ଶିକାର ହୋଇଛି ମହାବୀର!

ଝିଙ୍କ ଖାଇ ମରିବା କଥାକୁ ବିଶେଷଜ୍ଞଙ୍କ ସନ୍ଦେହ

ଭୁବନେଶ୍ବର: ସାତକୋଶିଆର ମହାବଳ ‘ମହାବୀର’ ମଲା କେମିତି? କିଏ ମାରିଲା? ଶିକାରୀଙ୍କ ଫାଶରେ ପଡ଼ି ମଲା ନା ତୀର ମାଡ଼ରେ ମରିଛି? ଝିଙ୍କ ଖାଇବାରୁ ‘ମହାବୀର’ର ମୃତ୍ୟୁ ହୋଇଥିବା ନେଇ ଗତକାଲି ବନ ବିଭାଗ ପକ୍ଷରୁ ସଫେଇ ଦିଆଯାଇଥିବା ବେଳେ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ। ସେମାନେ ସନ୍ଦେହ ପ୍ରକାଶ କରିଛନ୍ତି। କୌଣସି ଜୀବଜନ୍ତୁ ଖାଇବା ଦ୍ବାରା ନୁହେଁ ବରଂ ବାହାରୁ କୌଣସି ତୀକ୍ଷ୍ଣ ସାମଗ୍ରୀ ଦ୍ବାରା ଆଘାତ ହେବାରୁ ‘ମହାବୀର’ର ମୃତ୍ୟୁ ହୋଇଛି। ଘଟଣା ପଛର କୌଣସି ଏକ ରହସ୍ୟ ଲୁଚାଇବାକୁ ଉଦ୍ୟମ ହେଉଥିବା ନେଇ ସେମାନେ ସନ୍ଦେହ ପ୍ରକାଶ କରିଛନ୍ତି। ମହାବଳକୁ ସୁରକ୍ଷା ଦେଇ ନପାରି ପ୍ରକୃତ ସତ୍ୟ ଲୁଚାଇବାକୁ ବନ ବିଭାଗ ଅଧିକାରୀମାନେ ଲାଗି ପଡ଼ିଥିବା ଅଭିଯୋଗ ହୋଇଛି। ‘ମହାବୀର’ର ଶବ ବ୍ୟବଚ୍ଛେଦ ରିପୋର୍ଟରେ କୁହାଯାଇଛି ଯେ ତା’ ପେଟରୁ ୮ରୁ ୧୦ଟି ଝିଙ୍କ କାଠି ବାହାରିଛି। ଏଥିସହ ବାର୍‌ହାର ଲୋମ ମଧ୍ୟ ମିଳିଛି। ଝିଙ୍କ ମାରି ଖାଇଥିବାରୁ ତାହା ସଂକ୍ରମିତ ହୋଇ ମୃତ୍ୟୁ ହୋଇଥିବା ସନ୍ଦେହ ପ୍ରକାଶ କରିଥିଲେ ବନ ବିଭାଗ ଅଧିକାରୀ। କିନ୍ତୁ ଏଭଳି କଥାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ବିଶେଷଜ୍ଞ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) ବି‌ଶେଷଜ୍ଞ ସୁଶେନ ପଣ୍ଡା ଗଣମାଧ୍ୟମେକୁ କହିଛନ୍ତି ଯେ ବହୁ ପୂର୍ବରୁ ବାଘ ବେକରେ ଆଘାତ ହୋଇଛି। ବାଘଗୁଡ଼ିକ ବଡ଼ ବଡ଼ ହାଡ଼ ଖାଇ ଦିଅନ୍ତି। ଝିଙ୍କ ମାରି ଖାଇବା କିଛି ନୂଆ ନୁହେଁ। ବାଘ ଝିଙ୍କ ଖାଇଥିବାରୁ ତା’ ପେଟରେ ଘା’ ହେବା କଥା। କିନ୍ତୁ ସେଭଳି କିଛି ହୋଇନି। ବାହାର ଆଡ଼ୁ ବାଘ ଶରୀରକୁ କିଛି ବଡ଼ ଆଘାତ ଲାଗିଛି। ଯେଉଁଥିପାଇଁ ଏତେ ବଡ଼ଧରଣର ଘା’ ହୋଇଛି। ପରବର୍ତୀ ସମୟରେ ସଂକ୍ରମିତ ହେବାରୁ ତାହାର ମୃତ୍ୟୁ ହୋଇଛି।

ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବା କଥା ହେଲା ତରବରିଆ ଭାବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଠିକ୍‌ ଭାବେ ଅନୁଧ୍ୟାନ କରାଯାଇ ନାହିଁ। ଝିଙ୍କ ମାରି ଖାଇବା ବାଘର ନିତିଦିନିଆ କଥା। ସେଥିରେ ନୂତନତ୍ବ କିଛି ନାହିଁ। ଯେଉଁଭଳି ଘା’ ହୋଇଛି ସେଥିରୁ ଜଣାପଡ଼ୁଛି ଯେ କୌଣସି ତୀକ୍ଷ୍ଣ ସାମଗ୍ରୀ ଦ୍ବାରା ବାହାରୁ ଆଘାତ ହୋଇଛି। ୬ରୁ ୭ ଦିନ ଧରି ଆଘାତ ପାଇବା ପରେ ସେଥିରେ ପୋକ ଲାଗିଛି। ପରବର୍ତୀ ସମୟରେ ତାହା ବାଘର ସମ୍ପୂର୍ଣ୍ଣ ଶରୀରକୁ ବ୍ୟାପି ଯାଇଥିଲା। ୨୪ ଘଣ୍ଟା ଧରି ରେଡିଓ କୋଲାର ମାଧ୍ୟମରେ କ’ଣ ଅନୁଧ୍ୟାନ କରାଯାଉଥିଲା? ଆଘାତ ଲାଗିବାରୁ ୬ରୁ ୭ ଦିନ ଧରି ମହାବଳ ଅସୁସ୍ଥ ହୋଇଛି। ଚଲାବୁଲା କରିପାରି ନଥିବ। ହେଲେ ବନ ବିଭାଗ ଅଧିକାରୀମାନେ ଏକଥା ଜାଣିପାରିଲେନି କେମିତି? ଶିକାରୀଙ୍କ ପଞ୍ଝାରେ ପଡ଼ି ‘ମହାବୀର’ର ମୃତ୍ୟୁ ହୋଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ତାକୁ ଶିକାର କରାଯାଇଛି। ତା’ ବେକକୁ ତୀର ମରାଯାଇଛି ନହେଲେ ଫାଶରେ ବେକ ଲାଗିଯିବାରୁ ମୃତ୍ୟୁ ହୋଇଛି। ବିଶେଷଜ୍ଞମାନଙ୍କ ଆଶଙ୍କା ହେଉଛି ଯେ ମହାବଳ କିଭଳି ମଲା ଜଣାପଡ଼ିନି। ତଦନ୍ତ ଜାରି ରହିଥିବା ବେଳେ ଦୁଇ ଦିନ ତଳେ ବନ ବିଭାଗର ଅଧିକାରୀମାନେ କହିଥିଲେ ଯେ ସାତକୋଶିଆର କୋର ଏରିଆରେ ଶହେରୁ ଅଧିକ କ୍ୟାମେରା ଲଗାଯିବ। ବାଘ ଛାଡ଼ିବା ପୂର୍ବରୁ ଏଭଳି ଯୋଜନା ହୋଇନଥିଲା। ହେଲେ ମହାବଳ ମରିବା ପରେ କ’ଣ ପାଇଁ ଏଭଳି ନିଷ୍ପତ୍ତି ନିଆଗଲା। କ୍ୟାମେରା ଲଗାଇବା ପାଇଁ କାହିଁକି ଆଗ୍ରହ ପ୍ରକାଶ କଲା ବନ ବିଭାଗ? ଏଥିରୁ ଯାହା ଜଣାପଡ଼ୁଛି ଯେ ମହାବଳର ମୃତ୍ୟୁ ପଛରେ ଶିକାରୀଙ୍କ ହାତ ରହିଛି। ଜଣାପଡ଼ିବା ପରେ ତଦନ୍ତ ଚାଲିଥିବାରୁ ବନ ବିଭାଗ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର