ଆଦର୍ଶ ଗାଁରେ ବିକାଶ ଶୂନ : ସାଂସଦଙ୍କ ଗାଁରେ ମାଳମାଳ ସମସ୍ୟା

ଲକ୍ଷ୍ମୀପୁର : ଲକ୍ଷ୍ମୀପୁର ବ୍ଲକ ତୋୟାପୁଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡୁମୁରିପଦର ଗାଁରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ବ୍ଲକ ପ୍ରଶାସନକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଅଧିକାରୀ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ଅଞ୍ଚଳବାସୀ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଥିବା ବେଳେ ସାଂସଦ ନିଜେ ଡୁମୁରିପଦର ଗାଁର ହୋଇଥିଲେ ମଧ୍ୟ ବିକାଶ ପ୍ରତି ଗୁରୁତ୍ୱ ଦେଉନଥିବା ହେଡୁ ପ୍ରାସ୍କା, ଗଙ୍ଗା ହିକକା, ଘେନୁ ହିକକା, ଫକିର ହିକକା, ପିତାଇ ହିକକା ପ୍ରମୁଖ ପ୍ରକାଶ କରିଛନ୍ତି। ଗାଁରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଥିଲେ ମଧ୍ୟ ଭିତ୍ତିଭୂମି ଓ ଶିକ୍ଷକ ଅଭାବ, ଏଏନ୍‌ଏମ୍‌ କେନ୍ଦ୍ରର ଦୂରାବସ୍ଥା, ଗାଁର ଆଦିବାସୀ ସାହି ଗୁଡିକରେ ପାନୀୟ ଜଳ ଅଭାବ, ଗାଁ ନିକଟସ୍ଥ ନାଳ ଉପରେ ପାହାଚ ନିର୍ମାଣ କରିବା ପାଇଁ ସରପଞ୍ଚ ଏବଂ ବ୍ଲକ ପ୍ରଶାସନକୁ ଗୁହାରି କରାଯାଇଥିଲେ ମଧ୍ୟ ସମାଧାନ ହୋଇନାହିଁ। ୩୨୬ ନମ୍ବର ଜାତୀୟ ରାଜପଥ କଡରେ ରହିଥିଛି ଏହି ଗ୍ରାମ। କୋରାପୁଟ ସାଂସଦ ଝିନ୍ନ ହିକକାଙ୍କ ନିଜ ଗାଁରେ ଯଦି ମାଳମାଳ ସମସ୍ୟା ଲାଗିରହିଛି ତାହେଲେ ଆଭ୍ୟନ୍ତରୀଣ ଅଞ୍ଚଳର ବିକାଶ କାର୍ଯ୍ୟ ସହଜରେ ଅନୁମେୟ।

ଅନ୍ୟ ପକ୍ଷରେ ଡୁମୁରିପଦର ଆଦର୍ଶ ଗାଁ ମାନ୍ୟତା ତାଲିକାରେ ରହିଥିବା ବେଳେ ୨୦୧୧ ଜନଗଣନା ଅନୁଯାୟୀ ଗାଁରେ ୨୯୬ ପରିବାରରେ ଜନସଂଖ୍ୟା ୧୧୫୧ ଏବଂ ଭୋଟର ୮୯୧ ରହିଛନ୍ତି। ତେବେ ଏତେ ବଡ ଗାଁରେ ପ୍ରଶାସନର ଦୃଷ୍ଟି ନପଡିବା ଦୁଃଖର ବିଷୟ ବୋଲି ଗାଁର ସାବଡା ହିକକା, ନବୀନ ବିଷୋୟୀ, କୁନା ବିଷୋୟୀ, ପରେଶ ବିଷୋୟୀ ପ୍ରମୁଖ ପ୍ରକାଶ କରିଛନ୍ତି। ଏନେଇ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ହିମାଂଶୁ ଭରଦ୍ୱାଜ ପ୍ରକାଶ କରିଛନ୍ତିଯେ, ଲକ୍ଷ୍ମୀପୁର ବ୍ଲକର ସବୁଠାରୁ ଅଧିକ ବିକାଶ ଗାଁ କହିଲେ ଡୁମୁରିପଦରକୁ ବୁଝାଯିବ, ବ୍ଲକର ସବୁଠାରୁ ଅଧିକ ସିସି ରାସ୍ତା, ସାଂସଦଙ୍କ ଅନୁଦାନରେ ୩୦ ପ୍ରତିଶତ ଲୋକେ କାର୍ଯ୍ୟକରି ଆତ୍ମନିର୍ଭରଶୀଳ ହୋଇଥିବେ, ଗାଁରେ ଷ୍ଟ୍ରିଟ୍‌ ଲାଇଟ୍‌ ବ୍ୟବସ୍ଥା ରହିଛି, ଲକ୍ଷାଧିକ ଟଙ୍କା ବ୍ୟୟରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା, କିନ୍ତୁ ଠିକ୍‌ ବ୍ୟବହାର ନହେବା କାରଣରୁ ସମସ୍ୟା ରହିଥାଇପାରେ ବୋଲି ସେ କହିଛନ୍ତି। ତେବେ ସ୍କୁଲରେ କ୍ଲାସ ରୁମ୍‌ ଓ ଶିକ୍ଷକ ସମସ୍ୟା ରହିଥିବା ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର