ମାହାଙ୍ଗା ସାହିତ୍ୟ ମହୋତ୍ସବ ଉଦ୍‌ଘାଟିତ : ‘ରାଜନେତାମାନେ ସାହିତ୍ୟ ଅନୁରାଗୀ ହେବା ଉଚିତ’

ମାହାଙ୍ଗା : ଓଡିଆ ଭାଷା ସାହିତ୍ୟ ସମୃଦ୍ଧିରେ ମାହାଙ୍ଗାର ବରପୂତ୍ରମାନଙ୍କ ଅବଦାନ ଗୁରୁତ୍ବପୁର୍ଣ୍ଣ। ସାହିତ୍ୟ ହେଉଛି ରାଜନୀତିର ଉତ୍ସ। ରାଜନେତାମାନେ ସାହିତ୍ୟ ଅନୁରାଗୀ ହେବା ଦ୍ବାରା ସାହିତ୍ୟକୁ ନେଇ ଏକ ସଭ୍ୟତା ଓ ଜାତି ଦୀର୍ଘଦିନ ପର୍ଯ୍ୟନ୍ତ ବ‌ଞ୍ଚି ରହିଥାଏ ବୋଲି ଆଜି ମାହାଙ୍ଗା ବ୍ଳକ୍ କୋଠପଦାସ୍ଥିତ ଗଣକବି ବୈଷ୍ଣବ ପାଣି ସ୍ମୃତି ମଣ୍ତପ ପରିସରରେ ଆୟୋଜିତ ମାହାଙ୍ଗା ସାହିତ୍ୟ ମହୋତ୍ସବକୁ ବିଶିଷ୍ଟ କବି ଡ. ହରପ୍ରସାଦ ଦାସ ଉଦ୍‌ଘାଟନ କରି ମତବ୍ୟକ୍ତ କରିଛନ୍ତି।

ପଞ୍ଚାୟତିରାଜ ମନ୍ତ୍ରୀ ତଥା ମାହାଙ୍ଗା ସାହିତ୍ୟ ମହୋତ୍ସବର ସଭାପତି ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ ଅଧ୍ୟକ୍ଷ ଉପେନ୍ଦ୍ର ନାଥ ବେହେରା ମୁଖ୍ୟଅତିଥି, କେନ୍ଦ୍ରାପଡା ଲୋକସଭା ସାଂସଦ ଅନୁଭବ ମହାନ୍ତି ବିଶିଷ୍ଟ ଅତିଥି, କେନ୍ଦ୍ର ସାହିତ୍ୟ ଏକାଡେମୀ ଆବାହକ ପ୍ରଫେସର ଡ. ବିଜୟାନନ୍ଦ ସିଂହ, ଓଡିଆ ଭାଷା ସାହିତ୍ୟ ବିଭାଗ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାହାଙ୍ଗା ସାହିତ୍ୟ ସଂସ୍କୃତି ସଂପର୍କରେ ଆଲୋଚନା କରିବା ସହ ଓଡିଆ ଭାଷା ସାହିତ୍ୟକୁ ଉଜ୍ଜୀବିତ ରଖିବା ପାଇଁ ମତବ୍ୟକ୍ତ କରିଥିଲେ। ଉତ୍ସବରେ ମନ୍ତ୍ରୀ ଶ୍ରୀ ଜେନା ଅଧ୍ୟକ୍ଷତା କରି କହିଲେ ଯେ ସାହିତ୍ୟ,ସଂସ୍କୃତି କଳାକୁ ନେଇ ଏକ ସମାଜ ଆଗେଇଥାଏ। ଆଗାମୀ ଦିନରେ ମାହାଙ୍ଗା ସାହିତ୍ୟ ମହୋତ୍ସବକୁ ଏକ ଜାତୀୟ ସ୍ତରର ସାହିତ୍ୟ ମହୋତ୍ସବରେ ରୂପାନ୍ତରିତ କରିବାକୁ ଉଦ୍ୟମ କରିବା ପାଇଁ ମନ୍ତ୍ରୀ ଶ୍ରୀ ଜେନା ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସଭା ପ୍ରାରମ୍ଭରେ ଦିବଂଗତ କବି ରବି ସିଂହ, ବ୍ରଜବନ୍ଧୁ ବିଶ୍ବାଳ ଓ କୁଳମଣି ସାମଲଙ୍କ ସ୍ମୃତିରେ ନୀରବ ପ୍ରାର୍ଥନା କରାଯାଇଥିଲା। କବି ଡ, ଏକାଦଶୀ ପ୍ରଧାନଙ୍କ ଦ୍ବାରା ରଚିତ ଉପନ୍ୟାସ ‘ଦ୍ବନ୍ଦ୍ବ ଓ ‘ଅଶାନ୍ତିର ଶେଷ ନାହିଁ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ । କୁଳମଣି ମେହେର ସଭା ସଂଯୋଜନା କରିଥିଲେ। ଗୀତିକାର ତଥା ସୁସାହିତ୍ୟିକ ବିଶ୍ବେଶ୍ବର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୁବାସ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ମାହାଙ୍ଗାର ସାହିତ୍ୟ ସମ୍ଭାର ସଂପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସାହିତ୍ୟିକ ଡ. ଭୁବନାନନ୍ଦ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କବି ନାରାୟଣ ମୁଦୁଲି, ଡ. ନିଖିଳେଶପଦ ମହାନ୍ତି, ପ୍ରାଧ୍ୟାପକ ପ୍ରଶାନ୍ତ ବିଶ୍ବାଳ, ଶିଶୁ ସାହିତ୍ୟିକ ଡ. ବସନ୍ତ କିଶୋର ସାହୁ, ଡ. ଏକାଦଶୀ ପ୍ରଧାନ ପ୍ରମୁଖ ଆଲୋଚକ ଭାବେ ଯୋଗ ଦେଇଥିଲେ। ଏହାପରେ କବି ଅଖିଳେଶପଦ ମହାନ୍ତି, ସ୍ବାଗତିକା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବରେ ବହୁ କବି ଯୋଗଦେଇ ସ୍ବରଚିତ କବିତା ପାଠ କରିଥିଲେ।

ସମ୍ବନ୍ଧିତ ଖବର