ଏଣିକି ଶୁଖିଲା ପାଗ : ବାତ୍ୟାରେ ମାଲକାନଗିରି ଅଧିକ ପ୍ରଭାବିତ

ଭୁବନେଶ୍ୱର : ଏଣିକି ଓଡ଼ିଶାରେ ପାଗ ଶୁଖିଲା ରହିବ। କାଁ ଭାଁ ଅଳ୍ପ ବର୍ଷା ହୋଇପାରେ। ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସହ ବର୍ଷା ନେବ। ୨୭ ତାରିଖ ଯାଏ ପାଗ ଖରାଟିଆ ରହିବ। ୨୫ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱଳ୍ପ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର।

ଅନ୍ୟପକ୍ଷରେ ବାତ୍ୟା ‘ଡାଏ’ ଓ ଲଗାଣ ବର୍ଷା ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା ପ୍ରଭାବିତ ହୋଇଛି। ଆଜି ସନ୍ଧ୍ୟା ସୁଦ୍ଧା ମାଲକାନଗିରି ଜିଲ୍ଲାର ୫ଟି ବ୍ଳକ (ମାଲକାନଗିରି, କାଲିମେଳା, କୋରକୋଣ୍ଡା, ପଡ଼ିଆ, ଚିତ୍ରକୋଣ୍ଡା)ର ୧୩ଟି ପଞ୍ଚାୟତ ଓ ମାଲକାନଗିରି ପୌରାଞ୍ଚଳରେ କ୍ଷୟକ୍ଷତି ହୋଇଛି। ଜିଲ୍ଲାର ୬୮ଟି ଓ୍ଵାର୍ଡ, ୪୪ଟି ଗାଁ, ୫୨୦୦ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୧୨୯ଟି ଘର ସମ୍ପୂର୍ଣ୍ଣ ଓ ୨୮୩ଟି ଘର ଆଂଶିକ ଭାଙ୍ଗିଯାଇଛି। ପ୍ରଶାସନ ପକ୍ଷରୁ ଏବେ ସୁଦ୍ଧା ୩୦୮୦ ଜଣଙ୍କୁ ଉଦ୍ଧାର କରାଯାଇଛି। ୧୧ଟି ରିଲିଫ୍‌ କ୍ୟାମ୍ପ ଖୋଲିଛି। ୧୦ଟି ସ୍ଥାନରେ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ପୋଟେରୁରେ ଓଡ୍ରାଫ୍‌ ଟିମ୍‌ ନିୟୋଜିତ ହୋଇଥିବା ବେଳେ ୨ଟି ଡଙ୍ଗା ମୁତୟନ ରହିଛି। ୮ଟି ମେଡ଼ିକାଲ ଟିମ୍‌ ଓ ଗୋଟିଏ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଗାଡ଼ି ସଜାଗ ରହିଛି। ଏନ୍‌ଏଚ୍‌-୩୨୬ର ଜୟପୁରଠାରୁ ମାଲକାନଗିରି ପର୍ଯ୍ୟନ୍ତ ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି। ସେହିପରି ମାଲକାନଗିରିରୁ ବାଲିମେଳା, କାଲିମେଳାରୁ ପଡ଼ିଆ ଓ ମାଲକାନଗିରିରୁ ସୁକୁମା ରାସ୍ତା ସମ୍ପୂର୍ଣ୍ଣ ସଫେଇ ହୋଇଛି।

ବାଲେଶ୍ୱର ଜିଲ୍ଲାର ନୀଳଗିରି, ବାହାନଙ୍ଗା, ବାଲେଶ୍ୱର ଓ ରେମୁଣା ବ୍ଲକର ୧୬୮ଟି ଗାଁ, ଏକ ଲକ୍ଷ ୨୯ ହଜାର ୩୪୪ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ୨୭ଟି ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ୪୫ଟି ଅଂଶିକ ଭାଙ୍ଗିଛି। ପ୍ରଶାସନ ପକ୍ଷରୁ ୬୨୭ ଜଣଙ୍କୁ ଉଦ୍ଧାର କରାଯାଇଛି। ୨ଟି ଡଙ୍ଗା ଉଦ୍ଧାର କାର୍ଯ୍ୟ କରୁଛନ୍ତି। ୩ଟି ରିଲିଫ୍‌ କ୍ୟାମ୍ପ ଖୋଲାଯାଇଛି। ବାଲେଶ୍ୱର ଓ ନୀଳଗିରି ବ୍ଲକର ୬୨୭ ଜଣଙ୍କୁ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ରେମୁଣା ବ୍ଲକର ବଡ଼ନୂଆପୁର ଗାଁରେ ଓଡରାଫ୍‌ ଟିମ୍‌ ମୁତୟନ ରହିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି, ଉଦଳା, ଜିବି ନଗର, ଖୁଣ୍ଟା ଓ କପ୍ତିପଦା ବ୍ଲକର ୨୨ଟି ପଞ୍ଚାୟତର ୩୮ଟି ଗାଁ ପ୍ରଭାବିତ ହୋଇଛି। ୫୬୦ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ୪୭ଟି ଘର ଭାଙ୍ଗିଯାଇଥିବା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର