ସୁଆର ମହାସୁଆର ନିଯୋଗ ବୈଠକ : ବୋର୍ଡ ଭାଙ୍ଗିବାକୁ ଆସିଲା ପ୍ରସ୍ତାବ

ଏପ୍ରିଲ ମାସ ସୁଦ୍ଧା ନିର୍ବାଚନ କରିବାକୁ ଦାବି, ଓକିଲଙ୍କ ପରାମର୍ଶ ପରେ ପଦକ୍ଷେପ

ପୁରୀ : ଭାଙ୍ଗିବ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ବୋର୍ଡ। ସାନି ନିର୍ବାଚନ କରି ନୂଆ ବୋର୍ଡ ଗଠନ କରିବାକୁ ଆଜି ପ୍ରସ୍ତାବ ଆସିଛି। ତୁରନ୍ତ ନିର୍ବାଚନ ଘୋଷଣା କରି ଏପ୍ରିଲ ୮ରୁ ୧୦ ମଧ୍ୟରେ ଭୋଟ କରିବାକୁ ଦାବି କରାଯାଇଛି। ଏହି ପ୍ରସ୍ତାବ ଦେଇଛନ୍ତି ନିଯୋଗର ପୁରୁଖା କର୍ମୀ କାଳିଆ ପ୍ରତିହାରୀ। ତେବେ ଏହା ଉପରେ କୌଣସି ସ୍ପଷ୍ଟ ନିଷ୍ପତ୍ତି ହୋଇନାହିଁ। ନିଯୋଗ ଓକିଲଙ୍କ ପରାମର୍ଶ ପରେ ଚୂଡ଼ାନ୍ତ ନିର୍ଣ୍ଣୟ ହେବ ବୋଲି ସ୍ଥିର ହୋଇଛି। ଆଜି ସୁଆର ମହାସୁଆର ନିଯୋଗ କର୍ମକର୍ତ୍ତାଙ୍କ ‌ବୈଠକ ବସିଥିବା ବେଳେ ନିର୍ବାଚନକୁ ନେଇ ବାକ୍‌ବିତଣ୍ଡା ହୋଇଥିଲା। ବର୍ତ୍ତମାନ କାର୍ଯ୍ୟକ୍ଷମ ବୋର୍ଡର ଅବଧି ୨୦୧୮ ମେ’ରୁ ସରିଲାଣି। ସେହି ସମୟରେ ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲା ଥିବାରୁ ‌ନିର୍ବାଚନ ୬ ମାସ ଘୁଞ୍ଚାଇବାକୁ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଥିଲା। ଇତିମଧ୍ୟରେ ୧୦ ମାସ ବିତିଯାଇଥିଲେ ମଧ୍ୟ ସୁପ୍ରିମକୋର୍ଟରେ ମାମଲା ସମାଧାନ ହୋଇ ପାରୁନାହିଁ। ତେଣୁ ନିର୍ବାଚନ କାହିଁକି ହେବ ନାହିଁ ବୋଲି କାଳିଆଙ୍କ ଗୋଷ୍ଠୀ ଦାବି କରିଥିଲେ। ତୁରନ୍ତ ବୋର୍ଡ ଭାଙ୍ଗି ନିର୍ବାଚନ କରିବାକୁ ପ୍ରସ୍ତାବ ଆଣିଥିଲେ। ହେଲେ ବର୍ତ୍ତମାନର ବୋର୍ଡ ଭାଙ୍ଗିବାକୁ ସାଧାରଣ ପରିଷଦରେ ସହମତି ମିଳିଲା ନାହିଁ। ତେଣୁ ପ୍ରଥମେ ନିର୍ବାଚନ ପ୍ରସ୍ତାବ ସମ୍ପର୍କରେ ନିଯୋଗ ଓକିଲଙ୍କ ସହ ଆଲୋଚନା କରିବ। ସେ ପରାମର୍ଶ ଦେଲେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଏକପ୍ରକାର ନିଷ୍ପତ୍ତି ହୋଇଛି। ତେବେ ନିର୍ବାଚନକୁ ନେଇ ନିଯୋଗର କର୍ମକର୍ତ୍ତା ମୁହାଁମୁହିଁ ସ୍ଥିତିରେ ରହିଥିବା ଜଣାପଡ଼ିଛି। ରାଜନୈତିକ ଛତ୍ରଛାୟାରେ ଥିବା ଗୋଟିଏ ବାହୁବଳୀ ଗୋଷ୍ଠୀ ଏବେ ନିଯୋଗରେ ପ୍ରଭାବ ବିସ୍ତାର କରିବାକୁ ଚାହୁଁଥିବା ଅପରପକ୍ଷ କହୁଛନ୍ତି। ଅନ୍ୟପକ୍ଷରେ ପ୍ରସ୍ତାବ ଆଣିଥିବା କାଳିଆ କହିଛନ୍ତି, ନିୟମ ଅନୁଯାୟୀ ନିର୍ବାଚନ ହେଉ।

ସମ୍ବନ୍ଧିତ ଖବର