ରାଜ୍ୟରେ ୨୩ ହଜାର ୪୨୯ ଶିଶୁ ଅପପୁଷ୍ଟିର ଶିକାର, କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ

ଭୁବନେଶ୍ବର : ୨୦୧୬ରେ ଯାଜପୁର ନଗଡ଼ା ଅପପୁଷ୍ଟି ଘଟଣା ଲୋକଲୋଚନକୁ ଆସିଲା। ପ୍ରାୟ ୨୦ ଜଣ ଶିଶୁ ଅପପୁଷ୍ଟିର ଶିକାର ହୋଇ ସେଠାରେ ପ୍ରାଣ ହରାଇଲେ। ସାରା ଦେଶରେ ଏହି ଖବରକୁ ନେଇ ହଇଚଇ ହେଲା। ଅପପୁଷ୍ଟି ରୋକିବାକୁ ସେତେବେଳେ ରାଜ୍ୟ ସରକାର ତତ୍କାଳୀନ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରି ସବୁ ଜିଲ୍ଲାରେ ପୁଷ୍ଟି ସାଧନ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ନିଷ୍ପତ୍ତି ନେଲେ। ସରକାର ହେଜିବା ପରେ ଅବିକଶିତ ନଗଡ଼ାର ଚିତ୍ର ବଦଳିଗଲା। କିନ୍ତୁ ଏ ଯାଏ ବି ସେଠାରେ ଅପପୁଷ୍ଟି ରୋକିବାକୁ ସରକାରଙ୍କୁ ସଫଳତା ମିଳିଲାନି। ରାଜ୍ୟରେ ଏବେ ବି ଏକାଧିକ ନଗଡ଼ା ଥିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଆସିଛି। ଏ କଥା ନୁହେଁ ଯେ ଜ୍ୟରେ ଶିଶୁ ଅପପୁଷ୍ଟି ନେଇ ସରକାରଙ୍କ ପାଖରେ ଖବର ନାହିଁ। ଖୋଦ୍ ମହିଳା ଶିଶୁ ବିକାଶ ବିକାଶ ବିଭାଗ ତଥ୍ୟ ଅନୁଯାୟୀ ରାଜ୍ୟରେ ଏବେ ବି ୨୩ ହଜାର ୪୨୯ ଜଣ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି। ଆଉ କଳାହାଣ୍ଡି ସର୍ବାଧିକ ଶିଶୁ ଅପପୁଷ୍ଟିରେ ଜର୍ଜରିତ।

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ମୋଟ ୭୨ ହଜାର ୫୮୭ଟି ଅଙ୍ଗନବାଡ଼ି କେନ୍ଦ୍ର ଅଛି। ସେଥିରେ ୧୪ ଲକ୍ଷ ୭୪ ହଜାର ୮୧୦ ଜଣ ଶିଶୁ ପ୍ରାକ୍ ବିଦ୍ୟାଳୟ ଶିଶୁ ନିୟମିତ ଆସୁଛନ୍ତି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କୁ ପରିପୁରକ ପୁଷ୍ଟି କାର୍ଯ୍ୟକ୍ରମ ମାଧ୍ୟମରେ ପୁଷ୍ଟିକର ଖାଦ୍ୟ ଦେବାର ବ୍ୟବସ୍ଥା ଏଠାରେ କରାଯାଇଛି ଓ ଏଥିପାଇଁ ଚଳିତ ଆର୍ଥିକ ବର୍ଷରେ ବ୍ୟୟ ବରାଦ କରାଯାଇଛି । ତେବେ ଏତେସବୁ କାର୍ଯ୍ୟକ୍ରମ ପରେ ବି ଅପପୁଷ୍ଟିକୁ ରୋକା ଯାଇପାରିନି। ଏଥିପାଇଁ ଦାୟୀ କିଏ? ସରକାରୀ ବ୍ୟବସ୍ଥା ନା ଲୋକଙ୍କ ଭିତରେ ସଚେତନତାର ଅଭାବ। ସଚେତନତା ସୃଷ୍ଟି କରିବାରେ ପ୍ରଶାସନିକ ଉଦ୍ୟମ ପର୍ଯ୍ୟାପ୍ତ ହେଉନାହିଁ କି? ଏପରି ମାଳମାଳ ପ୍ରଶ୍ନ ଏବେ ସମସ୍ତଙ୍କୁ ଆନ୍ଦୋଳିତ କରୁଛି।

www.nutraingredients.com

ରାଜ୍ୟରେ ଅପପୁଷ୍ଟି ରୋକିବା ପାଇଁ ୨୦୧୭-୧୮ରେ ସମନ୍ବିତ ଶିଶୁ ବିକାଶ ଯୋଜନାରେ (ଆଇସିଡିଏସ୍) ସବୁ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସରକାର ୮୦୮ କୋଟି ୯୮ ଲକ୍ଷ ଟଙ୍କା ବ୍ୟୟ ବରାଦ କରିଥିଲେ। ଗତବର୍ଷ ପୂର୍ବତନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ ସ୍ତରୀୟ ବୈଠକରେ ସବୁ ଜିଲ୍ଲାରେ ପୁଷ୍ଟିହୀନତା ଦୂର କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ବିଶେଷକରି କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାରେ ପ୍ରାଥମିକ ପର୍ଯ୍ୟାୟରେ ୪ ହଜାର ୩୦୦ ଶିଶୁ ମାତ୍ରାଧିକ ଅପପୁଷ୍ଟିର ଶିକାର ହୋଇଥିବା ନେଇ ଚିହ୍ନଟ କରାଯାଇଥିଲା। ଏଥିପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ମହିଳା ଓ ଶିଶୁ ବିକାଶ, ୟୁନିସେଫ, ଅଜୀମ ପ୍ରେମଜୀ ଫିଲାନଥ୍ରପିକ୍ ଇନିସିଏଟିଭ୍ ପକ୍ଷରୁ ମିଳିତ ଭାବେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ରାଜ୍ୟରୁ ଶିଶୁ ଅପପୁଷ୍ଟି ରୋକିବାକୁ ପଦକ୍ଷେପ ନିଆଯାଇଥିଲା। ଦିନବେଳା ଶିଶୁମାନଙ୍କୁ ରଖି ଦେଖାଶୁଣା କରିବା ପାଇଁ ରାଜ୍ୟ ସରକାର ୧୩୬ଟି ସ୍ବତନ୍ତ୍ର ଗୃହର ବ୍ୟବସ୍ଥା କରିଛନ୍ତି। ନଗଡ଼ା ଶିଶୁ ମୃତ୍ୟୁ ଘଟଣା ପରେ ୨୦୧୭-୧୮ରେ ୩ ହଜାର ୬୨୯ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ରଖି ଦିନବେଳା ତାଙ୍କର ଖାଦ୍ୟପେୟର ଯତ୍ନ ନେବା ପାଇଁ ସରକାର ଘୋଷଣା ବି କରିଥିଲେ। ତେବେ ଏତେସବୁ ବ୍ୟବସ୍ଥା ପରେ କାହିଁକି ଅପପୁଷ୍ଟି ଦୂର ହୋଇପାରିନି ତାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର