ଧାନ କ୍ଷେତରେ ୫୦ ବର୍ଷିୟ ବ୍ୟକ୍ତିଙ୍କୁ ଦଳି ମାରିପକାଇଲା ଦନ୍ତାହାତୀ

ସୁନ୍ଦରଗଡ଼: ଗୁରୁବାର ରାତିରେ ସୁନ୍ଦରଗଡ଼ ବନଖଣ୍ଡର ବଡ଼ଗାଁ ଫରେଷ୍ଟ୍‍ ରେଞ୍ଜ୍‌ ଅଞ୍ଚଳର ସିଆଳଯୋର ଗାଁ ପାଖ ଧାନକ୍ଷେତରେ ଜଣେ ମଧ୍ୟ ବୟସ୍କ ବ୍ୟକ୍ତିଙ୍କୁ ଗୋଟାଏ ଦନ୍ତାହାତୀ ଦଳି ମାରିପକାଇଛି।

ମୃତ ବ୍ୟକ୍ତି ହେଉଛନ୍ତି ୫୦ ବର୍ଷିୟ ଗୋବିନ୍ଦ ସା।

ଗୋଟିଏ ଦନ୍ତା, ଗୋଟିଏ ମାଈ ଓ ଚାରିଟି ଛୁଆହାତୀ ସେ ଅଞ୍ଚଳରେ ରହି ଧାନ କ୍ଷେତରେ ପଶି ଖାଇବା ସହ ନଷ୍ଟ କରୁଛନ୍ତି। ସେମାନଙ୍କ ଦାଉରୁ ଫସଲ ରକ୍ଷା କରିବାକୁ ଲୋକେ ସାରା ରାତି ନିଆଁହୁଳା ଧରି ପହରା ଦେଉଛନ୍ତି ଓ ବିଲକୁ ଗଡୁଥିବା ହାତୀଙ୍କୁ ଘଉଡ଼ାଉଛନ୍ତି।

ଗତକାଲି ମଧ୍ୟ ତିନିଚାରି ଜଣ ଯୁବକ କ୍ଷେତରେ ପଶିଥିବା ହାତୀଙ୍କୁ ଗୋଡ଼ାଉଥିଲେ। ସେମାନଙ୍କ ମଧ୍ୟରେ ଗୋବିନ୍ଦ ମଧ୍ୟ ଥିଲେ। ବିରକ୍ତ ହୋଇ ଦନ୍ତାହାତୀଟି ଧାଇଁ ଆସିବାରୁ ସେମାନେ ଜୀବନ ବିକଳେ ଡିଆଁ ମାରିଥିଲେ, କିନ୍ତୁ ଗୋବିନ୍ଦ ଦୌଡୁ ଦୌଡୁ ତଳେ ପଡ଼ିଯିବାରୁ ଦନ୍ତାହାତୀ ତାଙ୍କୁ ଗୋଡ଼ରେ ଦଳି ପକାଇ ଥୋଡ଼ପାହାଡ଼ରେ ପ୍ରାୟ ୧୦୦ ମିଟର ଦୂରକୁ ଟାଣି ନେଇ ଫିଙ୍ଗି ଦେଇଥିଲା।

ଆଜି ସକାଳୁ ବନବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗୋବିନ୍ଦଙ୍କ ଶବ ଉଦ୍ଧାର କରିଛନ୍ତି।

ସମ୍ବନ୍ଧିତ ଖବର