ସାଇକଲ୍‌ରେ ଶବକୁ ଶ୍ମଶାନ ନେବା ଘଟଣା : ଲୁଚିଗଲା ସାମାଜିକ ବାସନ୍ଦ!

ବୌଦ୍ଧ : ବୌଦ୍ଧ ଜିଲ୍ଲା ବ୍ରାହ୍ମଣୀପାଲି ପଞ୍ଚାୟତ କୃଷ୍ଣପାଲି ଗାଁର ଚତୁର୍ଭୁଜ ବାଙ୍କ ତାଙ୍କ ଶାଳୀଙ୍କର ଶବକୁ ସାଇକଲ୍‌ରେ ଶ୍ମଶାନକୁ ବୋହିନେଇ ସତ୍କାର କରିବା ଘଟଣା ସାରାରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା କଳାହାଣ୍ଡି ଜିଲ୍ଲାର ଦାନ ମାଝୀଙ୍କ ଘଟଣାକୁ ପୁଣିଥରେ ସ୍ମରଣ କରାଇ ଦେଇଛି। ତେବେ, ଘଟଣା ସାମ୍‌ନାକୁ ଆସିବାପରେ ଯେଉଁ କାରଣ ପାଇଁ ଚତୁର୍ଭୁଜ ମୃତ ଶାଳୀ ପାଇଁ କାନ୍ଧ ପାଇନଥିଲେ, ତାହାକୁ ଲୁଚାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ସାମାଜିକ ବାସନ୍ଦ ବଦଳରେ ପାରିବାରିକ ବିବାହଦ ଏହାର କାରଣ ବୋଲି କୁହାଯାଉଛି।

ମଙ୍ଗଳବାର ରାତି ୯ଟାରେ ଚର୍ତୁଭୁଜ ତାଙ୍କ ଶାଳୀ ପାଞ୍ଚ ମହାକୁଡ଼(୪୧)ଙ୍କ ଶବକୁ ମହାପ୍ରୟାଣ ଗାଡ଼ିରେ ନେଇ ଗାଁରେ ପହଞ୍ଚିଥିଲେ। ବୁଧବାର ସକାଳ ୯ଟାରେ କେହି ନଆସିବାରୁ ଚତୁର୍ଭୁଜ ଶବକୁ ସାଇକଲରେ ବାନ୍ଧି ଶ୍ମଶାନକୁ ଯାଇଥିଲେ। ମାତ୍ର, ଗ୍ରାମବାସୀମାନେ ଘଟଣା ସମ୍ପର୍କରେ ଜାଣି ନଥିବା କହିଛନ୍ତି। ଗ୍ରାମବାସୀଙ୍କ ମନ୍ତବ୍ୟକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବାବେଳେ କେହିକେହି ପାରିବାରିକ ବିବାଦ ଯୋଗୁ ଶବକୁ କେହି କାନ୍ଧ ଦେଇନଥିଲେ ବୋଲି କହିଛନ୍ତି। ଚତୁର୍ଭୁଜଙ୍କ ଆହୁରି ଚାରି ଭାଇ ମଧ୍ୟ ଗାଁରେ ରହୁଛନ୍ତି। ସେମାନେ ହେଲେ ଅନନ୍ତ ବାଙ୍କ, ନାଥ ବାଙ୍କ, ବୁଦ୍ଧ ବାଙ୍କ ଓ ପାଣ୍ଡବ ବାଙ୍କ। ସେମାନଙ୍କ ମଧ୍ୟରେ ଜମି ବିବାଦ ଲାଗି ରହିଥିବା ଜଣାପଡ଼ିଛି। ଫଳରେ କେହି ସହଯୋଗ କରି ନଥିବା ଚର୍ତୁଭୁଜ କହିଛନ୍ତି। ଚତୁର୍ଭୁଜ ତାଙ୍କ କାକା କପିଳ ବାଙ୍କଙ୍କ ମୃତ୍ୟୁ ପରେ ଖୁଡ଼ିଙ୍କୁ ନିଜ ଘରେ ରଖି ଦେଖାଶୁଣା କରୁଛନ୍ତି। ମୃତ କପିଳଙ୍କ ନାମରେ ମୋଟ ୧୦ ଏକର ଜମି ରହିଛି। ଯାହାକୁ ନେଇ ଭାଇମାନଙ୍କ ମଧ୍ୟରେ ଏହି ବିବାଦ ଥିବା ଶୁଣିବାକୁ ମିଳିଛି। ଖୁଡ଼ିଙ୍କୁ ନିଜ ପାଖରେ ରଖି ତାଙ୍କ ଜମିକୁ ଚତୁର୍ଭୁଜ ହାତେଇବାକୁ ଉଦ୍ୟମ କରୁଥିବା ଭାଇମାନେ ଅଭିଯୋଗ କରୁଛନ୍ତି। ଚତୁର୍ଭୁଜଙ୍କ ଦୁଇଟି ସ୍ତ୍ରୀ ଥିବା ବେଳେ ତିନି ପୁଅ ଓ ଗୋଟିଏ ଝିଅ। ଦୁଇ ପୁଅ ବାହାର ଜିଲ୍ଲାରେ କାମ କରୁଥିବା ବେଳେ ସାନ ପୁଅ ଓ ଝିଅ କିରାସିରାରେ ରହୁଥିବା ଜଣାଯାଇଛି। ଚର୍ତୁଭୁଜ ଗୋଟିଏ ଏକର ଜମି ଭାଗରେ ଚାଷ କରୁଥିବା ବେଳେ ଗତ ମାସ ତାଙ୍କ ନାମରେ ଏକ ବିଜୁ ପକ୍କାଘର ମିଳିଥିବା ସେ କହିଛନ୍ତି। ତେବେ, ଘଟଣା ପଛରେ ସାମାଜିକ କାରଣକୁ ସମ୍ପୂର୍ଣ୍ଣ ଭାବେ ଏଡ଼ାଇ ଦିଆଯାଇଛି।

ସମ୍ବନ୍ଧିତ ଖବର