ମହୋତ୍ସବ ସବୁବର୍ଗଙ୍କ ପାଇଁ ଆଧ୍ୟାତ୍ମିକ ଧାରଣା ସୃଷ୍ଟି କରିବ: ଗଜପତି

ଚିନ୍ମୟ ହନୁମତ୍‌ ମହୋତ୍ସବ ଡିସେମ୍ବର ୩ରୁ

କଟକ: ଚିନ୍ମୟ ମିଶନ ଆନୁକୂଲ୍ୟରେ ଚିନ୍ମୟ ହନୁମତ୍‌ ମହୋତ୍ସବ ଆସନ୍ତା ଡିସେମ୍ବର ୩ରୁ ୧୦ତାରିଖ ପର୍ଯ୍ୟନ୍ତ ୮ଦିନ ବ୍ୟାପୀ କଟକର ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ। ପରମପୂଜ୍ୟ ସ୍ୱାମୀ ତେଜୋମୟାନନ୍ଦ ସରସ୍ୱତୀ ମହାରାଜଜୀ ସଂଧ୍ୟା ୬ଟାରୁ ୮ଟା ପର୍ଯ୍ୟନ୍ତ ସନ୍ଥ ତୁଳସୀ ଦାସଙ୍କ ରଚିତ ହନୁମାନ ଚାଳିଶା ଉପରେ ପ୍ରବଚନ ପ୍ରଦାନ କରିବେ। ଏଥିପାଇଁ ଡିସେମ୍ବର ୨ତାରିଖ ଅପରାହ୍ନ ୪ଟାରେ ତିନିକୋଣିଆବଗିଚାରୁ ଏକ କଳସ ଶୋଭାଯାତ୍ରା ବାହାରି ବାଲିଯାତ୍ରା ପଡ଼ିଆ ଉତ୍ସବସ୍ଥଳକୁ ଯିବ। ଡିସେମ୍ବର ୩ତାରିଖ ସଂଧ୍ୟା ୬ଟାରେ ମହୋତ୍ସବକୁ ଦିବ୍ୟ ଜୀବନ ସଂଘ ମୁଖ୍ୟ କାର୍ଯ୍ୟାଳୟ ଉପସଭାପତି ସ୍ୱାମୀ ନିର୍ଳିପ୍ତାନନ୍ଦ ସରସ୍ୱତୀ ମହାରାଜ ଉଦ୍‌ଘାଟନ କରିବେ ବୋଲ ବାରବାଟୀ ଷ୍ଟାଡିିୟମସ୍ଥିତ ଓସିଏ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ହେବ ସୂଚନା ଦେଇଛନ୍ତି। ମହୋତ୍ସବର ଅନ୍ତିମ ଦିବସ ଡିସେମ୍ବର ୧୦ତାରିଖ ସକାଳ ୭ଟାରୁ ଅପରାହଣ ୫ଟା ପର୍ଯ୍ୟନ୍ତ ଶ୍ରୀହନୁମାନ ମହାଯଜ୍ଞ ଅନୁଷ୍ଠିତ ହେବ। ହନୁମାନ ଚାଳିଶା କର୍ମ, ଭକ୍ତି, ଜ୍ଞାନର ନିର୍ଯାସ ବହନ କରୁଥିବାରୁ ଏହି ବିଶାଳ ଅଧ୍ୟାତ୍ମିକ କାର୍ଯ୍ୟକ୍ରମ ସବୁବର୍ଗର ଜନସାଧାରଣଙ୍କ ପାଇଁ ଆଧ୍ୟାତ୍ମିକ ଧାରଣା ସୃଷ୍ଟି କରିବା ସହିତ ବେଶ୍‌ ଉପକାରୀ ସାଧିତ ହେବ ବୋଲି ଗଜପତି ଦିବ୍ୟସିଂହ ଦେବ ପ୍ରକାଶ କରିଛନ୍ତି।

ଉଦ୍‌ଘାଟନୀ ଉତ୍ସବରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିବେ। ଏଥିରେ ଚିନ୍ମୟ ମିଶନ ଅଧ୍ୟକ୍ଷ ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜ ଉଦ୍‌ବୋଧନ ଦେବେ। ପ୍ରାରମ୍ଭିକ କାର୍ଯ୍ୟକ୍ରମ ପରେ ପୂଜ୍ୟ ସ୍ୱାମୀ ତେଜୋମୟାନନ୍ଦ ସରସ୍ୱତୀ ମହାରାଜଜୀ ହିନ୍ଦୀ ଭାଷାରେ ପ୍ରବଚନ ପ୍ରଦାନ କରିବେ। ଡିସେମ୍ବର ୪ରୁ ୯ ତାରିଖ ପର୍ଯ୍ୟନ୍ତ ସକାଳ ସାଢ଼େ ୬ଟାରୁ ୭ଟା ହନୁମାନ ପୂଜା ଓ ୭ଟାରୁ ୮ଟା ପର୍ଯ୍ୟନ୍ତ ସ୍ୱାମୀ ସଦାନନ୍ଦ ସରସ୍ୱତୀଙ୍କ ଦ୍ୱାରା ପ୍ରବଚନ ପ୍ରଦାନ କରାଯିବ। ପରେ ସମବେତ ହନୁମାନ ଚାଳିଶାପାଠ କରାଯିବ। ଅପରାହ୍‌ଣରେ ଛାତ୍ରଛାତ୍ରୀ ଓ ଯୁବସମାଜ ପାଇଁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ନିଆରା ଆଧ୍ୟାତିକ କାର୍ଯ୍ୟକ୍ରମରେ ବହୁ ସଂଖାରେ ଯୋଗଦେବାକୁ ଗଜପତି ଆହ୍ଵାନ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଚିନ୍ମୟ ମିଶନ ଓଡ଼ିଶା ମୁଖ୍ୟ ସ୍ୱାମୀ ସଦାନନ୍ଦ ସରସ୍ୱତୀ, ସାମୀ କୃଷ୍ଣପ୍ରେମାନନ୍ଦ ସରସ୍ୱତୀ, ବ୍ରହ୍ମଚାରୀ ଗର୍ଗଚୈତନ୍ୟ, ଅଭ୍ୟର୍ଥନା କମିଟି ଉପାଧ୍ୟକ୍ଷ ଡକ୍ଟର କିଶନଲାଲ୍‌ ଅଗ୍ରଓ୍ଵାଲ୍‌ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବାକୁ ପରାମର୍ଶ ଦେଇଥିଲେ। ଅଭ୍ୟର୍ଥନା ସମିତି ସହସଂପାଦକ ସଂଗ୍ରାମ କେଶରୀ କରଣ ସାମ୍ବାଦିକ ସମ୍ମିଳନୀ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର