ନଗଡ଼ାକୁ ଫେରିଲା ଅପପୁଷ୍ଟି : ୪ ଶିଶୁ ଚିହ୍ନଟ; ଏନ୍‌ଆର୍‌ସିକୁ ଛାଡ଼ୁନାହାନ୍ତି ପରିବାର

କାଳିଆପାଣି :କିଛି ମାସ ବ୍ୟବଧାନ ପରେ ନଗଡ଼ାକୁ ପୁଣିଥରେ ଅପପୁଷ୍ଟି ଫେରିଛି। ଅପପୁଷ୍ଟିର ଶିକାର ହୋଇଥିବା ୪ ଜଣ ଶିଶୁକୁ ଚିହ୍ନଟ କରାଯାଇଛି। ଆହୁରି ବି କେତେଜଣ ସାମ୍‌ (ସିଭିଅର ଆକ୍ୟୁଟ୍‌ ମାଲନ୍ୟୁଟ୍ରିସନ) ଶିଶୁ ଅଛନ୍ତି। ଏହିସବୁ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ ଥିଲେ ମଧ୍ୟ ପରିବାର ଲୋକ ପୁଷ୍ଟି ସାଧନ କେନ୍ଦ୍ର (ଏନ୍‌ଆର୍‌ସି)କୁ ଛାଡ଼ୁନାହାନ୍ତି।

ମିଳିଥିବା ସୂଚନା ଅନୁସାରେ, ତଳ ନଗଡ଼ାରେ ୨ ଜଣ, ମଝି ନଗଡ଼ାରେ ଜଣେ ଓ ଗୁହିଆଶାଳରେ ଜଣେ ଏଭଳି ୪ କୁପୋଷଣ ଶିଶୁ ଚିହ୍ନଟ ହୋଇଛନ୍ତି। ଏହି ଶିଶୁମାନଙ୍କ ମଧ୍ୟରେ ରହିଛି ତଳନଗଡ଼ାର ସାଧବାଣୀ ଓ ଧନେଶ୍ବର ପ୍ରଧାନଙ୍କ ସାନଝିଅ ମାଳତୀ(୧୯ ମାସ)। ମାଳତୀ ହେଉଛି ନଗଡ଼ା ପୋଷ୍ଟର ଗର୍ଲ କୁହାଯାଉଥିବା ମୃତ ମାନସୀର ସାନ ଭଉଣୀ।

ସେହି ତଳ ନଗଡ଼ାର ଟୁଇ ଓ ଜାଇନ ପ୍ରଧାନଙ୍କ ସାନଝିଅ ସମ୍ବାରି(୮ ମାସ), ମଝି ନଗଡ଼ାର ଲକ୍ଷ୍ମୀ ଓ ସୁନିଆଁ ପ୍ରଧାନଙ୍କ ସାନଝିଅ କାଠି(୨୬ ମାସ) ଏବଂ ଗୁହିଆଶାଳ ‌ଗାଁର ସାଧବାଣୀ ଓ ଲକ୍ଷ୍ମଣ ପ୍ରଧାନଙ୍କ ପୁଅ ଇନ୍ଦ୍ର(୧୩ ମାସ)ଙ୍କ ସ୍ବାସ୍ଥ୍ୟ କ୍ଷେତ୍ରରେ ସମାନ ଅବସ୍ଥା। ଏମାନେ ସମସ୍ତେ ଅପପୁଷ୍ଟିର ଶିକାର ହୋଇଛନ୍ତି। ଯେଉଁଥିପାଇଁ ଦୁଇ ବର୍ଷର ଶିଶୁ କାଠିର ଓଜନ ଏବେ ମାତ୍ର ୫ କିଲୋ ୭ଶହ ଗ୍ରାମ। ସମସ୍ତ ରୋଗାକ୍ରାନ୍ତ ଶିଶୁ ସେମାନଙ୍କ ବୟସରେ ସାଧାରଣ ଶିଶୁ ଓଜନର ଅଧାରୁ ବି କମ୍ ଥିବା ସୂଚନା ମିଳିଛି। ମାସକ ତଳୁ ଚିହ୍ନଟ ହୋଇଥିବା ୪ ଶିଶୁଙ୍କ ଜୀବନ ଏବେ ସଂକଟରେ ଥିବା ଖୋଦ୍‌ ମହିଳା ଓ ଶିଶୁ ବିକାଶ ବିଭାଗ ସ୍ବୀକାର କରିଛି। ହେଲେ ସେମାନଙ୍କ ପରିବାରକୁ ପ୍ରବର୍ତ୍ତାଇ ଗାଁଠୁ ୪୫ କିଲୋମିଟର ଦୂର ସୁକିନ୍ଦା ପୁଷ୍ଟି ସାଧନ କେନ୍ଦ୍ର(ଏନ୍ଆରସି) ଆଣିବାରେ ସକ୍ଷମ ହୋଇନି।

ଗତ ୧୨ ତାରିଖ ନଗଡ଼ା ଗସ୍ତ ଅବସରରେ ବିଭାଗୀୟ ନିର୍ଦେଶକ ରଘୁ ଜୀ. ଉପରୋକ୍ତ ଶିଶୁମାନଙ୍କ ସଂଗିନ୍ ଅବସ୍ଥା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ସଂପୃକ୍ତ ପରିବାରକୁ ମନାଇ ଏନ୍ଆରସି ଆଣିବା ପାଇଁ ଉପସ୍ଥିତ ସିଡିପିଓ ସଂଯୁକ୍ତା କାନୁନ୍‌ଗୋଙ୍କୁ ପରାମର୍ଶ ଦେଇଥିଲେ। ହେଲେ ୧୦ ଦିନ ଧରି ଏ କ୍ଷେତ୍ରରେ ମହିଳା ଓ ଶିଶୁ ବିଭାଗ, ସ୍ବାସ୍ଥ୍ୟ ବିଭାଗ ଓ ଜିଦିଆ ଜୁଆଙ୍ଗଙ୍କ ବ୍ୟବହାରିକ ପରିବର୍ତ୍ତନ ପାଇଁ ନିୟୋଜିତ ଥିବା ଏନଜିଓ ସଂପୂର୍ଣ୍ଣ ଫେଲ୍‌ ମାରିଛି। ଏହି ରୋଗଣା ଶିଶୁମାନେ ଭାତ, ପେଜ ଓ ତୋରାଣି ପିଇ ବଞ୍ଚିଥିବା ଜଣାପଡ଼ିଛି। ସୁଷମ ଶିଶୁ ଆହାର ସେମାନଙ୍କ ପାଇଁ ସାତ ସପନ ହୋଇରହିଛି।

ସାଧବାଣୀ ଓ ଧନେଶ୍ବର ପ୍ରଧାନଙ୍କ ଦୁଇଝିଅ ତୁଳସୀ(୩) ଓ ମାନସୀ(୩) କୁପୋଷଣ ଓ ରକ୍ତହୀନତାର ଶିକାର ହୋଇ ଯଥାକ୍ରମେ ୨୦୧୬ ଜୁଲାଇ ୮ ତାରିଖ ଓ ୨୦୧୭ ଜୁଲାଇ ୨୧ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ଟାଟାଷ୍ଟିଲ ସୁକିନ୍ଦା ହସ୍ପିଟାଲରେ ଆଖି ବୁଜିଥିଲେ। ସେହିପରି ୨୦୧୭ ମେ ମାସ ୨୩ ତାରିଖରେ ଅପପୁଷ୍ଟି ଶିକାର ହୋଇ ଟୁଇ ଓ ଜାଇନଙ୍କ ପୁଅ ରୁଦୁରା(୭ମାସ)ର ଯାଜପୁରରୋଡ଼ ଏନ୍‌ଆରସିରେ ମୃତ୍ୟୁ ହୋଇଥିଲା। ହସ୍ପିଟାଲ୍‌ ଗଲେ ସେମାନଙ୍କ ପିଲାମାନେ ମରିଯିବେ ବୋଲି ସଂପୃକ୍ତ ଦୁଇ ପରିବାର ସଦସ୍ୟ ଧରି ନେଇଛନ୍ତି। ଅନ୍ୟମାନଙ୍କ କ୍ଷେତ୍ରରେ ମଧ୍ୟ ଠିକ୍‌ ସେୟା। ଏବେଠୁ ପଦକ୍ଷେପ ଗ୍ରହଣ ନକଲେ ପରିସ୍ଥିତି ପୁଣିଥରେ ସଙ୍ଗୀନ ଆକାର ଧାରଣ କରିବ ବୋଲି ସ୍ଥାନୀୟ କାଳିଆପାଣି ଅଞ୍ଚଳର ବହୁ ଲୋକ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର