ତାମନପାଲୀରେ ଶିଶୁ ମୃତ୍ୟୁ ଘଟଣା : ଅବହେଳା ଜଳଜଳ

ଜାପାନୀ ଜ୍ବର ନୁହେଁ ବ୍ରୋଙ୍କ ନିମୋନିଆ
ଅପପୁଷ୍ଟି ଓ ରକ୍ତହୀନତାରେ ଶିକାର ଶିଶୁ
କୋରାପୁଟରୁ ପହଞ୍ଚିଲେ ବିଶେଷଜ୍ଞ ଡାକ୍ତର
ସଚେତନତା ଅଭାବ ହିଁ ମୃତ୍ୟୁର କାରଣ

ମାଲକାନଗିରି/କାଲିମେଳା : ଜାପାନୀ ଜ୍ବର ନୁହେଁ ବ୍ରୋଙ୍କ ନିମୋନିଆରେ ୬ଜଣ ଶିଶୁ ପ୍ରାଣ ହରାଇଛନ୍ତି। କିନ୍ତୁ ଯେତିକି ଯତ୍ନ ନିଆଯିବା କଥା ନିଆଯାଇନାହିଁ। ଶିଶୁଙ୍କ ସହ କରାଯାଇଛି ଅବହେଳା। ପୁଷ୍ଟିହୀନତା ସତ୍ତ୍ବେ ଦିଆଯାଇ ନଥିଲା ପୁଷ୍ଟିକର ଖାଦ୍ୟ। କେବଳ ପ୍ରଶାସନ ନୁହେଁ ବାପା, ମା’ ମଧ୍ୟ ଯତ୍ନ ନେବାକୁ ବିଶେଷ ଗୁରୁତ୍ବ ଦେଇ ନଥିଲେ। ଯାହାଫଳରେ ଅସୁସ୍ଥ ହେବାର କିଛି ଘଣ୍ଟା ମଧ୍ୟରେ ଶିଶୁଙ୍କର ମୃତ୍ୟୁ ହୋଇଥିଲା। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତାମନପାଲୀ ଗାଁରେ ସ୍ବାସ୍ଥ୍ୟ ବିଭାଗର ଟିମ୍ ପହଞ୍ଚିବା ପରେ ଏମିତି ସାଂଘାତିକ ତଥ୍ୟ ମିଳିଛି।

ଗତ ୧୫ଦିନ ମଧ୍ୟରେ ୬ଜଣ ଶିଶୁଙ୍କ ଅସ୍ବାଭାବିକ ମୃତ୍ୟୁ ଘଟଣା ପରେ ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଛି। ସ୍ଥିତି ବିଗିଡ଼ିବା ପୂର୍ବରୁ ସଜାଡ଼ିବା ପାଇଁ ବିଶେଷଜ୍ଞ ଡାକ୍ତରଙ୍କ ସହାୟତା ନିଆଯାଇଛି। ତେଣୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଭେଷଜ ବିଶେଷଜ୍ଞ ଡାକ୍ତର ସ୍ବପ୍ନଜିତ ସାହୁ, ମାଇକ୍ରୋବାୟୋଲୋଜି ବିଶେଷଜ୍ଞ ଡାକ୍ତର ସତୀଶ କୁମାର ଦଳେଇ ଓ ଗୋଷ୍ଠୀ ଭେଷଜ ବିଶେଷଜ୍ଞ ଡାକ୍ତର ଶିବସାଇ ସ୍ବରୂପ ପ୍ରମୁଖ ଆଜି ମଧ୍ୟାହ୍ନରେ ତାମନପାଲୀ ଗ୍ରାମକୁ ଯାଇଥିଲେ। ପରିସ୍ଥିତି ଅନୁଧ୍ୟାନ ପରେ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା କରାଯାଇଛି। ସେହିପରି ରୋଗର କାରଣ ଖୋଜି ବାହାର କରିଛି ଏହି ଟିମ୍। ପ୍ରାଥମିକ ଲକ୍ଷଣରୁ ବ୍ରାଙ୍କୋ ନିମୋନିଆ ରୋଗରେ ଶିଶୁମାନେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି। ଜାପାନୀ ଜ୍ବରକୁ ବିଶେଷଜ୍ଞ ଡାକ୍ତର ଅସ୍ବୀକାର କରିଛନ୍ତି। ଗାଁର ଅନ୍ୟ ପିଲାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବାରୁ ଅଧିକାଂଶ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି। ରକ୍ତହୀନତା ଯୋଗୁଁ ଠିକ୍ ରୂପେ ଶରୀର ବଢ଼ୁନଥିବା ବି ଡାକ୍ତରୀ ଦଳ ଜାଣିବାକୁ ପାଇଥିଲା।

ଅନ୍ୟପକ୍ଷରେ ସେହି ଗାଁରେ ଅଙ୍ଗନବାଡି କେନ୍ଦ୍ର ରହିଛି। ନିୟମିତ ଭାବେ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଦିଆଯାଉଛି। ସ୍ବାସ୍ଥ୍ୟ ପରୀକ୍ଷା ବି ନିୟମିତ କରାଯାଉଥିବା ସରକାରୀ ରିପୋର୍ଟରେ ଦର୍ଶାଯାଉଛି। ଏହାସତ୍ତ୍ବେ ଏତେ ସଂଖ୍ୟାରେ ପିଲା ଅପପୁଷ୍ଟିର ଶିକାର କେମିତି ହେଲେ ବୋଲି ବଡ଼ ପ୍ରଶ୍ନ ଉଠିଛି। ଅଙ୍ଗନବାଡ଼ି, ଆଶା ଏବଂ ଏନ୍‌ଏନ୍‌ଏମ୍‌ ଥିବା ସତ୍ତ୍ବେ ଏତେ ପିଲାଙ୍କ ମୃତ୍ୟୁ ହେଲା କେମିତି। ପୂର୍ବରୁ କାହିଁକି ପିଲାଙ୍କ ଚିକିତ୍ସା ବ୍ୟବସ୍ଥା କରାଗଲା ନାହିଁ ବୋଲି ପ୍ରଶ୍ନ ଉଠିଛି। ଏଭଳି ଅବହେଳା ସାଙ୍ଗକୁ ଅବ୍ୟବସ୍ଥାକୁ କେନ୍ଦ୍ରକରି ସିଡିଏମ୍‌ଓ ବିରକ୍ତ ହୋଇଥିଲେ

କେବଳ ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗ ନୁହଁନ୍ତି। ଶିଶୁମାନଙ୍କ ଅଭିଭାବକ ବି ଆବଶ୍ୟକ ଧ୍ୟାନ କିମ୍ବା ଯତ୍ନ ନେଇ ନଥିବା ଜଣାପଡ଼ିଛି। ମାମାନେ ଶିଶୁଙ୍କ ଠିକ୍ ରୂପେ ଯତ୍ନ ନେଉନାହାନ୍ତି। ଏପରିକି ସ୍ତନ୍ୟପାନ କରୁ ନଥିବା ଯାଞ୍ଚ ସମୟରେ ଜଣାପଡ଼ିଥିଲା। ବର୍ତମାନ ଧାନକଟା ସମୟ ଚାଲିଥିବାରୁ ଅଧିକାଂଶ ପରିବାର ସଦସ୍ୟ ପିଲାଛୁଆଙ୍କୁ ଘରେ କିମ୍ବା ଜମି ନିକଟ କୁଡ଼ିଆରେ ଘଣ୍ଟା ଘଣ୍ଟା ଧରି ଛାଡ଼ି ଦେଉଛନ୍ତି। ନିଜ କାମରେ ବ୍ୟସ୍ତ ରହି ପିଲାଙ୍କ ଖାଦ୍ୟପେୟ ଉପରେ ଆଦୌ ଧ୍ୟାନ ଦେଉ ନଥିବା ବି ଶୁଣିବାକୁ ମିଳିଥିଲା। ୬ଜଣ ଶିଶୁ ମରିବା ପରେ ଏବେ ଅଭିଭାବକମାନେ ତତ୍ପରତା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର