ଶିକୁଳିରେ ବନ୍ଧା ଜୀବନ : ଦୀର୍ଘ ୧୭ ବର୍ଷ ହେଲା ହାତ ଓ ଗୋଡ଼ରେ ବନ୍ଧା ହୋଇ ତାଲା ପଡ଼ିଛି ଲୁହା ଶିକୁଳି, ଦୁର୍ବିସହ ହୋଇପଡ଼ିଛି ଜୀବନ, ହଜାରେ ଟଙ୍କାରେ ଚଳୁଛନ୍ତି ୩ ପ୍ରାଣୀ କୁଟୁମ୍ବ

ଭାପୁର : ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୧୭ ବର୍ଷ ହେଲା ହାତ ଓ ଗୋଡ଼ରେ ଲୁହା ଶିକୁଳି ବନ୍ଧା ହୋଇ ତାଲା ପଡ଼ିଛି। ଏଭଳି ଜୀବନ ଯେ କେତେ ଦୁର୍ବିସହ ହୋଇପାରେ ଯେକେହି ଦେଖିବ ବୁଝିପାରିବ। ଏବେ ତାଙ୍କ ପାଟିରୁ କଥା ବାହାରୁନାହିଁ, ଖାଲି ଯାହା ବିଳିବିଳେଉଛନ୍ତି। ଘଟଣାଟି ଦେଖିବାକୁ ମିଳିଛି, ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଗୋଳାପୋଖରୀ ପଞ୍ଚାୟତର କରଡ଼ାପଲ୍ଲୀ ଗ୍ରାମର ପରି ବରାଡ଼ଙ୍କ ଏକମାତ୍ର ପୁତ୍ର ସନ୍ତୋଷଙ୍କ କ୍ଷେତ୍ରରେ।

ମିଳିଥିବା ସୂଚନାରୁ ଜଣାପଡ଼ିଛି, ଭାପୁର ବ୍ଲକ୍‌ ଗୋଳାପୋଖରୀ ପଞ୍ଚାୟତର କରଡ଼ାପଲ୍ଲୀ ଗ୍ରାମର ପରି ବରାଡ଼, ତାଙ୍କ ସ୍ତ୍ରୀ ସୁନା ବରାଡ଼ ଏବଂ ଏକମାତ୍ର ପୁଅ ସନ୍ତୋଷ। ଏ ହେଉଛି ତାଙ୍କ ପରିବାର ମୁଲପାତି ଲାଗି ଯାହା ଅର୍ଥ ରୋଜଗାର କରୁଥିଲେ ସେହି ଅର୍ଥରେ ୩ ପ୍ରାଣୀ ଚଳୁଥିଲେ। ଶେଷରେ ୨୦ ବର୍ଷ ହେବ ତାଙ୍କର ମୃତ୍ୟୁ ହୋଇଯାଇଛି। ଘରେ ବିଧବା ସ୍ତ୍ରୀ ସୁନା ସହିତ ଏକମାତ୍ର ପୁଅକୁ ଧରି ଲୋକମାନଙ୍କ ଘରେ କାମଧନ୍ଦା କରି ଚଳୁଥିଲେ। ମାତ୍ର ଆଜିକୁ ପ୍ରାୟ ୨୦ ବର୍ଷ ହେବ ପୁଅ ସନ୍ତୋଷର ମୁଣ୍ତ ଖରାପ ହୋଇଯିବାରୁ ତାଙ୍କୁ ଡାକ୍ତର ଦେଖାଇବା ପାଇଁ ନୟାଗଡ଼, ଖୋର୍ଦ୍ଧା, ଭଚବନେଶ୍ବର ଏପରି କି କଟକ ବଡ଼ ଡାକ୍ତରଖାନାକୁ ଘରର ସର୍ବସ୍ୱ ବିକିଭାଙ୍ଗି ଯାଇଥିଲେ। କିଛି ଦିନ ଭଲ ହେବା ପରେ ସନ୍ତୋଷଙ୍କର ବିବାହ ହୋଇଥିଲା। ବିବାହ ପରେ ଗୋଟିଏ ଝିଅ ଜନ୍ମ ପରେ ମଧ୍ୟ ପୁଣି ସନ୍ତୋଷଙ୍କର ମୁଣ୍ତଦୋଷ ବାହାରିଲା। ବର୍ତ୍ତମାନ ସନ୍ତୋଷ କେତେବେଳେ ଘର ଛାଡ଼ି କୁଆଡ଼େ ପଳାଉଛନ୍ତି ତ କେତେବେଳେ କାହାକୁ କାମୁଡ଼ିବାକୁ ପଛାଉନାହାନ୍ତି। ସେଥିପାଇଁ ପରିବାର ଲୋକେ ତାଙ୍କ ହାତ ଏବଂ ଗୋଡ଼ରେ ଲୁହା ଶିକୁଳି ଓ ତାଲା ପକାଇ ଏକ ଘର ଭିତରେ ବନ୍ଦ କରି ରଖିଥିବା ପରିବାର ଲୋକଙ୍କଠାରୁ ଜଣାପଡ଼ିଛି।

ଚଳିବାକୁ ପାଖରେ ଅର୍ଥର ଅଭାବ ଏବଂ ପରିବାରର ଏଭଳି ଦୃଶ୍ୟକୁ ନେଇ ଗ୍ରାମବାସୀ ସନ୍ତୋଷଙ୍କ ସ୍ତ୍ରୀ ଲିଲିଙ୍କୁ ଗ୍ରାମରେ ଥିବା ଏକ ବିଦ୍ୟାଳୟରେ ପାଚିକା ଦାୟିତ୍ୱ ଦେଇଛନ୍ତି। ମାସକୁ ବେତନ ଏକ ହଜାର ଟଙ୍କାରେ ବର୍ତ୍ତମାନ ଚଳୁଛନ୍ତି ୩ ପ୍ରାଣୀ କୁଟୁମ୍ବ। ସରକାରଙ୍କ ତରଫରୁ ବିଜୁ ପକ୍କା ଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସଟିଏ ମିଳିନଥିଲା ବେଳେ ସରକାରୀ ସହାୟତା ସାତ ସପନ ହୋଇପଡ଼ିଛି। ତୁରନ୍ତ ଏ ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର