟିତ୍ୱରେ ରହିବେ ଅଧୀକ୍ଷଣ ଯନ୍ତ୍ରୀ

ଭୁବନେଶ୍ୱର : ମହାନଦୀ ମହାବିବାଦ ମାମଲା ଶେଷରେ ନିର୍ଣ୍ଣାୟକ ମୋଡ଼ ନେବାକୁ ଯାଉଛି। ଓଡ଼ିଶା ସ୍ୱାର୍ଥ ସଂପର୍କିତ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଶୁଣିବା ଲାଗି ଟ୍ରିବ୍ୟୁନାଲ ବାଟ ଖୋଲିଛନ୍ତି। ଆସନ୍ତା ସେପ୍ଟେମ୍ବର ୨୯ ତାରିଖରେ ମହାନଦୀ ଟ୍ରିବ୍ୟୁନାଲ ତାଙ୍କ ଶୁଣାଣି ଆରମ୍ଭ କରିବେ।

କେଉଁଠାରୁ ଶୁଣାଣି ଆରମ୍ଭ ହେବ, ପ୍ରଥମେ ଟ୍ରିବ୍ୟୁନାଲ କ’ଣ ଜାଣିବାକୁ ଚାହୁଁଛନ୍ତି, ସେ ସଂକ୍ରାନ୍ତ ତଥ୍ୟ ଜଣାପଡିନାହିଁ। ମାତ୍ର ଶୁଣାଣି ଲାଗି ଓଡ଼ିଶାକୁ ଟ୍ରିବ୍ୟୁନାଲଙ୍କ ପକ୍ଷରୁ ନୋଟିସ ଜାରି ହୋଇଥିବା ରାଜ୍ୟ ଜଳସଂପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଆଜି ବିଳମ୍ବିତ ସନ୍ଧ୍ୟାରେ ଏହି ଖବର ଆସିଛି। ନୂଆଦିଲ୍ଲୀର ଜନପଥ ପ୍ୟାଲେସ୍‌ର ଚତୁର୍ଥ ମହଲାରେ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟାଳୟ ଖୋଲାଯାଇଛି।

ଅନ୍ୟପକ୍ଷରେ ରାଜ୍ୟ ସରକାର ମଧ୍ୟ ତୁରନ୍ତ ତତ୍ପରତା ଦେଖାଇଛନ୍ତି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବଂଶଧାରା ଟ୍ରିବ୍ୟୁନାଲ ପାଇଁ ଏକ ସେଲ୍‌ ନୂଆଦିଲ୍ଲୀରେ ଖୋଲାଯାଇଛି। ଏହା ପାଖରେ ଆଉ ଏକ ସେଲ୍‌ ଖୋଲାଯିବ, ଯାହା ମହାନଦୀ ପାଇଁ କାର୍ଯ୍ୟ କରିବ। ଏଥିରେ ଅଧୀକ୍ଷଣ ଯନ୍ତ୍ରୀଙ୍କ ପାହ୍ୟାର ଅଧିକାରୀଙ୍କୁ ଦାୟିତ୍ୱରେ ରଖାଯିବ। ମହାନଦୀ ଉପରେ କିଛି ବିଶେଷଜ୍ଞଙ୍କୁ ମଧ୍ୟ ସରକାର ଏଥିରେ ନିଯୁକ୍ତି ଦେବେ। ଏହି ମାମଲାକୁ ଓଡ଼ିଶା ଅତ୍ୟନ୍ତ ଗୁରୁତ୍ୱର ସହିତ ଲଢିବ ବୋଲି ଜଳସଂପଦ ବିଭାଗ ପକ୍ଷରୁ କୁହାଯାଇଛି।

ଗତ ମେ’ ଶେଷ ସପ୍ତାହରେ ମହାନଦୀ ଟ୍ରିବ୍ୟୁନାଲ ଓଡ଼ିଶା ସମେତ ଛତିଶଗଡ, ଝ଼ାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ସରକାରଙ୍କୁ ନୋଟିସ୍‌ କରିଥିଲେ। ସେତେବେଳେ ଟ୍ରିବ୍ୟୁନାଲ ପକ୍ଷ ରଖିବା ଲାଗି ଅଧିକାରୀଙ୍କ ମନୋନୟନ ସଂପର୍କରେ ଜଣାଇବାକୁ କହିଥିଲେ। ଅଗଷ୍ଟ ୬ ତାରିଖ ଶେଷ ତାରିଖ ଥିଲା। ଓଡ଼ିଶା ସରକାର ମୁଖ୍ୟଶାସନ ସଚିବ ଓ ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଏ ଦାୟିତ୍ୱ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟଙ୍କ ନିର୍ଦେଶରେ କେନ୍ଦ୍ର ସରକାର ମହାନଦୀ ମହାବିବାଦ ସମାଧାନ ଲାଗି ଟ୍ରିବ୍ୟୁନାଲ ଗଠନ କରିବାକୁ ବାଧ୍ୟ ହୋଇଛନ୍ତି।

ଜଷ୍ଟିସ ଏ ଏମ୍‌ ଖାନ୍‌ଓ୍ଵଲିକରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଟ୍ରିବ୍ୟୁନାଲରେ ପାଟନା ହାଇକୋର୍ଟ ବିଚାରପତି ଜଷ୍ଟିସ ରବି ରଂଜନ, ଦିଲ୍ଲୀ ହାଇକୋର୍ଟ ବିଚାରପତି ଇନ୍ଦ୍ରମିତ କୌର କୋଚର ସଦସ୍ୟ ଅଛନ୍ତି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ଏହି ମାମଲା ଲଢିବା ଲାଗି ବରିଷ୍ଠ ଆଇନଜୀବୀ ମୋହନ ଭି କର୍ତକୀଙ୍କୁ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶ୍ରୀ କର୍ତକୀ କାବେରୀ ଜଳ ବିବାଦ ମାମଲାରେ କର୍ଣ୍ଣାଟକ ପାଇଁ ପକ୍ଷ ରଖୁଥିଲେ। ଏହି ମାମଲା ଆଗକୁ ବଢିଲେ ରାଜ୍ୟ ସରକାର ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗିଙ୍କ ପରାମର୍ଶ ମଧ୍ୟ ଲୋଡିପାରନ୍ତି।

ଓଡ଼ିଶା ସରକାରଙ୍କ ଆବେଦନକୁ ବିଚାରକୁ ନେଇ ସୁପ୍ରିମକୋର୍ଟ ଗତ ଜାନୁଆରି ୨୩ ତାରିଖରେ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ। ମାର୍ଚ୍ଚ ୧୨ ତାରିଖରେ ଟ୍ରିବ୍ୟୁନାଲ ଗଠନ ହୋଇଥିଲା ଓ ଏପ୍ରିଲ ୧୭ ତାରିଖରେ ଓଡ଼ିଶା କ୍ୟାଡର ଆଇଏଏସ୍‌ ତଥା କେନ୍ଦ୍ର ଜଳସଂପଦ ସଚିବ ଉପେନ୍ଦ୍ର ପ୍ରସାଦ ସିଂହ ଟ୍ରିବ୍ୟୁନାଲ ଅଧ୍ୟକ୍ଷଙ୍କୁ ଭେଟି ଟର୍ମସ ଅଫ୍‌ ରେଫରେନ୍‌ସ ଦେଇଥିଲେ।

ହୀରାକୁଦ: ୧୦ ଗେଟ୍‌ ବନ୍ଦ ହେଲା, ୧୫ ଖୋଲା

ସମ୍ବଲପୁର : ଜଳଭଣ୍ଡାରକୁ ଜଳ ପ୍ରବେଶ ହ୍ରାସ ପାଇବା ପରେ ଗୁରୁବାର ୨ଟି ପର୍ଯ୍ୟାୟରେ ହୀରାକୁଦ ଡ୍ୟାମ୍‌ର ୧୦ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଦିନ ୩ଟାରୁ ୪ଟା ମଧ୍ୟରେ ୫ଟି ଓ ରାତି ୮ଟାରୁ ୯ଟା ମଧ୍ୟରେ ୫ଟି ଗେଟ୍‌ ବନ୍ଦ କରାଯାଇଥିଲା। ତେବେ ୧୫ଟି ସ୍ଲୁଇସ୍‌ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି। ଗୁରୁବାର ରାତି ୯ଟା ବେଳକୁ ହୀରାକୁଦ ଜଳଭଣ୍ଡାରର ସ୍ତର ୬୨୨.୭୧ ଫୁଟ୍‌ ଥିଲା। ସେତିକି ବେଳକୁ ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପ୍ରତି ହାରାହାରି ୩, ୪୦, ୬୮୯ ଘନଫୁଟ୍‌ ପାଣି ପ୍ରବେଶ

କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୨, ୫୧, ୭୬୪ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଥିଲା। ଖୋଲାଥିବା ବାମ ସ୍ପିଲ୍‌ଓ୍ଵ’ର ୧୦ ଓ ଡାହାଣ ପାର୍ଶ୍ୱର ୫ଟି ସ୍ଲୁଇସ୍‌ ଗେଟ୍‌ ଦେଇ ୩, ୦୪, ୯୫୯ କ୍ୟୁସେକ୍‌, ପାଓ୍ଵାର ଚାନେଲରେ ୧୧,୦୮୮ କ୍ୟୁସେକ୍‌, ବିଭିନ୍ନ କେନାଲ୍‌ରେ ୨୨୦୧ କ୍ୟୁସେକ୍‌ ଓ ଶିଳ୍ପ ସଂସ୍ଥା ଗୁଡ଼ିକ ପାଇଁ ୩୫୦ କ୍ୟୁସେକ୍‌ ପାଣି ଛଡ଼ା ଯାଉଥିଲା। ସେହି ସମୟରେ ତଳ ମୁଣ୍ଡର ବିଭିନ୍ନ ଷ୍ଟେସନ ଗୁଡ଼ିକ ମଧ୍ୟରୁ ଖଇରମାଳରେ ୫, ୪୧,୦୦୦ କ୍ୟୁସେକ୍‌, ବରମୂଳରେ ୫, ୨୫,୦୦୦ କ୍ୟୁସେକ୍‌ ଓ ମୁଣ୍ଡଳିରେ ୬, ୪୩, ୩୯୦ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ବନ୍ଧ ଉପର ମୁଣ୍ଡରେ ୧.୮୩ ମିଲିମିଟର ଓ ତଳ ମୁଣ୍ଡରେ ୦.୭୦ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର