ନିଆଳିରେ ନିଆରା ମାଇପି ମେଳା : ୫୦ ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ

ନିଆଳି : ନିଆଳି ନିକଟ ପ୍ରାଚୀ ନଦୀ କୂଳ ନରିଶୋ ପଞ୍ଚାୟତର ଛିଟିକିଣା ଗ୍ରାମରେ ଆୟୋଜିତ ହୋଇଛି ନିଆରା ‘ମାଇପି ମେଳା’ ବା ‘ବୁଢୀ ମେଳା’। ଏହି ଉତ୍ସବରେ ବୃକ୍ଷ ଦେବତାଙ୍କୁ ପୂଜା କରାଯାଏ। ବୃକ୍ଷତଳେ ଆସ୍ଥାନ ନିର୍ମାଣ କରାଯାଇ ଅଜ୍ଞାତ ମହାପୁରୁଷଙ୍କ କଠଉ ସ୍ମାରକୀ ରୂପରେ ରଖି ପୂଜା କରାଯାଏ। କିନ୍ତୁ ଏହି ମେଳାର ବିଶେଷତ୍ବ ହେଉଛି କେବଳ ମହିଳାମାନେ ଏଠାରେ ପୂଜା କରନ୍ତି।

ପ୍ରତିବର୍ଷ ଚୈତ୍ରମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଶଗଡ଼ବାଟୁଆ କୋଳିଗଛକୁ ବନବିହାରୀ ଦେବଙ୍କ ରୂପରେ ଶ୍ରଦ୍ଧାଳୁମାନେ ପୂଜା କରିଥାନ୍ତି। ଏଥିପାଇଁ ମେଳା ସ୍ଥଳରେ ହଜାର ହଜାର ମହିଳା ଓ ଯୁବତୀଙ୍କ ସମାଗମ ହୋଇଥାଏ। ମହିଳାମାନେ ମାନସିକ ପୂରଣ ପାଇଁ ସୂର୍ଯୋଦୟ ପୂର୍ବରୁ ମୁଣ୍ଡ ପାଖରେ ନଡ଼ିଆ ରଖି ଗୁହାରିଆ ପଡ଼ିଥାନ୍ତି। ଦ୍ବିପ୍ରହର ବେଳକୁ ଏହି ନଡ଼ିଆ ଆପେ ଆପେ ଫାଟିଯିବା ଭଳି ଅଲୈକିକ ଘଟଣା ହେଉଛି ଏହି ମେଳାର ଆଉ ଏକ ବିଶେଷତ୍ବ। କେବଳ ମହିଳାମାନେ ମେଳାରେ ପୂଜାର୍ଚ୍ଚନା କରୁଥିବାରୁ ଏହାକୁ ମାଇପି ମେଳା ବା ବୁଢୀ ମେଳା କୁହାଯାଏ। ଏଠାରେ ଠାକୁରଙ୍କ ପାଖରେ ଚୁଡ଼ାଘଷା, କଦଳୀ ଓ ଅନ୍ୟାନ୍ୟ ଫଳଭୋଗ ଲାଗି କରାଯାଇଥାଏ। ମାନସିକ ପୂରଣ ହେଲେ ଏଠାରେ ପତାକା ଓ ଚାନ୍ଦୁଆ ବାନ୍ଧିବାର ପରମ୍ପରା ରହିଛି। ପ୍ରତିବର୍ଷ ମାନସିକ ପୂରଣ ହୋଇଥିବା ଶହ ଶହ ଶ୍ରଦ୍ଧାଳୁ ଏଠାକୁ ଆସି ପତାକା ବାନ୍ଧିବାର ଦେଖାଯାଇଥାଏ। ପ୍ରାୟ ୧୦୦ବର୍ଷ ତଳୁ ଆରମ୍ଭ ହୋଇଥିବା ଏହି ମେଳାରେ ହଜାର ହଜାର ମହିଳା ସମାଗମ ସତ୍ତ୍ବେ ଆଜି ପର୍ଯ୍ୟନ୍ତ ସେପରି କୌଣସି ଅପ୍ରୀତିକର ଘଟଣା ଘଟିନାହିଁ ବୋଲି ସ୍ଥାନୀୟ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଚଳିତବର୍ଷ ସ୍ଥାନୀୟ ପୁଲିସ ପ୍ରଶାସନ ଓ କମିଟି ପକ୍ଷରୁ ମେଳାକୁ ଶାନ୍ତିଶୃଙ୍ଖଳାର ସହିତ ପାଳନ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ଏହି ମେଳାରେ ୫୦ ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର