ସଂଗରୋଧ କେନ୍ଦ୍ରରେ ପତ୍ନୀଙ୍କୁ ଭେଟିବାକୁ ଯାଇ ସୁରକ୍ଷାକର୍ମୀଙ୍କ ହାତରେ ମାଡ଼ ଖାଇଲେ ସ୍ୱାମୀ!

ଭଦ୍ରକ: ସଂଗରୋଧ କେନ୍ଦ୍ରରେ ଜଣେ ଯୁବକଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଗର୍ଭବତୀ ପତ୍ନୀଙ୍କୁ ଭେଟିବାକୁ ଯାଇଥିବା ବେଳେ ସୁରକ୍ଷା କର୍ମୀ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍‌ ତୋଡ଼ଙ୍ଗା ପଞ୍ଚାୟତ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ। ଯୁବକଙ୍କ ନାଁ ପ୍ରଦୀପ ବେଉରିଆ।

ସୂଚନା ଅନୁଯାୟୀ, କିଛି ଦିନ ତଳେ ଦିଲ୍ଲୀରୁ ଫେରିଥିବା ପ୍ରଦୀପ ଓ ତାଙ୍କ ସ୍ତ୍ରୀଙ୍କୁ ତୋଡ଼ଙ୍ଗା ପଞ୍ଚାୟତ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଛି। ସେଠାରେ ଉଭୟଙ୍କୁ ଅଲଗା ଅଲଗା ପ୍ରକୋଷ୍ଠରେ ରଖାଯାଇଛି। ଗତକାଲି ତାଙ୍କ ସ୍ତ୍ରୀଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ଏ ନେଇ ତାଙ୍କ ସ୍ତ୍ରୀ ତାଙ୍କୁ ଫୋନ୍ କରି ଜଣାଇଥିଲେ। ଏହା ପରେ ପ୍ରଦୀପ ସ୍ତ୍ରୀଙ୍କୁ ଭେଟିବାକୁ ତାଙ୍କ ରୁମ୍‌କୁ ଯାଇଥିଲେ। ତେବେ ସେଠାରେ ନିୟୋଜିତ ସୁରକ୍ଷାକର୍ମୀ ପ୍ରଦୀପଙ୍କୁ ତାଙ୍କ ପତ୍ନୀଙ୍କ ରୁମ୍‌କୁ ଛାଡ଼ି ନଥିଲେ। ଏଣୁ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ସୁରକ୍ଷାକର୍ମୀ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ବନ୍ତ ବ୍ଲକ୍ ବିଡ଼ିଓ ରେବେକା ବିଲୁଙ୍ଗ କହିଛନ୍ତି ଯେ, ସ୍ୱାମୀ-ସ୍ତ୍ରୀଙ୍କୁ ଦିନ ବେଳା କଥା ହେବା ପାଇଁ ସୁଯୋଗ ଦିଆଯାଉଛି। ମାତ୍ର ଯୁବକ ଜଣଙ୍କ ରାତିରେ ମହିଳାମାନେ ରହୁଥିବା ରୁମକୁ ଯାଇ ହଇରାଣ ହରକତ କରୁଛନ୍ତି।

ତେବେ ଘଟଣାର ତଦନ୍ତ ହେବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ରାଜ୍ୟର ଅନେକଗୁଡ଼ିକ ସଂଗରୋଧ କେନ୍ଦ୍ରରେ ପ୍ରବାସ ଫେରନ୍ତାମାନେ ବିଶୃଙ୍ଖଳିତ ଆଚରଣ କରୁଥିବା ନେଇ ବାରମ୍ବାର ଅଭିଯୋଗ ଆସୁଛି ।

ସମ୍ବନ୍ଧିତ ଖବର