ମାଲକାନଗିରିରେ ଶିଶୁ ଅପମୃତ୍ୟୁ ପ୍ରସଂଗ : ସବିଶେଷ ତଥ୍ୟ ଦାଖଲ ନିର୍ଦ୍ଦେଶ

କଟକ : ମାଲକାନଗିରି ଜିଲ୍ଲାରେ ଶିଶୁମୃତ୍ୟୁ ରୋକିବା ପ୍ରସଂଗକୁ ନେଇ ହାଇକୋର୍ଟରେ ବିଚାରାଧୀନ ମାମଲାରେ ସରକାର ଦାଖଲ କରିଥିବା ରିପୋର୍ଟ ଉପରେ ପକ୍ଷ ରଖିବାକୁ ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ହାଇକୋର୍ଟରେ ସବିଶେଷ ତଥ୍ୟ ଦାଖଲ କରିବେ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୫ ତାରିଖକୁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାନବାଧିକାର କର୍ମୀ ଆଇନଜୀବୀ ପ୍ରବୀର ଦାସଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ମାଲକାନାଗିରିରେ ଅପପୃଷ୍ଟିକୁ ନେଇ ୨୦୦୭-୨୦୦୮ରୁ ୨୦୧୧-୨୦୧୨ ମସିହା ମଧ୍ୟରେ ୭ହଜାରୁ ଊର୍ଦ୍ଧ୍ବ ଶିଶୁଙ୍କ ମୃତ୍ୟୁ ଘଟିଥିବା ଦର୍ଶାଇ ମାନବାଧିକାର କର୍ମୀ ଶ୍ରୀ ଦାସ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ଶିଶୁ ଅପମୃତ୍ୟୁ ସଂପର୍କରେ ଏକ ବିଶେଷଜ୍ଞ ଟିମ ଗଠନ କରାଯାଇ ଘଟଣାର ତଦନ୍ତ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ। ମାମଲାରେ ସରକାରଙ୍କ ପକ୍ଷରୁ ସତ୍ୟପାଠ ମାଧ୍ୟମରେ ଶିଶୁ ମୃତ୍ୟୁକୁ ରୋକିବା ନେଇ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି; ପ୍ରତିକାର ବାବଦରେ କେତେ ଟଙ୍କା ଖର୍ଚ୍ଚ କରାଯାଇଛି; ସେ ନେଇ ସବିଶେଷ ତଥ୍ୟ ଦାଖଲ କରାଯାଇଥିଲା।

ସମ୍ବନ୍ଧିତ ଖବର