ପୁରୀ ବିଧାନସଭା ପରାଜୟର କାରଣ ସଂପର୍କରେ ମୁହଁ ଖୋଲିଲେ ମହେଶ୍ୱର ମହାନ୍ତି; କହିଲେ, ଅସନ୍ତୁଷ୍ଟ ଦଳୀୟ କର୍ମୀଙ୍କ ଷଡଯନ୍ତ୍ର ଯୋଗୁଁ ନିର୍ବାଚନରେ ପରାସ୍ତ ହେଲି

ଭୁବନେଶ୍ୱର : ନିର୍ବାଚନ ଫଳାଫଳ ଆସିବା ପରେ ଏବେ ଚାଲିଛି ମନ୍ଥନ । କେଉଁ କାରଣରୁ ହାରିଲେ ଦଳୀୟ ନେତା, ବିଜେଡି ସୁପ୍ରିମୋଙ୍କ ନେତୃତ୍ୱରେ ଚାଲିଛି କାରଣ ଖୋଜା । ଆଉ ଏହି କ୍ରମରେ ପୁରୀ ବିଧାନସଭା ପରାଜୟର କାରଣ ସଂପର୍କରେ ଯେଉଁ ବୟାନ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ତାହା ସମସ୍ତଙ୍କୁ ଚକିତ କରିଛି । ମହେଶ୍ୱର କହିଛନ୍ତି-ଦଳୀୟ କର୍ମୀଙ୍କ ଷଡଯନ୍ତ୍ର ଯୋଗୁଁ ସେ ପରାସ୍ତ ହୋଇଛନ୍ତି । ଆଉ ଏପଟେ ମହେଶ୍ୱର ମହାନ୍ତିଙ୍କ ପ୍ରତିଦ୍ୱନ୍ଦୀ ଥିବା ଜୟନ୍ତ ଷଡଙ୍ଗୀ ଟାଇମ୍ସ ଅଫ୍ ଇଣ୍ଡିଆକୁ ସାକ୍ଷତକାରରେ ଠିକ୍ ସେହି କଥା ହିଁ କହିଛନ୍ତି ।

ମହେଶ୍ୱର ମହାନ୍ତି ଖୋଲାଖୋଲି କହୁଛନ୍ତି ତାଙ୍କ ବିରୋଧରେ ବିଶ୍ୱାସଘାତକତା ହୋଇଛି । ଆଉ ଏହି ବିଶ୍ୱାସଘାତକତା ଯୋଗୁଁ ପୁରୀ ବିଧାନସଭା ଆସନରେ ପରାସ୍ତ ହୋଇଛନ୍ତି ମହେଶ୍ୱର । ବିଜେଡି ସୁପ୍ରିମୋଙ୍କ ନେତୃତ୍ୱରେ ପରାଜୟର କାରଣ ଖୋଜା ଚାଲିଥିବା ବେଳେ ପରାଜୟର ୩ଟି କାରଣ ରଖିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ପୁରୀ ଜିଲ୍ଲାର ଏହି ଟାଣୁଆ ନେତା । ନିଜ ଉପରେ ଅଧିକ ବିଶ୍ୱାସ, କର୍ମୀ ଓ ସହଯୋଗୀଙ୍କ ଉପରେ ଅଧିକ ଭରସା, କଂଗ୍ରେସର ଦୁର୍ବଳ ପ୍ରାର୍ଥୀ ।

ଏହି ୩ଟି କାରଣ ମଧ୍ୟରୁ ଯେଉଁ କାରଣଟି ତାଙ୍କୁ ଅଧିକ ବ୍ୟଥିତ କରିଛି ତାହା ହେଉଛି- ଦଳୀୟ କର୍ମୀଙ୍କ ଉପରେ ଅତ୍ୟଧିକ ବିଶ୍ୱାସ । ମହେଶ୍ୱରଙ୍କ କହିବା ଅନୁସାରେ କିଛି ବିଜେଡି କର୍ମୀ ତାଙ୍କ ବିରୋଧରେ ଷଡଯନ୍ତ୍ର କରିଛନ୍ତି । ଅନ୍ୟପଟେ ମହେଶ୍ୱର ମହାନ୍ତିଙ୍କ ବିରୋଧରେ ନିର୍ବାଚନ ଲଢିଥିବା ବିଜେପି ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ, ଟାଇମ୍ସ ଅଫ୍ ଇଣ୍ଡିଆକୁ ସାକ୍ଷତକାର ଦେଇ ଯାହା କହିଛନ୍ତି ତାହା ମହେଶ୍ୱରଙ୍କ ଅଭିଯୋଗକୁ ପ୍ରମାଣିତ କରିଛି ।

ଜୟନ୍ତ ଷଡଙ୍ଗୀ କହିଛନ୍ତି- ବିଜେଡିର କିଛି ଅସନ୍ତୁଷ୍ଟ ନେତା ଓ କର୍ମୀ ଗୁପ୍ତ ଭାବରେ ତାଙ୍କ ବିଜୟ ପାଇଁ ସହଯୋଗ କରିଥିଲେ । ଯେଉଁମାନେ ମହେଶ୍ୱର ମହାନ୍ତିଙ୍କ ପ୍ରତି ଅସନ୍ତୁଷ୍ଟ ଥିଲେ, ସେମାନେ ପଛ ଦ୍ୱାର ଦେଇ ମୋତେ ସମର୍ଥନ କରିଥିଲେ । ମହେଶ୍ୱର ମହାନ୍ତିଙ୍କ ଭୟରେ ସେମାନେ ଖୋଲାଖୋଲି ସମର୍ଥନ କରିନଥିଲେ ସତ, କିନ୍ତୁ ପରୋକ୍ଷରେ ମୋତେ ସହଯୋଗ ଦେଇଥିଲେ । ଯାହା ମୋର ବିଜୟ ପାଇଁ ଦ୍ୱାର ଖୋଲି ଦେଇଥିଲା । ମହେଶ୍ୱର ମହାନ୍ତି ନିଜ ପରାଜୟ ନେଇ ଯେଉଁ ସବୁ କାରଣ ଦେଖାଇଛନ୍ତି, ସେ ସବୁ କାରଣ ଭିତରୁ ଦଳୀୟ କର୍ମୀଙ୍କ ଅସହଯୋଗ କାରଣଟି ହୁଏତ ପୁରୀରେ ଦଳକୁ ପ୍ରଭାବିତ କରିଛି ।

ସମ୍ବନ୍ଧିତ ଖବର