ଗାନ୍ଧୀ ହତ୍ୟା ସମ୍ପର୍କିତ ଉପଯୁକ୍ତ ତଥ୍ୟ ପ୍ରଦାନ କରିବେ ସୁପ୍ରିମ ‌କୋର୍ଟ : ହେମନ୍ତ ପଣ୍ଡାଙ୍କ ଆବେଦନ ଉପରେ କେନ୍ଦ୍ରୀୟ ସୂଚନା କମିସନଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ମହାତ୍ମା ଗାନ୍ଧୀ ହତ୍ୟା ସମ୍ପର୍କିତ ରେକର୍ଡ ତଥା ଦସ୍ତାବିଜ ସମ୍ପର୍କରେ ଉପଯୁକ୍ତ ତଥ୍ୟ ପ୍ରଦାନ କରିବା ପାଇଁ କେନ୍ଦୀୟ ସୂଚନା କମିସନ ସୁପ୍ରିମକୋର୍ଟର ଜନ ସୂଚନା ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ତାଙ୍କ ଆବେଦନର ଶୁଣାଣି କରି ଜାତୀୟ ସୂଚନା କମିସନର ସୁଧୀର ଭାର୍ଗବ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ କୋର୍ଟରେ ଗଚ୍ଛିତ ଥିବା ମହାତ୍ମା ଗାନ୍ଧୀ ହତ୍ୟାକାଣ୍ତ କାଗଜପତ୍ର ସମ୍ପର୍କିତ ତିନୋଟି ନିର୍ଦ୍ଦିଷ୍ଟ ବିଷୟରେ ଶ୍ରୀ ପଣ୍ତା ଗତ ୧୭ ଅଗଷ୍ଟ ୨୦୧୬ ମସିହାରେ ସୁପ୍ରିମକୋର୍ଟ ସୂଚନା ଅଧିକାରୀଙ୍କୁ ତଥ୍ୟ ମାଗିଥିଲେ। ଶ୍ରୀ ପଣ୍ଡା ଅଭିଯୁକ୍ତମାନେ କୋର୍ଟରେ ପ୍ରଦାନ କରିଥିବା ସମସ୍ତ ବିବରଣୀ, ପୁଲିସ ଅନୁସନ୍ଧାନ ରିପୋର୍ଟ ଓ ସାକ୍ଷୀମାନଙ୍କ ବିବରଣୀର ନକଲ ମାଗିଥିଲେ। ସୁପ୍ରିମକୋର୍ଟର ସୂଚନା ଅଧିକାରୀ ତଥା ଅତିରିକ୍ତ ରେଜିଷ୍ଟ୍ରାର ଅଜୟ ଅଗ୍ରୱାଲ ଜଣାଇଥିଲେ ଯେ, ଫୌଜଦାରୀ ମାମଲା ୬୬/୧୯୪୯ ତଥା ଗାନ୍ଧୀ ହତ୍ୟାକାଣ୍ତ ମାମଲାର ସମସ୍ତ କାଗଜପତ୍ର ପଞ୍ଜାବ ଏବ˚ ହରିଆନା ହାଇକୋର୍ଟରୁ ଧାର ସୂତ୍ରରେ ଅଣାଯାଇ ସୁପ୍ରିମକୋର୍ଟ ସ˚ଗ୍ରହାଳୟରେ ରଖାଯାଇଛି। ଏହି ମାମଲା ପଞ୍ଜାବ ଲ’ ରିପୋର୍ଟର ଭଲ୍ୟୁମ ଏଲ୍‌.ଆଇ ୧୯୪୯ (ଜାନୁଆରି-ଡିସେମ୍ବର) ପୃଷ୍ଠା ୨୭୪ରୁ ୨୮୦ ପବ୍ଲିକ ଡୋମେନରେ ଉପଲବ୍ଧ ଏବ˚ ପୁଲିସ ଅନୁସନ୍ଧାନ ରିପୋର୍ଟ ସୁପ୍ରିମକୋର୍ଟରେ ନାହିଁ ବୋଲି ଶ୍ରୀ ଅଗ୍ରୱାଲ ଜଣାଇଥିଲେ। ତେବେ, ଶ୍ରୀ ଅଗ୍ରୱାଲଙ୍କ ଏହି ଉତ୍ତରରେ ଶ୍ରୀ ପଣ୍ତା ସନ୍ତୁଷ୍ଟ ନହୋଇ ଆବେଦନ କରିଥିଲେ। ଶେଷରେ ଜାତୀୟ ମୁଖ୍ୟ ସୂଚନା କମିସନର ଗତ ଫେବ୍ରୁଆରି ୨୮ ତାରିଖରେ ଏହାର ଶୁଣାଣି କରିଥିଲେ। ନିକଟରେ ସୂଚନା କମିସନଙ୍କ ରାୟ ପ୍ରକାଶ ପାଇଛି। ସୂଚନା କର୍ମୀ ପଣ୍ତା ତାଙ୍କର ଯୁକ୍ତିରେ କହିଥିଲେ ଯେ, ପଞ୍ଜାବ ଲ ରିପୋର୍ଟରେ ମାତ୍ର ୬ ପୃଷ୍ଠାର ତଥ୍ୟ ରହିଛି। ଅଭିଯୁକ୍ତ ଏବ˚ ସାକ୍ଷୀମାନଙ୍କର ବୟାନ ମାତ୍ର ୬ ପୃଷ୍ଠାରେ ରହିପାରିବ ନାହିଁ ଏବ˚ ସୂଚନା ଅଧିକାରୀ ତଥ୍ୟ ନଦେବା ପାଇଁ ସୂଚନା ଆଇନର ୭(୯) ଏବ˚ ୮(୧)ଙ ଧାରାର ଆଶ୍ରୟ ନେଇଛନ୍ତି ଯାହାକି ଠିକ ନୁହେଁ। କମିସନ ଭିଡିଓ କନଫରେନ୍ସରେ ଏହାର ଶୁଣାଣି କରି ଶ୍ରୀ ପଣ୍ତାଙ୍କୁ ଚାରି ସପ୍ତାହ ମଧୢରେ ଉପଯୁକ୍ତ ତଥ୍ୟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦେଶର ବିଭିନ୍ନ ସ୍ଥାନରେ ରହିଥିବା ଗାନ୍ଧୀ ହତ୍ୟା ସମ୍ପର୍କିତ ସମସ୍ତ ରେକର୍ଡକୁ ସାର୍ବଜନୀନ କରିବା ପାଇଁ ଶ୍ରୀ ପଣ୍ତା ବହୁ ଦିନ ଧରି ଉଦ୍ୟମ କରି ଆସୁଛନ୍ତି।

ସମ୍ବନ୍ଧିତ ଖବର