ମକା ଛାଡ଼ି ଚାଷୀ ଏବେ ନୀଳଗିରି ମୁହାଁ

ମକାକୁ ମିଳୁନି ସରକାରୀ ପ୍ରୋତ୍ସାହନ, ପାଣି ଶୋଷି ନେଉଛି ନୀଳଗିରି, ମାଟି ହେଉଛି ବନ୍ଧ୍ୟା

ନବରଙ୍ଗପୁର : ଦିନ ଥିଲା ନବରଙ୍ଗପୁର ଜିଲ୍ଲା ମକା ଚାଷ ସାରା ଏସିଆ ମହାଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିଲା। କିନ୍ତୁ ଦୀର୍ଘ ବର୍ଷ ଧରି ସରକାରୀ କଳର ଉଦାସୀନତା, ‌େପ୍ରାତ୍ସାହନ ଅଭାବ ଓ ଅଭାବୀ ବିକ୍ରି ଯୋଗୁ ଏବେ ମକା ଚାଷୀଙ୍କ ମଧ୍ୟରେ ଏହି ଚାଷ ପ୍ରତି ଆଗ୍ରହ କମିବାରେ ଲାଗିଛି। ଏବେ କିଛି ବର୍ଷ ହେଲା ଚାଷୀ ମକା ଚାଷ ଛାଡ଼ି ୟୁକାଲିପଟାସ୍‌ (ନୀଳଗିରି) ଚାଷ ପ୍ରତି ମନ ବଳାଇଛନ୍ତି। ଏହାର ମୁଖ୍ୟ କାରଣ ହେଲା, ସେମାନଙ୍କୁ ଉଚିତ ଦର ମିଳୁ ନାହିଁ। ମକା ଛାଡି ଚାଷୀ ଏବେ ନୀଳଗିରି ଚାଷ ମୁହାଁ ହୋଇଛନ୍ତି।

ନୀଳଗିରି ଗଛ ଥରେ ଲଗାଇ ଛାଡିଦେଲେ ପ୍ରତି ୫ ବର୍ଷରେ ବିନା ଖର୍ଚ୍ଚରେ ୨୦ ବର୍ଷ ପର୍ଯ୍ୟନ୍ତ ଆୟ ହେଉଛି। ତେବେ ଏହି ଗଛ ଅଧିକ ପରିମାଣରେ ଭୂତଳ ଜଳ ଶୋଷିବା ସହ ଜମିର ଉର୍ବରତା ମଧ୍ୟ କମିବାରେ ଲାଗିଛି। ନୀଳଗିରି ଗଛ ଚାଷ ବଢ଼ୁଥିବାରୁ ଜିଲ୍ଲାରେ ଆଗାମୀ ଦିନରେ ଜଳ ସଂକଟ ସହ ସବୁ କୂପ ଓ ପୋଖରୀ ଶୁଖିଯିବା ଆଶଙ୍କା ସୃଷ୍ଟି ହୋଇଛି। କେବଳ ଜଳସଂକଟ କାହିଁକି, ଗଛ ଲାଗୁଥିବା ଜମିର ମାଟି ନିଷ୍ଫଳା ହୋଇଯିବ ବୋଲି ପରିବେଶବିତ ମତ ପ୍ରକାଶ କରିଛନ୍ତି। ଜିଲ୍ଲାରେ ମକା ମଣ୍ଡିରେ ପ୍ରତ୍ୟକ୍ଷ ଭାବେ ବ୍ୟବସାୟୀ ମକା କିଣିବା ବ୍ୟବସ୍ଥା ନଥିବାରୁ ଏହାର ଫାଇଦା ନେଇ ବାହାରୁ ବ୍ୟବସାୟୀ ତଥା ଦଲାଲ ଆସି ଦର ନିର୍ଧାରିତ କରୁଛନ୍ତି। କୌଣସି ବିକଳ୍ପ ନଥିବାରୁ ଚାଷୀ ମଧ୍ୟ ସେହି ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଅପରପକ୍ଷେ ସରକାର ଚାଷୀଙ୍କୁ ମକାର ଉଚିତ ଦର ଦେବା ପାଇଁ ଯାନ୍ତ୍ରିକ ଜାତୀୟ କୃଷିବଜାର ବ୍ୟବସ୍ଥା କରିଛନ୍ତି। ଏହି ବ୍ୟବସ୍ଥା ଅନୁଯାୟୀ ମକା ଚାଷୀମାନେ ନିଜ ନାମ ଅନଲାଇନରେ ପଞ୍ଜିକରଣ କରିବେ। ପଞ୍ଜୀକୃତ ଚାଷୀ ଆର୍‌ଏମ୍‌ସି ବଜାର ଗୋଦାମକୁ ଉତ୍ପାଦିତ ମକା ଆଣିବ। ତେବେ ଏହି ବ୍ୟବସ୍ଥା ଜିଲ୍ଲାର କେବଳ ନବରଙ୍ଗପୁର , ରାଇଘର, ଝରିଗାଁ, କୋଷାଗୁମୁଡା ଓ ଉମରକୋଟ ଠାରେ ହିଁ ରହିଛି। ଦୂରଦୂରାନ୍ତ ତଥା ଗ୍ରାମାଞ୍ଚଳ ଚାଷୀ ଏଠାକୁ ଆଣି ବିକ୍ରି କରିବା ସମ୍ଭବ ପର ହୋଇପାରୁ ନାହିଁ। ଯେଉଁ ଚାଷୀମାନେ ମକାର ଉଚିତ ଦର ପାଉନାହାନ୍ତି ସେମାନେ ଧୀରେ ଧୀରେ ମକା ଚାଷରୁ ଦୂରେଇ ଯାଉଛନ୍ତି। ଗତ ୪ ବର୍ଷ ପୂର୍ବେ ମକାର ଦର ବହୁ ପରିମାଣର ଖସିଯିବାରୁ ଅଧିକ ମକା ଉତ୍ପାଦନ ହେଉଥିବା ଉମରକୋଟ, ଝରିଗାଁ ଓ ରାଇଘର ଚାଷୀ ମକା ଚାଷ ଛାଡି ନୀଳଗିରି ଗଛ ଲଗାଇଲେ। ଅପରପକ୍ଷେ ମକା ପ୍ରକ୍ରିୟାକରଣ ପାଇଁ ମଧ୍ୟ ସେଭଳି ବ୍ୟବସ୍ଥା ହୋଇପାରି ନାହିଁ। ପାପଡାହାଣ୍ଡି ଓ କୋଷାଗୁମୁଡା ବ୍ଲକରେ ମକା ପ୍ରକ୍ରିୟାକରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲେ ମଧ୍ୟ ତାହା ଅଟକିଯାଇଛି।

ଚାଷୀ ତଥା ଜିଲ୍ଲାପରିଷଦ ସଭ୍ୟ ସୁଦର୍ଶନ ମାଝୀଙ୍କ କହିବା କଥା ହେଲା, ମକା ଚାଷୀଙ୍କୁ କୌଣସି ପ୍ରକାର ସରକାରୀ ପ୍ରୋତ୍ସାହନ ମିଳୁନି। ଏପରିକି ଚାଷୀଙ୍କୁ ରିହାତି ଓ ଉନ୍ନତ ମାନର ବିହନ ବି ମିଳୁନାହିଁ। ମକା ଚାଷ ପାଇଁ ସାର ଓ କୀଟନାଶକ ମିଳୁନାହିଁ କି କୃଷି ବିଭାଗ ପକ୍ଷରୁ କୌଣସି ବୈଷୟିକ ପରାମର୍ଶ ମଧ୍ୟ ମିଳୁନାହିଁ ବୋଲି ଶ୍ରୀ ମାଝୀ କହିଛନ୍ତି।

ଅନୁସନ୍ଧାନରୁ ଜଣାପଡିଛି, ରାଇଘର ବ୍ଲକରେ ସରକାରୀ ଭାବେ ମକା ଚାଷ ଜମି ବାସ୍ତବତା ଠାରୁ ଅଲଗା। ଅଧିକାଂଶ ଚାଷୀ ନିଜ ଜମିରେ ନୀଳଗିରି ଗଛ ଲଗାଇଥିବା ବେଳେ ଜଙ୍ଗଲ ଜମି ଓ ସଂରକ୍ଷିତ ଜଙ୍ଗଲକୁ ସଫା କରି ନିଜ ଅକ୍ତିଆରକୁ ନେଇ ମକା ଚାଷ କରୁଛନ୍ତି। ଏପରିକି ଜଙ୍ଗଲ ଜମିରେ ବି ନୀଳଗିରି ଗଛ ଲଗାଇ ବିକ୍ରି କରୁଥିବା ନଜିର ରହିଛି। ସାଧାରଣତଃ ଏକର ପିଛା ୨୦ ରୁ ୩୦ କୁଇଣ୍ଟାଲ ପର୍ଯ୍ୟନ୍ତ ମକା ଉତ୍ପାଦନ ହୋଇଥାଏ। ଯାହାର ମୂଲ୍ୟ ପ୍ରାୟ ୪୫ ହଜାର ଟଙ୍କା ମଧ୍ୟରେ ହୋଇଥାଏ। ଏଥି ପାଇଁ ଚାଷୀ ୨୦ ରୁ ୨୨ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି। ଅପରପକ୍ଷେ ଚାଷୀ ନୀଳଗିରି ଗଛ ଲଗାଇଲେ ଏକର ପିଛା ମାତ୍ର ୨୦ ହଜାର ଟଙ୍କା ଖର୍ଚ୍ଚ କରି ୫ ବର୍ଷ ପରେ ୧ ଲକ୍ଷରୁ ଅଧିକ ଟଙ୍କା ଆୟ କରୁଛନ୍ତି। ଥରେ ଖର୍ଚ୍ଚ କଲେ ୫ ବର୍ଷ ପର୍ଯ୍ୟନ୍ତ କୌଣସି ଖର୍ଚ୍ଚ କରିବାକୁ ପଡେ ନାହିଁ। ଏହି ଫସଲ ୨୦ ବର୍ଷ ପର୍ଯ୍ୟନ୍ତ କେବଳ ଲାଭ ହିଁ ଦେଇଥାଏ।

ତେବେ ଏହାର କୁପ୍ରଭାବ ମଧ୍ୟ ଦୃଷ୍ଟିଗୋଚର ହେଲାଣି। ରାଇଘର ଓ ଉମରକୋଟ ବ୍ଲକରେ ଯେଉଁ ଅଞ୍ଚଳରେ ନୀଳିଗିରୀ ଗଛ ଲଗାଯାଇଛି ସେହି ଅଞ୍ଚଳରେ ପୋଖରୀ ଶୁଖିଯାଉଥିବା ବେଳେ ନଳକୂପ ଗୁଡିକରେ ବି ଜଳ ସ୍ତର କମିବାରେ ଲାଗିଛି। ଏବେ ଜିଲ୍ଲାର ରାଇଘର, ଝରିଗାଁ, ଉମରକୋଟ, ଡାବୁଗାଁ ଓ କୋଷାଗୁମୁଡା ବ୍ଲକରେ ନୀଳଗିରୀ ଗଛ ସଂଖ୍ୟା ବଢ଼ିବାରେ ଲାଗିଛି। ଯଦି ଏପରି ନୀଳଗିରି ଚାଷ ଚାଲେ ଆଗାମୀ ଦିନରେ ନବରଙ୍ଗପୁରର ଅଧା ଜିଲ୍ଲାରେ ଜଳ ସଂକଟ ଦେଖାଯିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର

Comments are closed.