ମାଲକାନଗିରିିରେ ଟିକ୍‌ଟକ୍‌ ବିବାଦ ପରେ ଏବେ ନୂଆ ଆଶା : ସରକାରୀ ଡାକ୍ତରଖାନାରେ ମା’ ହେଲେ ଜିଲ୍ଲାପାଳଙ୍କ ପତ୍ନୀ

ମାଲକାନଗିରି : କୌଣସି ଘରୋଇ ନୁହେଁ, ସରକାରୀ ଡାକ୍ତରଖାନାରେ ଏକ ଶିଶୁପୁତ୍ରକୁ ଜନ୍ମଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଵାଲଙ୍କ ପତ୍ନୀ। ଏହାକୁ ନେଇ ଜିଲ୍ଲାପାଳଙ୍କ ପରିବାରରେ ଯେତିକି ଖୁସିର ଲହରୀ ଖେଳିଯାଇଛି, ‌ସ୍ବାସ୍ଥ୍ୟସେବା ନେଇ ଲୋକମାନଙ୍କ ମନରେ ବି ସେତିକି ଭରସା ଭରିଦେଇଛନ୍ତି। ଏସ୍‌ଏନ୍‌ସିୟୁରେ ଟିକ୍‌ଟକ୍‌କୁ ନେଇ ବିବାଦରେ ଛନ୍ଦି ହୋଇଥିବା ମାଲକାନଗିରି ମେଡିକାଲକୁ ଉଦାହରଣ ସ୍ଥିତିକୁ ନେଇ ଆସିଛନ୍ତି।

ଏହି ମେଡିକାଲରେ ଅନ୍ୟ ଘରୋଇ ହସ୍ପିଟାଲ ଭଳି ସମସ୍ତ ଉନ୍ନତମାନର ସେବା ରହିଛି। ତଥାପି, ଉଚ୍ଚପାହ୍ୟାରେ ଥିବା ଅଧିକାରୀମାନେ ନିଜ ପରିବାର ଲୋକଙ୍କୁ ସରକାରୀ ମେଡିକାଲ ନନେଇ ବଡ଼ ଘରୋଇ ହସ୍‌ପିଟାଲକୁ ନେବାକୁ ପସନ୍ଦ କରୁଥିବା ଦେଖିବାକୁ ମିଳୁଥିଲା। ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ଏଥିରେ ବ୍ୟତିକ୍ରମ ପାଲଟିଛନ୍ତି। ଜିଲ୍ଲାପାଳ ସରକାରୀ ମେଡିକାଲରେ ନିଜର ପତ୍ନୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହ ଏଠାରେ ହିଁ ପ୍ରସବ କରାଇଛନ୍ତି। ଆଜି ତାଙ୍କର ଏକ ଶିଶୁପୁତ୍ର ଜନ୍ମ ନେଇଛନ୍ତି। ଯାହାକି ଏବେ ଜିଲ୍ଲାସାରା ସାଧାରଣରେ ବେଶ୍‌ ଚର୍ଚାର ବିଷୟ ପାଲଟିଛି।

ଏହାପୂର୍ବରୁ ମାଲକାନଗିରି ଏସପି ଜଗମୋହନ ମୀନା ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଜର ପତ୍ନୀଙ୍କୁ ପ୍ରସବ ନିମନ୍ତେ ଭର୍ତ୍ତି କରାଇଥିଲେ। ଏହି ମେଡିକାଲରେ ଏସ୍‌ପିଙ୍କ ‌ଶିଶୁପୁତ୍ର ଜନ୍ମ ହୋଇଥିଲା। ଜିଲ୍ଲାର ଦୁଇ ଉଚ୍ଚ ପଦସ୍ଥ ଅଧିକାରୀ ସରକାରୀ ମେଡିକାଲ ଉପରେ ଆସ୍ଥା ରଖି ଲୋକଙ୍କୁ ମଧ୍ୟ ଏସବୁ ସୁବିଧା ଏଠାରେ ଉପଲବ୍ଧ ଥିବା ପରୋକ୍ଷ ହେଉ ବା ପ୍ରତ୍ୟକ୍ଷ ଭାବେ ଅବଗତ କରାଇଛନ୍ତି।

ଗତ କିଛିଦିନ ତଳେ ମାଲକାନଗିରି ମେଡିକାଲ ଏସଏନସିୟୁରେ ଟିକ୍‌ଟକ୍‌ ପାଇଁ ଭିଡିଓ କରିବା ଘଟଣା ସାରା ରଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଜିଲ୍ଲାପାଳଙ୍କ ଏହି ପଦକ୍ଷେପ ଏଥିରେ ବିରାମ ଆଣିବ ବୋଲି ଜିଲ୍ଲାବାସୀ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର