ମହାପ୍ରୟାଣ ଗାଡ଼ି ମିଳିଲାନି : ରାତିସାରା ମା’ କୋଳରେ ଝିଅର ଶବ

କେନ୍ଦୁଝର : ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରାଯାଇଛି। ହସ୍ପିଟାଲରୁ ମୃତଦେହକୁ ଘରେ ପହଞ୍ଚାଇବା ପାଇଁ ମହାପ୍ରୟାଣ ଗାଡ଼ି ଅଛି। ହେଲେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅଣଦେଖା ଯୋଗୁଁ ଜଣେ ମା’ ନିଜ ଝିଅର ମୃତଦେହକୁ କୋଳରେ ଧରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ବାରଣ୍ଡାରେ ରାତି କଟାଇଛି। ଆଦିବାସୀ ମହିଳା ଜଣକ ୨ ମାସର ଶିଶୁକନ୍ୟାର ଶବକୁ କୋଳରେ ଧରି ରାତିସାରା କାନ୍ଦୁଥିଲେ ମଧ୍ୟ ତାଙ୍କ କାନ୍ଦ କାହାକୁ ଶୁଭିନି। ସକାଳ ହେବାରୁ ଗାଁ ଲୋକ ଚାନ୍ଦା ଆଦାୟ କରି ୬ଶହ ଟଙ୍କା ପଠାଇବା ପରେ ଶବକୁ ଏକ ଅଟୋରେ ନିଆଯାଇଥିଲା। ଏଭଳି ଅମାନବୀୟ ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।

କେନ୍ଦୁଝର ଜିଲ୍ଲା ସଦର ବ୍ଲକ ମହାଦେଇଯୋଡ଼ା ପଞ୍ଚାୟତ ମଦରାଙ୍ଗାଯୋଡ଼ି ଗ୍ରାମର ମାଛୁ ମୁଣ୍ଡା ଓ ଶୁକୁମନିଙ୍କ ୨ ମାସର ଝିଅ ସୁକୁମତିଙ୍କୁ ଜ୍ୱର ହୋଇଥିଲା। ଛୁଆକୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ ଆସିଲାନି। ଛୁଆର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ଏକ ଅଟୋରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଗତକାଲି ଅପରାହଣ୍‌ରେ ଆଣିଥିଲେ। ଚିକିତ୍ସାର ମାତ୍ର କିଛି ସମୟ ମଧ୍ୟରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କଲେ। ହେଲେ ସେତେବେଳେକୁ ସଂଧ୍ୟା ହୋଇଯାଇଥିଲା। କୁନି ଝିଅର ମୃତଦେହକୁ ଘରକୁ ନେବା ପାଇଁ ବାପାମା’ ଡାକ୍ତରଖାନାର ନର୍ସ ଓ କର୍ମଚାରୀଙ୍କୁ ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରିବାକୁ ନିବେଦନ କରିଥିଲେ। ହେଲେ ତାଙ୍କ କଥା କେହି ଶୁଣିଲେନି। ସେମାନଙ୍କ ମଧ୍ୟରୁ ଜଣେ କହିଥିଲେ, ଆଜି ରାତି ଏହି ବାରଣ୍ଡାରେ ରହିଯାଅ। ସକାଳ ହେଲେ ଘରକୁ ଯିବ। ବାଧ୍ୟ ହୋଇ ବାପାମା ଶିଶୁକନ୍ୟାର ମୃତଦେହକୁ ଧରି ଡାକ୍ତରଖାନା ବାରଣ୍ଡାରେ କାନ୍ଦିକାନ୍ଦି ରାତି କାଟିଥିଲେ। ଏଭଳି ଘଟଣାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି। ଏ ସମ୍ପର୍କରେ ଏଡିଏମ୍‌ଓ ଡା. ସୁଧାଂଶୁ ଶେଖର ବଳଙ୍କୁ ପଚାରିବାରୁ, ଏ ସମ୍ପର୍କରେ ସେ ଜାଣି ନାହାନ୍ତି। ତଦନ୍ତ କରି ଦୋଷୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର