ମକା ଚାଷୀ ଅଭାବୀ ବିକ୍ରିର ଶିକାର

ତେନ୍ତୁଳିଖୁଣ୍ଟି/କୋଷାଗୁମୁଡା : ନବରଙ୍ଗପୁର ଜିଲ୍ଲାରେ ମକା ଫସଲ ଅମଳ ଆରମ୍ଭ ହୋଇଥିବା ବେଳେ ତେନ୍ତୁଳିଖୁଣ୍ଟି ଏବଂ କୋଷାମୁଗୁଡା ବ୍ଲକରେ ଏପର୍ଯ୍ୟନ୍ତ ମକା ମଣ୍ଡି ଖୋଲାଯାଇନି। ଯାହାଫଳରେ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ବ୍ୟବସାୟୀ ଚାଷୀଙ୍କ ଠାରୁ ଶସ୍ତାରେ କିଣି ମାଲାମାଲ ହେଉଥିବା ବେଳେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି। ଅମଳ ଆରମ୍ଭରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଚାଷୀ ମାରଣନୀତିକୁ ତୀବ୍ର ସମାଲୋଚନା କରାଯାଇଛି।

ସୂଚନାଥାଉକି, ଚଳିତ ବର୍ଷ ଏଠାରେ ୪୮୫୬ ହେକ୍ଟର ଜମିରେ ମକା ଚାଷ ହୋଇଛି। ସେଥିମଧ୍ୟରୁ ତେନ୍ତୁଳିଖୁଣ୍ଟି ପଞ୍ଚାୟତରେ ୨୯୯ ହେକ୍ଟର ଜମିରେ ଚାଷ ହୋଇଥିବା ବେଳେ ପୂଜାରିଗୁଡାରେ ୩୫୭, ଦିଗିରେ ୪୬୨, ଲମତାଗୁଡାରେ ୪୩୩, ମଞ୍ଚାଗାଁରେ ୨୯୪, ବାରେଙ୍ଗପଦରରେ ୪୪, ଗୌଡଦେୟପାଲିରେ ୨୬, ଅଞ୍ଚଳଗୁମ୍ମାରେ ୪୯୪, ପାତ୍ରପୁଟରେ ୪୪୮, ଅମଳାଭଟ୍ଟାରେ ୪୦୨, ଝରିଗୁମ୍ମାରେ ୩୧୧, କୁକୁଡାବାଇରେ ୩୨୪, କଂଗ୍ରାରେ ୪୪୩ ଜମିରେ ମକା ଚାଷ ହୋଇଥିବା କୃଷି ବିଭାଗ ସୂତ୍ରରୁ ଜଣାପଡିଛି। ସେହିପରି ୫ଶହ ହେକ୍ଟର ଜମିରେ ହାଇବ୍ରିଡ ବିହନରେ ଚାଷ ହୋଇଥିବା ଜଣାପଡିଛି। ଚଳିତ ବର୍ଷ ଚାଷୀ ବହୁତ କଷ୍ଟରେ ମକା ଚାଷ କରିଥିବା ବେଳେ ପାଗ ଅନୁକୂଳ ଥିଲା। କିନ୍ତୁ ଲ୍ୟାମ୍ପସ ପକ୍ଷରୁ ଚାଷୀଙ୍କୁ ଆବଶ୍ୟକ ସାର ଯୋଗାଇବାରେ ବିଫଳ ହେବାରୁ ଖୋଲା ବଜାରରେ ଚଢା ଦରରେ କିଣିବାକୁ ପଡିଥିଲା। ମକା ଚାଷ ପାଇଁ ଚାଷୀଙ୍କୁ ଏକର ପିଛା ୧୨ରୁ ୧୪ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ କରିଛନ୍ତି।

ଅନ୍ୟପଟେ ସରକାରୀ ଦରରେ ମକା ବିକ୍ରି କରି ଋଣ ଶୁଝିବା ସହ ଦିପଇସା ରୋଜଗାର କରିବା ପାଇଁ ମନସ୍ଥ ହୋଇଥିବା ବେଳେ ମଣ୍ଡି ନଖୋଲି ଚାଷୀ ମୁଣ୍ଡରେ ଚଡକ ପଡିଛି। ସରକାରଙ୍କ ପକ୍ଷରୁ ମକା କ୍ୱିଣ୍ଟାଲ ପିଛା ୧୩୬୫ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଖୁଚୁରା ବ୍ୟବସାୟୀ ଗାଁ ଗାଁ ବୁଲି ୮ଶହରୁ ୧୧ଶହ ଟଙ୍କାରେ କିଣୁଥିବାରୁ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି। ପ୍ରକାଶଥାଉକି ତେନ୍ତୁଳିଖୁଣ୍ଟି ବ୍ଲକରେ ବିଗତ ବର୍ଷ ୧୦ହଜାର ହେକ୍ଟର ପର୍ଯ୍ୟନ୍ତ ମକା ଚାଷ ହେଉଥିଲା। କିନ୍ତୁ ଚାଷୀଙ୍କୁ ଆବଶ୍ୟକ ପ୍ରୋତ୍ସାହନ ଏବଂ ସୁବିଧା ଯୋଗାଇ ଦିଆଯାଉନଥିବାରୁ କମିବାରେ ଲାଗିଛି। ମକା ଚାଷ ପାଇଁ ନବରଙ୍ଗପୁର ଜିଲ୍ଲା ଦେଶରେ ଏକ ନମ୍ବର ମାନ୍ୟତା ପାଇଥିବା ବେଳେ ଚାଷୀଙ୍କୁ ଉଚିତ୍‌ ପ୍ରୋତ୍ସାହନ ସହ ଅଭାବି ବିକ୍ରି ଯୋଗୁଁ ଚାଷୀ ମକା ଚାଷରୁ ନିବୃତ୍ତ ରହିବାକୁ ବାଧ୍ୟ ହେଉଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ମଣ୍ଡି ଖୋଲାଯିବା ସହିତ ଚାଷୀଙ୍କୁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦେଲେ ମକା ଚାଷ ପୂର୍ବଭଳି ବୃଦ୍ଧି ପାଇବ ବୋଲି ତେନ୍ତୁଳିଖୁଣ୍ଟି ଚାଷୀ ନାରାୟଣ ପାତ୍ର, ସନ୍ତୋଷ ପାତ୍ର, ଜିଲ୍ଲା କଂଗ୍ରେସ କମିଟି ଆଦିବାସୀ ସେଲ ସଭାପତି ଅଖିଳ ଭତ୍ରା, କୋଷାଗୁମୁଡା ଚାଷୀ ଲଛମି ନାୟକ, ରୟିନୁ ଗୌଡ, ରୟିନୁ ଭତରା, ବିଷ୍ଣୁ କୁମ୍ଭାର, ପୂର୍ଣ୍ଣ ଗୌଡ, ତିଲକ ଗୌଡ, ଲଛମି ସାନ୍ତା କହିଛନ୍ତି।

ସମ୍ବନ୍ଧିତ ଖବର