ନଭେମ୍ବର ୧୧ରୁ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ : ଯୋଗଦେବେ ୬୦ ବିଦେଶୀ ପ୍ରତିନିଧି

ଭୁବନେଶ୍ୱର : ଆସନ୍ତା ନଭେମ୍ବର ୧୧ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ଅନୁଷ୍ଠିତ ହେବ। ଏଥିରେ ଚାଇନା, ଜର୍ମାନୀ, ଜାପାନ, ଇଟାଲୀ, ଦକ୍ଷିଣ କୋରିଆ, ୟୁଏଇ ଆଦି ବିଦେଶୀ ରାଷ୍ଟ୍ରରୁ ପ୍ରାୟ ୬୦ଜଣ ଶିଳ୍ପ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଆଜି ଅନୁଷ୍ଠିତ ହୋଇଥିବା ଏକ ସମୀକ୍ଷା ବୈଠକରେ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ଫେଡେରେସନ୍‌ ଅଫ୍‌ ଇଣ୍ଡିଆନ୍‌ ଚ୍ୟାମ୍ବର୍ସ ଅଫ୍‌ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିଜ୍‌ (ଫିକି)ର ପ୍ରତିନିଧିଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଛନ୍ତି। ଚଳିତବର୍ଷ ଯେପରି ଏହି କନ୍‌କ୍ଲେଭ ଜରିଆରେ ଅଧିକ ପୁଞ୍ଜିନିବେଶ ହୋଇପାରିବ ସେଥିପାଇଁ ସମସ୍ତେ ଉଦ୍ୟମ କରିବା ଦରକାର ବୋଲି ବୈଠକରେ ମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଫିକିର ସେକ୍ରେଟାରି ଜେନେରାଲ ଦିଲ୍ଲୀପ ଚେନୟ ଓ ଡେପୁଟି ସେକ୍ରେଟାରି ଜେନେରାଲ ଅରୁଣ ଚାୱଲା ଆଲୋଚନାରେ ଯୋଗ ଦେଇ କହିଲେ, ବିଦେଶୀ ରାଷ୍ଟ୍ରର ୬୦ ପ୍ରତିନିଧିଙ୍କ ସମେତ ୫୦ଟି ଭାରତୀୟ ବୃହତ କମ୍ପାନି ଚଳିତବର୍ଷର ମେକ୍‌ ଇନ୍‌ ଇଣ୍ଡିଆ କନ୍‌କ୍ଲେଭ୍‌ରେ ଯୋଗ ଦେଇ ନିଜର ଉତ୍ପାଦ ପ୍ରଦର୍ଶନ କରିବେ। ସେହିପରି ଇସ୍ପାତ, ଖାଦ୍ୟ ପ୍ରକ୍ରିୟାକରଣ, ବୟନ ଶିଳ୍ପ, ରସାୟନ, ଏରୋସ୍ପେସ୍‌ ଓ କ୍ରୀଡ଼ା ଆଦି କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ଆମନ୍ତ୍ରିତ କରାଯାଇଥିବା ଶିଳ୍ପସଂସ୍ଥାଗୁଡ଼ିକର ପ୍ରାୟ ଦୁଇ ହଜାରରୁ ଅଧିକ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିବେ।

ବୈଠକରେ ଇଡ୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ସଂଜୟ ସିଂହ ଉପସ୍ଥିତ ରହି କନ୍‌କ୍ଲେଭ୍‌ ଆୟୋଜନର ଭିତ୍ତିଭୂମି ନିର୍ମାଣ ଓ ଆନୁସଙ୍ଗିକ ବ୍ୟବସ୍ଥା ସଂପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ।

ସମ୍ବନ୍ଧିତ ଖବର