ଦୁର୍ମୂଲ୍ୟ ହୋଇଛି ମାହାର୍ଦ୍ଦ ଫୁଲ

ଦର ଉପରେ ଅଙ୍କୁଶ ନାହିଁ

ପୁରୀ : ମହାପ୍ରଭୁଙ୍କର ଶ୍ରୀଅଙ୍ଗଲାଗି ଫୁଲ ଅର୍ଥାତ୍‌ ‘ମାହାର୍ଦ୍ଦ ଫୁଲ’ ପାଇଁ ଭକ୍ତଙ୍କର ପ୍ରବଳ ଆଗ୍ରହ। ନୂଆ ଘର ତିଆରି ହେଉ କି ନୂଆ କାର୍ଯ୍ୟ ଆରମ୍ଭ ହେଉ, ମହାପ୍ରଭୁଙ୍କର ମାହାର୍ଦ୍ଦ ଫୁଲ ଲାଗିଲେ ସବୁ କାର୍ଯ୍ୟ ସଫଳ ହେବ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ନାକଚଣା, କରପଲ୍ଲବ, ଚନ୍ଦ୍ରିକା, କୁଣ୍ଡଳ, ଅଧର, ହୃଦ୍‌ପଦ୍ମ, ଝୁମ୍ପା, ଗୁଣା ପ୍ରଭୃତି ମାହାର୍ଦ୍ଦ ଫୁଲ ପାଇଁ ଭକ୍ତଙ୍କର ମାତ୍ରାଧିକ ଆଗ୍ରହ ଥାଏ। ହେଲେ ଏହି ସବୁ ଫୁଲର ଦର ଉପରେ କିଛି ଅଙ୍କୁଶ ନାହିଁ। ସାଧାରଣ ଦିନରେ ହୃଦ୍‌ ପଦ୍ମ ୧ ହଜାର ଟଙ୍କାରେ ଉପଲବ୍ଧ ହେଉଥିବା ବେଳେ ବିଶେଷ ତିଥିରେ ଏହା ୫ ହଜାରରୁ ୬ ହଜାରକୁ ଛୁଇଁଥାଏ। ଏହା ଉପରେ ଶ୍ରୀମନ୍ଦିର ପ୍ରଶାସନର କୌଣସି ନିୟନ୍ତ୍ରଣ ନାହିଁ। ଏହାର ମୂଲ୍ୟ ସର୍ବାଧିକ କେତେ ହୋଇ ପାରିବ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଅନ୍ୟପଟେ ଏହି ମାହାର୍ଦ୍ଦ ଫୁଲ ଦୀପ ଦୋକାନରେ ବିକ୍ରି ହେବା ପାଇଁ ଉଦ୍ଦିଷ୍ଟ ହୋଇ ନଥିଲେ ମଧ୍ୟ ଏହା ସେଠାରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି।

ପ୍ରତ୍ୟେକ ବେଶରେ ମହାପ୍ରଭୁଙ୍କୁ ବିଭିନ୍ନ ଫୁଲ ଲାଗି କରାଯାଇଥାଏ। ଦିନକୁ ୪ ବେଶରେ ଏହି ଫୁଲ ଲାଗି ହୋଇଥାଏ। ସକାଳ ଧୂପ, ଦ୍ଵିପ୍ରହର ଧୂପ, ସନ୍ଧ୍ୟା ଧୂପ ଓ ବଡ଼ସିଂହାର ବେଶ ସମୟରେ ନୂଆ ବେଶ କରାଯାଇଥାଏ। ମହାପ୍ରଭୁଙ୍କ ଗଳାରେ ଝୁଲା ଯାଉଥିବା ପଦକ ହୃଦ୍‌ପଦ୍ମ ଭାବରେ ଶୋଭା ପାଉଥିବା ବେଳେ ଶ୍ରୀହସ୍ତରେ କରପଲ୍ଲବ ଓ ଶ୍ରୀଅଙ୍ଗର ବିଭିନ୍ନ ସ୍ଥାନରେ ପାଖାପାଖି ଅନ୍ୟଗୁଡ଼ିକ ଲାଗି ହୋଇଥାଏ। ପ୍ରତିଦିନ ପ୍ରାୟ ୧୬ ପ୍ରକାରର ମାହାର୍ଦ୍ଦ ଫୁଲ ସହ ଅନ୍ୟାନ୍ୟ ମାଳ ବାହାରିଥାଏ। ଏଥିରେ କେବଳ ଦୁଇ ସେବକଙ୍କର ଅଧିକାର ଥାଏ। ସେମାନେ ହେଉଛନ୍ତି ଖୁଣ୍ଟିଆ ଓ ସିଂହାରୀ। ଏହା ବାଦ୍‌ ଶ୍ରୀନଅରକୁ ବିଭିନ୍ନ ସମୟରେ ଗୋଟିଏ ଲେଖାଏ ମାହାର୍ଦ୍ଦ ଫୁଲ ତାଟରେ ପଠା ଯାଇଥାଏ। ଏହି ସରକାରୀ ଭାଗବଣ୍ଟା ପରେ ବାକି ରହୁଥିବା ଫୁଲ ଉଭୟ ପାଳିଆ ସେବକ (ସିଂହାରୀ ଓ ଖୁଣ୍ଟିଆ)ଙ୍କ ମଧ୍ୟରେ ବାଣ୍ଟି ଦିଆଯାଏ। ପରେ ସେମାନଙ୍କ ମଧ୍ୟରେ ତିନିବାଡ଼ରେ ଭାଗବଣ୍ଟା ହୁଏ। ଏହା ପରେ ବ୍ୟକ୍ତିଗତ ଭାବରେ ଯାହାର ଯାହା ଭାଗ ପଡ଼େ ତାକୁ ସେମାନେ ବିକ୍ରି କରି ଦେଇଥାନ୍ତି। ଏହାକୁ ବସି ସିଧାସଳଖ ବିକ୍ରି କରିବା ପାଇଁ ସେବକ ଚାହୁଁନଥିବାରୁ ଜଣେ ନିର୍ଦ୍ଦିଷ୍ଟ ଦୀପ ଦୋକାନୀଙ୍କୁ ଏହାକୁ ଦେଇଦେଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର