ବ୍ରହ୍ମପୁର: ଚିକିତ୍ସା ପାଇଁ ମାକୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ମା’ର ମୃତ୍ୟୁ ଘଟିଲା। ଶବ ନେବା ପାଇଁ ବିଭାଗୀୟ ଡାକ୍ତର, କର୍ମଚାରୀଙ୍କ ସମେତ ବହୁ ଲୋକଙ୍କୁ କାକୁତିମିନତି ହେଲେ। କିନ୍ତୁ କେହି ଆହା ପଦେ କହିଲେ ନାହିଁ କି ଟଙ୍କାଟିଏ ସହାୟତା ଦେଲେନି। ପାଖରେ ଟଙ୍କା ନଥିବାରୁ ମହାପ୍ରୟାଣ ଗାଡ଼ି ଥାଇ ସୁଦ୍ଧା ମିଳିଲା ନାହିଁ। ଶେଷରେ ମା’ର ଶବକୁ ପୁଅ-ଝିଅ ଏକ ଟ୍ରଲି ରିକ୍ସାରେ ନେଇଛନ୍ତି। ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁସାରେ, ଚନ୍ଦ୍ରମା ସିଂ(୬୦) ତାଙ୍କ ପୁଅ ତ୍ରିନାଥ ଓ ଝିଅ ସନ୍ତୋଷିନୀଙ୍କୁ ନେଇ ଗେଟ୍ବଜାର ଜାଗିଲି ସାହିରେ ରହୁଛନ୍ତି। ବିଭିନ୍ନ ସ୍ଥାନରୁ ବ୍ୟବହୃତ ପ୍ଲାଷ୍ଟିକ୍ ସାମଗ୍ରୀ ଗୋଟାଇ ତାହା ବିକ୍ରି କରି ଯାହା ପାଆନ୍ତି; ସେଥିରେ ସେମାନେ ଚଳିଥାନ୍ତି। ଗତକାଲି ସଂଧ୍ୟାରେ ହଠାତ୍ ଚନ୍ଦ୍ରମାଙ୍କ ଦେହ ଖରାପ ହେବାରୁ ତାଙ୍କୁ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମରଶରୀର ନେଇଯିବା ପାଇଁ ଡାକ୍ତର କହିଥିଲେ। ହେଲେ ପାଖରେ ଟଙ୍କା ନଥିବାରୁ କେହି ଶୁଣିଲେ ନାହିଁ ବୋଲି ଝିଅ ସନ୍ତୋଷିନୀ କାନ୍ଦି କାନ୍ଦି ଅଭିଯୋଗ କରିଛନ୍ତି। ଏପରିକି ତାଙ୍କୁ ମହାପ୍ରୟାଣ ଗାଡ଼ି ମଧ୍ୟ ମିଳିଲା ନାହିଁ ବୋଲି ସେ କହିଛନ୍ତି। ଏହାପରେ ଏକ ଟ୍ରଲି ରିକ୍ସା ଡାକି ପୁଅ-ଝିଅ ମା’ର ଶବ ନେଇ ଯାଉଥିବାର ଦୃଶ୍ୟ ସମସ୍ତେ ଦେଖୁଥିଲେ, ଯାହା ଅତ୍ୟନ୍ତ ମର୍ମସ୍ପର୍ଶୀ ଥିଲା। ଖବର ପାଇ କିଛି ଗଣମାଧ୍ୟମ ପ୍ରତିନିଧି ଓ ସ୍ବେଚ୍ଛାସେବୀ ବଡ଼ ଡାକ୍ତରଖାନା ଦ୍ବିତୀୟ ଗେଟ୍ ନିକଟରେ ପହଞ୍ଚିଥିଲେ। ସେମାନଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଥିଲା। ପରେ ଗୋକର୍ଣ୍ଣେଶ୍ବର ମନ୍ଦିର ନିକଟସ୍ଥ ଶ୍ମଶାନରେ ଚନ୍ଦ୍ରମାଙ୍କ ଅନ୍ତିମ ସଂସ୍କାର କରାଯାଇଛି।