ଆସନ୍ତା କାଲିଠାରୁ ଆରମ୍ଭ ହେଉଛି ମେକ-ଇନ୍‌-ଓଡ଼ିଶା କନକ୍ଲେଭ, ଯୋଗ ଦେବେ ଦେଶବିଦେଶର ଶିଳ୍ପପତି

ଭୁବନେଶ୍ବର: ଆସନ୍ତା କାଲିଠାରୁ ଆରମ୍ଭ ହେଉଛି ମେକ ଇନ ଓଡ଼ିଶା କନକ୍ଲେଭ । ଦେଶ ବିଦେଶରେ ଓଡ଼ିଶାକୁ ଏକ ପସନ୍ଦର ପୁଞ୍ଜିନିବେଶସ୍ଥଳୀରେ ପରିଣତ କରିବା ଏହି କନକ୍ଲେଭର ଉଦ୍ଦେଶ । ଏହି ଅବସରରେ ଦେଶର କେତେକ ପ୍ରତିଷ୍ଠିତ ଶିଳ୍ପପତି ଯୋଗଦେବାର କାର୍ଯକ୍ରମ ରହିଛି ।  ଏଥିରେ ଜାପାନ, ଫ୍ରାନ୍ସ, ଋଷିଆ, ଜର୍ମାନ, ସାଉଦିଆରବ ଓ ୟୁଏଇ ଯୋଗଦେବାଲାଗି ସମ୍ମତି ଜଣାଇଥିବାବେଳେ ଜାପାନ ଏହି କନକ୍ଲେଭର ସହଯୋଗୀ ରହିଛି । ତେବେ ଏହି କନକ୍ଲେଭରେ କୌଣସି ଶିଳ୍ପସଂସ୍ଥା ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହେବନାହିଁ ବୋଲି ଜଣାପଡିଛି ।

ଦେଶ ବିଦେଶରୁ ଆସୁଥିବା ଶିଳ୍ପପତିମାନଙ୍କ ସମ୍ମୁଖରେ ରାଜ୍ୟର ଶିଳ୍ପ ବାତାବରଣ ଓ ଶିଳ୍ପ ଅଭିବୃଦ୍ଧିର ଚିତ୍ର ଉପସ୍ଥାପନ କରାଯିବ । ସାଢେ ଚାରିଦିନ ଧରି ଚାଲିବାକୁଥିବା ଏହି କନକ୍ଲେଭରେ ୧୫ଟି ବିଭାଗ ଉପରେ ବିସ୍ତୃତ ଆଲୋଚନା କରାଯିବ । ୧୩ ତାରିଖ ଦିନ ଅନୁଷ୍ଠିତ ହେଉଥିବା ଆଗୁଆ ସମାବର୍ତ୍ତନ ଉତ୍ସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି । ଏହି ଅବସରରେ ଜାପାନ ସେମିନାର, ୩୬ଘଣ୍ଟିଆ ହାକାଥନ୍ ବି ଆୟୋଜିତ ହେବ ।

ଏହି କନକ୍ଲେଭ ମାଧ୍ୟମରେ ଦେଶ ତଥା ବିଦେଶର ଶିଳ୍ପପତିମାନଙ୍କ ସମ୍ମୁଖରେ ଓଡିଶାର ଶିଳ୍ପ ପ୍ରଗତି ଓ ସୁଯୋଗକୁ ଉପସ୍ଥାପନ କରାଯିବ । ୨୦୧୬ ରେ ଅନୁଷ୍ଠିତ ପ୍ରଥମ କନକ୍ଲେଭରେ ଏଠାରେ ଶିଳ୍ପ ପ୍ରତିଷ୍ଠା ଲାଗି ୨୧୪ଟି ଶିଳ୍ପ ସଂସ୍ଥା ଆବେଦନ କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ୬୫ଟି ସଂସ୍ଥାର ଭୂମିପୂଜନ ହୋଇଛି ଓ ୩ଟିରୁ ଉତ୍ପାଦନ ଚାଲିଛି । ଏହି ଅବସରରେ ପ୍ରଥମଥର ପାଇଁ ଓଡିଶା ସିଏସ୍ଆର ପୁରସ୍କାର ସମେତ ଓଡିଶା ଗୌରବ ସମ୍ମାନ ପ୍ରଦାନ କରାଯିବ ।

ସମ୍ବନ୍ଧିତ ଖବର