କଂଗ୍ରେସ ଡାକରାରେ ମାଲକାନଗିରି ବନ୍ଦ: ଜିଲ୍ଲାପାଳଙ୍କୁ ଗିରଫ ଦାବି

ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ଆପେକ୍ଷ କରିବା ସହ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ପାଇଁ ଜିଲ୍ଲାପାଳଙ୍କୁ ଦାୟୀ କରି ଆଜି କଂଗ୍ରେସ ପକ୍ଷରୁ ୨୪ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ଦିଆ ଯାଇଥିଲା। କଂଗ୍ରେସର ଏହି ବନ୍ଦ ଡାକରା ‌ଯୋଗୁଁ ଆଜି ମାଲକାନଗିରି ଜିଲ୍ଲାରେ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ପିସିସିର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ସହରର ବିଭିନ୍ନ ଛକରେ ରାସ୍ତା ଅବରୋଧ କରି ଆନ୍ଦୋଳନ କରୁଥିବା ଦେଖାଯାଇଥିଲା। ଜିଲ୍ଲାପାଳଙ୍କୁ ଗିରଫ କରିବା ସହ ବ୍ୟକ୍ତିଗତ ସହାୟକ ପଣ୍ଡାଙ୍କ ଆତ୍ମହତ୍ୟା ମାମଲାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ କଂଗ୍ରେସ ଦାବି କରିଥିଲା।

ଆଜି ସକାଳୁ କଂଗ୍ରେସର ଏକ ବିଶାଳ ରାଲି ସ୍ଥାନୀୟ ବସ୍‌ଷ୍ଟାଣ୍ଡରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜିଲ୍ଲାପାଳଙ୍କୁ ଗିରଫ କରିବାକୁ ଦାବି କରିବା ସହ ଜିଲ୍ଲାପାଳଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ମାଝୀ ଜିଲ୍ଲାପାଳଙ୍କୁ ପ୍ରତ୍ୟେକ ସ୍ଥାନରେ ବିରୋଧ କରାଯିବ ବୋଲି କହିଥିଲେ। କେବଳ ଜିଲ୍ଲାପାଳ ନୁହନ୍ତି ଡିଇଓ ବି ଦୁର୍ନୀତିଗ୍ରସ୍ତ ବୋଲି ଶ୍ରୀ ମାଝୀ ଅଭିଯୋଗ କରିବା ସହ ଆଗାମୀ ଦିନରେ ଡିଇଓଙ୍କ ବିରୋଧ କରି ଆନ୍ଦୋଳନ କରାଯିବ ବୋଲି ଚେତବାନୀ ଦେଇଥିଲେ।

ଅପରପକ୍ଷରେ କଂଗ୍ରେସ ଏହି ଜିଲ୍ଲା ବନ୍ଦ ଆନ୍ଦୋଳନକୁ ବିଜେଡି ଓ ବିଜେପି ଭିନ୍ନ ମତ ରଖିଛି। କଂଗ୍ରେସର ଏହା ଶସ୍ତା ରାଜନୀତି ବୋଲି କହିଛନ୍ତି। ନବରଂଗପୁର ସାଂସଦ ରମେଶ ମାଝୀ କହିଛନ୍ତି, ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟକୁ ନେଇ ତଦନ୍ତ ଚାଲିଛି। ଏଥିରେ ଯିଏ ଦୋଷୀ ହେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଛନ୍ତି। ମାଲକାନଗିରି ବିଧାୟକ ତଥା ବିଜେପି ନେତା ଆଦିତ୍ୟ ମାଢ଼ୀ ଜିଲ୍ଲାପାଳଙ୍କ ପିଏ ମୃତ୍ୟୁର ତଦନ୍ତ ଚାଲିଥିବା ବେଳେ କଂଗ୍ରେସ ଏଭଳି ଶସ୍ତା ରାଜନୀତି କରିବା ଉଚିତ ନୁହେଁ ବୋଲି କହିଛନ୍ତି। ଆଜିର ବନ୍ଦକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ତେବେ ବନ୍ଦ ପାଳନ ସଂପୂର୍ଣ୍ଣ ଶାନ୍ତିଶୃଙ୍ଖଳାର ସହ ହୋଇଥିଲା। ସଂଧ୍ୟାରେ କଂଗ୍ରେସ ପକ୍ଷରୁ ଏକ ବୈଠକ କରାଯାଇ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର