ମେକ୍‌ ଇନ୍‌ କନ୍‌କ୍ଲେଭରେ ଯୋଡ଼ିହେବ ଷ୍ଟାର୍ଟ-ଅପ୍‌ : ହେକାଥନ୍‌, ବୁଟ୍‌ କ୍ୟାମ୍ପ, ଦ୍ରବ୍ୟ ଓ ସେବାର ପ୍ରଦର୍ଶନୀ ବି ସାମିଲ

ଭୁବନେଶ୍ୱର : ଆସନ୍ତା ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ଅବସରରେ ଏକ ଷ୍ଟାର୍ଟଅପ୍‌ କନ୍‌କ୍ଲେଭ ମଧ୍ୟ ଅନୁଷ୍ଠିତ ହେବ। ଏହି ଷ୍ଟାର୍ଟଅପ୍‌ କନ୍‌କ୍ଲେଭରେ ହେକାଥନ୍‌, ବୁଟ୍‌ କ୍ୟାମ୍ପ, ଦ୍ରବ୍ୟ ଓ ସେବାର ପ୍ରଦର୍ଶନୀକୁ ସାମିଲ କରାଯିବ।

ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷ୍ଟାର୍ଟଅପ୍‌ କାଉନ୍‌ସିଲ୍‌ର ୩ୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍‌ ଓଡ଼ିଶା ଯାତ୍ରାକୁ ଫଳପ୍ରଦ କରିବା ପାଇଁ ଅଧିକ ସଂଖ୍ୟକ ଯୁବ ଗୋଷ୍ଠୀଙ୍କ ସାମିଲ କରିବାକୁ ଶ୍ରୀ ପାଢ଼ୀ ନିର୍ଦେଶ ଦେଇଥିଲେ। କାଉନ୍‌ସିଲ୍‌କୁ ସୂଚନା ଦେଇ ଏମ୍‌ଏସ୍‌ଏମ୍‌ଇ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଲକ୍ଷ୍ମୀନାରାୟଣ ଗୁପ୍ତା କହିଲେ ଯେ ଅଦ୍ୟାବଧି ରାଜ୍ୟରେ ୨୩୩ଟି ଷ୍ଟାର୍ଟଅପ୍‌କୁ ସ୍ୱୀକୃତି ଦିଆଯାଇଛି। ୩୦ଟି ଷ୍ଟାର୍ଟଅପ୍‌କୁ ୩୭ଟି ସୁବିଧା ମିଳିଛି। ଏଥିମଧ୍ୟରୁ ୧୧ଟି ମହିଳାଙ୍କ ଦ୍ୱାରା ପରିଚାଳିତ। ଏହି ସହାୟତାପ୍ରାପ୍ତ ଷ୍ଟାର୍ଟଅପ୍‌ ଜରିଆରେ ୪୭୬ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିଛି।

ସୂଚନାନୁସାରେ ଟେକ୍ନୋଲୋଜି ବିଜିନେସ୍‌ ଇନ୍‍କ୍ୟୁବେଟର ପ୍ରତିଷ୍ଠା ଉଦ୍ଦେଶ୍ୟରେ କିଟ୍‌ ଟିବିଆଇକୁ ୧ କୋଟି, ଏନ୍‌ଆଇଟି, ରାଉରକେଲାକୁ ୫୦ ଲକ୍ଷ ଟଙ୍କାର କ୍ୟାପିଟାଲ୍‌ ଅନୁଦାନ ପ୍ରଦାନ ପାଇଁ କାଉନ୍‌ସିଲ୍‌ ମଞ୍ଜୁରି ଦେଇଛି। ବର୍ଷକ ଭିତରେ ରାଜ୍ୟରେ ଷ୍ଟାର୍ଟଅପ୍‌ କାର୍ଯ୍ୟକ୍ରମରେ ୩୯ଟି କ୍ଷେତ୍ରରେ ୨୩୩ଟି ଷ୍ଟାର୍ଟଅପ୍‌ ସ୍ଥାପନ ହୋଇଛି। ଫଳରେ ନିଯୁକ୍ତି ସୁଯୋଗ ପାଇଛନ୍ତିି ପ୍ରାୟ ୨ ହଜାର ବ୍ୟକ୍ତି। ବୈଠକରେ ଦକ୍ଷତା ବିକାଶ କର୍ତୃପକ୍ଷ ସୁବ୍ରତ ବାଗ୍‌ଚୀ, ଉନ୍ନୟନ କମିସନର ଆର୍‌.ବାଲକ୍ରିଷ୍ଣନ, ଅର୍ଥ ବିଭାଗ ପ୍ରମୁଖ ସଚିବ ତୁହିନକାନ୍ତ ପାଣ୍ଡେ, ଆଇଟି ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର