ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ : ମାଲକାନଗିରି ସୀମା ସିଲ୍

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଶେଷ ହୋଇଯାଇଛି ପ୍ରଚାର। ପ୍ରଚାର ପାଇଁ ଯେଉଁ ଗହଳି, ଚହଳି ଲାଗି ରହିଥିଲା ତାହା ମଧ୍ୟ ଆଜି ସଂଧ୍ୟାରୁ ଥମି ଯାଇଛି। ଅନ୍ୟପଟେ ନିର୍ବାଚନକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ବ ଦେଇ କଡ଼ାକଡ଼ି କରାଯାଇଛି। ଏପରିକି ମାଲକାନଗିରିକୁ ସହଯୋଗ କରୁଥିବା ରାସ୍ତା ଏବଂ ସୀମାକୁ ସିଲ୍ କରିଦିଆଯାଇଛି। ନିର୍ବାଚନକୁ ଭଣ୍ଡୁର କରିବାକୁ ନକ୍ସଲ କିଛି ଅଘଟଣ ଘଟାଇ ମାଲକାନଗିରି ଜିଲ୍ଲାକୁ ଚାଲି ଆସିବାର ଅନୁମାନ କରି ଏଭଳି ପ‌ଦକ୍ଷେପ ନିଆଯାଇଛି। ସେହିପରି ସମସ୍ତ ପୁଲିିଂ ପାର୍ଟିକୁ ଇଭିଏମ ଦିଆଯାଇ ନିର୍ଧାରିତ ବୁଥକୁ ଯିବା ପାଇଁ ବି ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତେବେ ଅଘଟଣର ଆଶଙ୍କା କରି ପୁଲିଂ ପାର୍ଟି ଗୁଡ଼ିକୁ ବୁଥ୍ ବଦଳରେ ପୁଲିସ କ୍ୟାମ୍ପରେ ରଖାଯାଇଛି। ଏଥିସହ ନକ୍ସଲ ପ୍ରବଣ ଅଂଚଳରେ ଦୁଇଟି ହେଲିକପ୍ଟର ନିୟୋଜିତ କରାଯାଇଛି। ଏହି ହେଲିକପ୍ଟର ଯୋଗେ ପୁଲିଂ ପାର୍ଟି ଗୁଡ଼ିକୁ ୧୨ତାରିଖ ଦିନ ବୁଥ ଗୁଡ଼ିକରେ ଛଡ଼ାଯିବ ବୋଲି ସୂଚନା ମିଳିଛି।

ଅନ୍ୟଦିଗରେ ନକ୍ସଲ ବିଧାନସଭା ନିର୍ବାଚନକୁ କରାଇ ନଦେବା ପାଇଁ ସବୁ ପ୍ରକାର ଯୋଜନା ପ୍ରସ୍ତୁତ କରିଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଛି। ତେଣୁ ଭୋଟ ପାଇଁ ନିୟୋଜିତ ସୁରକ୍ଷା କର୍ମୀଙ୍କୁ ସତର୍କ କରାଯାଇଛି। ବସ୍ କିମ୍ବା ଅନ୍ୟ କୌଣସି ଗାଡ଼ିରେ ନଯିବା ପାଇଁ ବି କୁହାଯାଇଛି। କିଛି ଗାଁକୁ ନକ୍ସଲ ପୂରା ଖାଲି କରିଦେଇଥିବା ଆଜି ଦିନ ତମାମ ଶୁଣିବାକୁ ମିଳିଥିଲା। ତେବେ ପୁଲିସ ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଛି। ଲୋକେ ଭୟଭୀତ ନହୋଇ ମୁକ୍ତ ଭାବେ ଭୋଟ ଦେବାକୁ ବି ଆହ୍ବାନ ଦିଆଯାଇଛି। ନିର୍ବାଚନ ପାଇଁ ଆଉ କିଛି ଘଣ୍ଟା ରହିଥିବା ବେଳେ ପୁଲିସ କେତେ ସତର୍କ ଏବଂ ନକ୍ସଲ କ’ଣ ଘଟାଉଛନ୍ତି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର