ବିରଳ ଉଦାହରଣ: ଆଇପିଏସ୍ ଅଧିକାରୀଙ୍କୁ କାନ୍ଧରେ ବସେଇ, ବାଣ ଫୁଟାଇ ଆଡମ୍ବରପୂର୍ଣ୍ଣ ଭାବେ ବିଦାୟ ସମ୍ବର୍ଦ୍ଧନା ଦେଲେ ସହକର୍ମୀ ଓ ସ୍ଥାନୀୟ ବାସିନ୍ଦା

ମାଲକାନଗିରି: ଜଣେ ସରକାରୀ ଅଧିକାରୀଙ୍କୁ ତାଙ୍କ ସହକର୍ମୀ ଓ ସ୍ଥାନୀୟ ଲୋକ ଯେଭଳି ବିଦାୟ ଦେଇଛନ୍ତି ତାହା ଉଦାହରଣ ସୃଷ୍ଟି କରିଛି। ଏଭଳି ଏକ ଘଟଣା ଘଟିଛି ମାଲକାନଗିରିରେ। ମାଲକାନଗିରି ଏସପି ଭାବେ ଅବସ୍ଥାପିତ ଆଇପିଏସ୍ ଅଫିସର ଜଗମୋହନ ମୀନାଙ୍କର ଅନୁଗୁଳ ଜିଲ୍ଲାକୁ  ବଦଳି ହୋଇଛି । ଆଉ ମୀନାଙ୍କ ବଦଳି ପରେ ଅତ୍ୟନ୍ତ ଭାବବିହ୍ୱଳ ହୋଇ ତାଙ୍କୁ ଅତ୍ୟନ୍ତ ଆଡମ୍ବରପୂର୍ଣ୍ଣ ଭାବେ ବିଦାୟ ସମ୍ବର୍ଦ୍ଧନା ଦେଇଛନ୍ତି ସହକର୍ମୀ ଓ ଯବାନ । ମାଲକାନଗିରିରେ ମୀନାଙ୍କୁ କାନ୍ଧରେ ବସାଇ  ନାଚି ନାଚି, ବାଣଫୁଟାଇ ବିଦାୟ ଦିଆଯାଇଛି।

ଜଗମୋହନ ମୀନା ଗତ ୨ ବର୍ଷ ହେଲା ମାଲକାନଗିରିର ଏସପି ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ ।  ନିଜ କାର୍ଯ୍ୟକାଳରେ ସେ  ମାଓଦମନ ସହ ଜନ ସମ୍ପର୍କ ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ ।  ଯବାନମାନଙ୍କ ଭଲମନ୍ଦ ସହ ରାସ୍ତାଘାଟ ନିର୍ମାଣ ତଥା ଜିଲ୍ଲାର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ । ଲୋକଙ୍କ ନିକଟତର ହେବାକୁ ସବୁବେଳେ ଉଦ୍ୟମ କରିଥିଲେ । ଲୋକଙ୍କ ସୁଖ ଦୁଃଖରେ ଜଗମୋହନ ସହଭାଗୀ ହେଉଥିଲେ ଓ ତାଙ୍କର ସୁଖଦୁଃଖ ବୁଝୁଥିଲେ।  ଏବେ ମୀନାଙ୍କ ବଦଳିରେ ଭାବବିହ୍ୱଳ ହୋଇଛନ୍ତି ଯବାନ ଓ ସହକର୍ମୀ । ସୋସିଆଲ୍ ମିଡିଆରେ ମୀନାଙ୍କ ବିଦାୟ ସମ୍ବର୍ଦ୍ଧନାର ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ତାଙ୍କୁ କାନ୍ଧରେ ବୋହି ନାଚି ଗାଇ ଯବାନ ଏବଂ ସ୍ଥାନୀୟ ବାସିନ୍ଦା ନେଇଯାଉଛନ୍ତି ।

ସମ୍ବନ୍ଧିତ ଖବର