ରାସ୍ତାରେ ମକା ଢାଳି ଚାଷୀଙ୍କ ପ୍ରତିବାଦ

୭ ଘଣ୍ଟା ପାଇଁ ନବରଂଗପୁର ଠପ୍‌

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ସରକାରଙ୍କ ମକା ମଣ୍ଡି ଖୋଲିବା ପ୍ରହସନ ପାଲଟିଛି। କ୍ୱିଣ୍ଟାଲ ପିଛା ୧୪୨୫ ଟଙ୍କା ଦର ଧାର୍ଯ୍ୟ କରିଥିଲେ ମଧ୍ୟ ମଣ୍ଡିରେ ୧ ହଜାର ଦର ଲଗାଉଛନ୍ତି। ମଣ୍ଡିରେ ମକା ବିକ୍ରି କରି ନପାରି ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛି। ଅଭିଯୋଗ କଲେ ପ୍ରଶାସନ କୌଣସି ପଦକ୍ଷେପ ନେଉନି। ସରକାରୀ ସ୍ଥାଣୁତା ପାଇଁ ତାତିଛନ୍ତି ମକା ଚାଷୀ। ଆଜି ରାଜ ରାସ୍ତାରେ ମକା ଢାଳି ପ୍ରତିବାଦ କରିଛନ୍ତି। ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ଆଜି ୭ ଘଣ୍ଟା ପାଇଁ ନବରଂଗପୁର ସହର ଏକ ପ୍ରକାର ଠପ୍‌ ହୋଇଯାଇଥିଲା। ଦୋକାନ ବଜାର ସହ ବିଦ୍ୟାଳୟଗୁଡ଼ିକ ମଧ୍ୟ ବନ୍ଦ ହୋଇଯାଇଥିଲା।

ମକା ଚାଷୀମାନେ ଆଜି ଏକ ଶୋଭାଯାତ୍ରାରେ ସରକାର ବିରୋଧୀ ସ୍ଳୋଗାନ ଦେଇ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ମା’ ଭଣ୍ଡାର ଘରଣୀ ମନ୍ଦିର ନିକଟରେ ଚାଷୀମାନେ ସାଙ୍ଗରେ ଆଣିଥିବା ମକା ଗୁଡିକୁ ରାଜ ରାସ୍ତା ଉପରେ ଢ଼ାଳିଥିଲେ। ପରେ ଏଠାରେ ଏକ ପ୍ରତିବାଦ ସଭାର ଆୟୋଜନ କରିଥିଲେ। ଚାଷୀ ସଂଘ ପକ୍ଷରୁ କୁହାଯାଇଥିଲା ଯେ ଗତ ୪ ମାସ ହେଲା ମକା ଉତ୍ପାଦନ ହେଲାଣି। ସରକାର କୁଇଣ୍ଟାଲ ପିଛା ୧୪୨୫ ଟଙ୍କା ଏମଏସପି ଦର ଧାର୍ଯ୍ୟ କରିଥିବା ବେଳେ ସେହି ଦରରେ ବେପାରୀ ମାନେ କିଣୁନାହାନ୍ତି। ଜିଲ୍ଲା ପ୍ରଶାସନ ହାତ ଟେକିଦେଇଛନ୍ତି। ଏପଟେ ମକାର ରଙ୍ଗ ଫିକା ହୋଇଯାଉଛି। ଖଳାରେ ରହି ଗଜା ହୋଇଯାଉଛି। ତୁରନ୍ତ ଏହାର ସମାଧାନ କରାନଗଲେ ବ୍ଲକ ଓ ଜିଲ୍ଲା ସ୍ତରରେ ଜିଲ୍ଲା ଚାଷୀ ସଂଘ ପକ୍ଷରୁ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ ବୋଲି କହିଥିଲେ। ଆଜି ଚାଷୀଙ୍କ ଆନ୍ଦୋଳନ ଫଳରେ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ରାସ୍ତା ଉପରେ ମକା ଢଳାଯିବା ଯୋଗୁଁ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଥିଲା।

ସମ୍ବନ୍ଧିତ ଖବର