ମହାନଦୀରୁ ୪ ମୃତଦେହ ଉଦ୍ଧାର ଘଟଣା: ବାପା ସାଜିଥିଲା ପିଶାଚ

ନାତି-ନାତୁଣୀଙ୍କ ସହ ଝିଅର ତଣ୍ଟି ଚିପି ଭସାଇ ଦେଇଥିଲା

ଜଗତସିଂହପୁର/କୁଜଙ୍ଗ: ୩ ଲକ୍ଷ ଟଙ୍କା ପାଇଁ ବାପା ପାଲଟିଗଲା ପିଶାଚ। ନିଜ ଝିଅ ସହିତ ତିନି ନାତି ନାତୁଣୀଙ୍କୁ ବି ନୃଶଂସ ଭାବେ ହତ୍ୟା କରି ମହାନଦୀରେ ଭସାଇ ଦେଲା। ଏଭଳି ଏକ ଅମାନବୀୟ ଓ ନୃଶଂସ କାଣ୍ଡରେ ସଂପୃକ୍ତ ବ୍ୟକ୍ତିକୁ କୁଜଙ୍ଗ ଥାନା ପୁଲିସ ଆଜି ଗିରଫ କରି କୋର୍ଟଚାଲାଣ କରିଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ନିକଟରେ ମହାନଦୀରୁ ୪ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ ସହ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଆଜି ପୁଲିସ ସ୍ପଷ୍ଟ କରିଛି। ସୂଚନାଯୋଗ୍ୟ ଯେ ଗଲା ୯ ତାରିଖ ସକାଳେ କୁଜଙ୍ଗ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ମାମାନୀ ସେଠୀ ଓ ତାଙ୍କ ଦୁଇ ଝିଅ ଏବଂ ଗୋଟିଏ ପୁଅଙ୍କ ମୃତଦେହ ଶନିମନ୍ଦିର ନିକଟ ମହାନଦୀ କୂଳରୁ ଉଦ୍ଧାର କରାଯାଇଥିଲା। ପ୍ରଥମ ଦିନରୁ ପୁଲିସ ମାମାନୀଙ୍କ ବାପା ଅକ୍ଷୟ ସେଠୀଙ୍କୁ ସନ୍ଦେହରେ ରଖି ଅଟକ ରଖିଥିଲା। ଆଜି ପୁଲିସ୍‌ ଅକ୍ଷୟଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇଛି। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ (ଏଏସ୍‌ପି) ବିଶ୍ୱନାଥ ମିଶ୍ର କହିବା ଅନୁଯାୟୀ, ଅକ୍ଷୟଙ୍କ ଘର କୁଜଙ୍ଗ ବ୍ଲକ୍‌ ଅଧୀନ କୋଠିଆ ସାହିରେ। ମାମାନୀଙ୍କ ଶାଶୂଘର ଠାରୁ ମାତ୍ର ୫୦୦ ମିଟର ଦୂର। ମାମାନୀଙ୍କ ସ୍ୱାମୀ ବିଶ୍ୱମ୍ବର ଦେଢ ମାସ ତଳେ ଏକ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ବିଭିନ୍ନ ଉତ୍ସରୁ ତାଙ୍କୁ ପ୍ରାୟ ୫ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିଥିଲା। ସେହି ଟଙ୍କା ହାତେଇବାକୁ ଅକ୍ଷୟ ଏଭଳି ବର୍ବର କାଣ୍ଡ ଘଟାଇଛି।

ଏଏସ୍‌ପି ଶ୍ରୀ ମିଶ୍ର ଘଟଣା ସମ୍ପର୍କରେ ବିସ୍ତତ ସୂଚନା ଦେଇ କହିଛନ୍ତି ଯେ, ଅକ୍ଷୟଙ୍କର ଜଣେ ଅବିବାହିତ ଝିଅ ରହିଛି। ଅର୍ଥ ଅଭାବରୁ ତାଙ୍କୁ ସେ ଭଲ ସ୍ଥାନରେ ବିବାହ କରାଇବାକୁ ସମର୍ଥ ହେଉ ନଥିଲେ। ଏହି ସମୟରେ ବିଶ୍ୱମ୍ବରଙ୍କ ମୃତ୍ୟୁ ପରେ ମିଳିଥିବା କ୍ଷତିପୂରଣ ରାଶି ଦେଖି ଅକ୍ଷୟଙ୍କର ଲୋଭ ଆସିଥିଲା। ପ୍ରଥମ ଦଫାରେ ବିଶ୍ୱମ୍ବର ଚାକିରି କରୁଥିବା ଇଫ୍‌କୋ କମ୍ପାନି ତିନି ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲା। ଏହି ଟଙ୍କା ମାମାନୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ଆସିଯିବା ପରେ ଅକ୍ଷୟଙ୍କ ଆଉ ମୁଣ୍ଡ କାମ କରିନଥିଲା। ସେ ତୁରନ୍ତ ଏହି ଟଙ୍କା ହାତେଇ ଅବିବାହିତ ଝିଅକୁ ବିବାହ କରାଇବା ପାଇଁ ଯୋଜନା କରିଥିଲା। ମାତ୍ର ମାମାନୀ ଏଥିରେ ଆଦୌ ରାଜି ନଥିଲେ। ଫଳରେ ମାମାନୀ ସମେତ ତାଙ୍କ ତିନି ପିଲାଙ୍କୁ ରାସ୍ତାରୁ ହଟାଇ ଦେଲେ ଏହି ଟଙ୍କାକୁ ନିଜର କରିହେବ ବୋଲି ଅକ୍ଷୟଙ୍କ ମୁଣ୍ଡରେ ପଶିଥିଲା। ଗଲା ୮ ତାରିଖ ସଂଧ୍ୟାରେ ଅକ୍ଷୟ ପ୍ରଥମେ ମାମାନୀଙ୍କ ଦୁଇ ଝିଅ ବର୍ଷା (୧୦), ଦିଶା(୮)ଙ୍କୁ ବଜାରକୁ ବୁଲାଇ ନେବ ବୋଲି କହି ନେଇ ଯାଇଥିଲା। ବଜାରରେ ଜଳଖିଆ ଖାଇବାକୁ ଦେଇଥିଲା। ପରେ ନଈ କୂଳକୁ ବୁଲାଇ ନେବା ବାହାନାରେ ନେଇ ନିଛାଟିଆ ଦେଖି ତଣ୍ଟି ଚିପି ହତ୍ୟା କରିବା ସହ ନଈକୁ ଫିଙ୍ଗି ଦେଇଥିଲା। ସେଠାରୁ ଘରକୁ ଫେରି ମାମାନୀଙ୍କ ନିକଟରେ କାନ୍ଦିବା ସହ ଦୁଇ ଝିଅ ନଈରେ ଖସି ପଡିଲେ ବୋଲି କହିଥିଲା। ମାମାନୀ ନିଜ ଛୋଟ ପୁଅକୁ ଧରି ନଈ କୂଳକୁ କାନ୍ଦି କାନ୍ଦି ଦୌଡିଥିଲେ। ଅକ୍ଷୟ ବି ସେଠାକୁ ଯାଇ କୌଶଳ କ୍ରମେ ପ୍ରଥମେ ମାମାନୀ ଓ ପରେ ତାଙ୍କ ପୁଅ ମୁନା (୪)ର ତଣ୍ଟି ଗାମୁଛାରେ ଚିପି ହତ୍ୟା କରିବା ସହ ନଈକୁ ଫିଙ୍ଗି ଦେଇଥିଲା। ତଣ୍ଟି ଚିପି ହତ୍ୟା କରି ନିକଟରେ ଥିବା ମହାନଦୀରେ ଭସାଇ ଦେଇଥିଲା। ପରଦିନ ଅପରାହ୍ନରେ ଏହି ଚାରି ଜଣଙ୍କ ମୃତଦେହ ମହାନଦୀରେ ଭାସୁଥିବା ଖବର ପ୍ରଚାର ହୋଇଯିବା ପରେ ଅକ୍ଷୟ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଖୁବ୍‌ କାନ୍ଦିଥିଲେ। ଏହାର ଠିକ୍‌ ପରେ ପରେ କୁଜଙ୍ଗ ପୁଲିସ ଅକ୍ଷୟ ଓ କାଳିଆଙ୍କୁ ଉଠାଇ ନେଇ ଜେରା ଆରମ୍ଭ କରିଦେଇଥିଲା। ଜେରା ପରେ ସମସ୍ତ ଘଟଣାର ପର୍ଦ୍ଦାଫାସ୍‌ ହୋଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ଅନ୍ୟପକ୍ଷରେ, ମାତ୍ର ଏହି ଘଟଣାରେ ଅକ୍ଷୟଙ୍କ ସହ ଅନ୍ୟ କାହାର ସଂପୃକ୍ତି ରହିଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ଅକ୍ଷୟଙ୍କ ପୁଅ କାଳିଆକୁ ପୁଲିସ ଅଟକ ରଖି ଜେରା ଚଳାଇଛି।

ସମ୍ବନ୍ଧିତ ଖବର