ମହାନଦୀ ପ୍ରସଙ୍ଗରେ ଦୋଷ ଠେଲିଲେ

କଟକ : ପାଖାପାଖି ଦେଢ଼ ଘଣ୍ଟାର ଭାଷଣର ଶେଷ ପନ୍ଦର ମିନିଟ୍‌ରେ ଓଡ଼ିଶା ପ୍ରସଙ୍ଗ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଥିଲେ ଯେ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶର ବିକଳ ଚିତ୍ର ଆନ୍ତର୍ଜାତିକ ସ୍ତରରେ ବି ରାଜ୍ୟକୁ ନିନ୍ଦିତ କରୁଛି। ୧୮ ବର୍ଷ ଧରି ଶାସନରେ ରହିଥିଲେ ବି ରାଜ୍ୟ ସରକାର ନିଜର ଉତ୍ତରାଦାୟିତ୍ୱ ଠିକରେ ନିର୍ବାହ କରିପାରୁ ନାହାନ୍ତି। ଅନ୍ୟପଟେ ମିଛ ତଥ୍ୟ ରଖି ଗରିବ ଓ କୃଷକଙ୍କୁ ବିଭ୍ରାନ୍ତ କରୁଛନ୍ତି।

ବହୁ ଚର୍ଚ୍ଚିତ ମହାନଦୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଥିଲେ, ମହାନଦୀର ଅଧାରୁ ଅଧିକ ପାଣି ବଙ୍ଗୋପସାଗରରେ ପଡୁଛି ବୋଲିି ରାଜ୍ୟ ସରକାର ବିଧାନସଭାରେ ତଥ୍ୟ ରଖିଥିଲେ। ପରବର୍ତ୍ତୀ ସମୟରେ ମହାନଦୀ ବିବାଦ ସମାଧାନ ପାଇଁ କେନ୍ଦ୍ର ସରକାର ଉଦ୍ୟମ କଲାବେଳେ ରାଜ୍ୟ ସରକାର ସେଥିରେ ପଛଘୁଞ୍ଚା ଦେଲେ। କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ବି ସେଥିରେ ସହଯୋଗ ମିଳିଲା ନାହିଁ। ୧୮ ବର୍ଷ ଭିତରେ ରାଜ୍ୟ ସରକାର ସବୁ କ୍ଷେତକୁ ପାଣି ପହଞ୍ଚାଇ ପାରି ନାହାନ୍ତି। ମହାନଦୀ ବ୍ୟତୀତ ଅନ୍ୟ ୫ଟି ନଦୀର ପାଣିର ବି ଉଚିତ ବ୍ୟବହାର କରି ପାରି ନାହାନ୍ତି। ୨୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଲୋୟର୍‌ ଇନ୍ଦ୍ର ଜଳସେଚନ ପ୍ରକଳ୍ପର ସ୍ଥିତି କ’ଣ ରାଜ୍ୟ ସରକାର ସେ ଜବାବ ରଖିବେ କି ବୋଲି ଶ୍ରୀ ମୋଦି ପ୍ରଶ୍ନ କରିବା ସହ ୮ଟି ସିଞ୍ଚାଇ ପରିଯୋଜନାର ସ୍ଥିତିକୁ ନେଇ ମଧ୍ୟ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ। ଦେଶରେ ୯୯ଟି ସିଞ୍ଚାଇ ପରିଯୋଜନାରେ କେନ୍ଦ୍ର ସରକାର ୮୦ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଶ୍ରୀ ମୋଦି ସୂଚନା ଦେଇଥିଲେ।

ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ଉତ୍କଳ ଗୌରବ ମଧୁସୂଦନ ଦାସ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, କର୍ମବୀର ଗୌରୀଶଙ୍କର ରାୟ, ଉତ୍କଳମଣି ଗୋପବଂଧୁ ଦାସ, ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ, ବାଗ୍ମୀ ବିଶ୍ୱନାଥ କର, ମଧୁସୂଦନ ରାଓ, ରାଧାନାଥ ରଥ ଓ ରମାଦେବୀଙ୍କ ନାମ ଉଲ୍ଲେଖ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଜଗନ୍ନାଥଙ୍କ ମାଟିର ସ୍ୱତନ୍ତ୍ରତା ରହିଛି। ଏହି ମାଟିରୁ ଆରମ୍ଭ ହୋଇଥିବା ଅଭିଯାନ କେବେ ବିଫଳ ହେବ ନାହିଁ ବୋଲି ଶ୍ରୀ ମୋଦି କହିବା ସହ ମଜବୁତ ରାଷ୍ଟ୍ର ନିର୍ମାଣର ମହାଯଜ୍ଞରେ ଆହୂତି ଦେବାକୁ ସେ ପ୍ରସ୍ତୁତ ହୋଇ ଚାଲିଛନ୍ତି; ୪ ବର୍ଷ ନୁହେଁ, ଆଗକୁ ଅନେକ ଲମ୍ବା ବାଟ ଯିବାର ଅଛି ବୋଲି କହି ନିଜର ବକ୍ତବ୍ୟ ଶେଷ କରିଥିଲେ।

ସମ୍ବନ୍ଧିତ ଖବର