କରୋନାର କରୁଣ ଚିତ୍ର : ନ୍ୟାୟ ପାଇଲାନି ଅସହାୟ ଶବ, ଘଣ୍ଟା ଘଣ୍ଟା ବର୍ଷାରେ ଭିଜିଲା, ପାଖକୁ ଗଲେନି ଆତ୍ମୀୟ

ଶବ ଉଠିବା ପରେ ସମ୍ପୂର୍ଣ୍ଣ ଗ୍ରାମକୁ ବିଶୋଧନ

୨୪ରୁ ସରକାରୀ ସଙ୍ଗରୋଧ କେନ୍ଦ୍ରରୁ ଡିସ୍‌ଚାର୍ଯ ହୋଇଥିଲେ
ହୋମ୍ କ୍ବାରାଣ୍ଟିନ୍‌ରେ ଥାଇ ମୃତ୍ୟୁବରଣ କଲେ ଗୁଜୁରାଟ ଫେରନ୍ତା
ଲକ୍ଷଣ ନଥିବାରୁ ହୋଇନଥିଲା କରୋନା ପରୀକ୍ଷା: ଜିଲ୍ଲାପାଳ

ବାରିପଦା/ବେତନଟୀ : କରୋନା କାରଣରୁ ପୁଣିଥରେ ଦେଖିବାକୁ ମିଳିଛି କରୁଣ ଚିତ୍ର। ସମାଜରେ ବଢ଼ୁଛି ଦୂରତ୍ବ। ଘଣ୍ଟା ଘଣ୍ଟା ଧରି ଶବ ବର୍ଷାରେ ଭିଜିଥିଲେ ମଧ୍ୟ ଆତ୍ମୀୟ କିମ୍ବା ଗ୍ରାମବାସୀ କେହି ମଧ୍ୟ ପାଖକୁ ଯାଇନଥିଲେ। ଗୁଜୁରାଟର ମୁର୍ବୀ ଅଞ୍ଚଳରୁ ଫେରି ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ମାତ୍ର ସଙ୍ଗରୋଧ ସମୟ ସମାପ୍ତ କରି ଘରକୁ ଫେରିବା ପରେ ମୃତ୍ୟୁବରଣ କରିଥିବାରୁ ଶବକୁ ମିଳିନି ନ୍ୟାୟ। ଏପଟେ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିଲେ ମଧ୍ୟ କରୋନା ପରୀକ୍ଷା ହୋଇନଥିବାରୁ ଗ୍ରାମବାସୀ କିମ୍ବା ଅନ୍ୟକେହି ମୃତକଙ୍କ ନିକଟକୁ ଯାଇନଥିଲେ। ଅଗତ୍ୟା ସରକାରୀ ବ୍ୟବସ୍ଥା ଅନୁସାରେ ହିଁ ମୃତଦେହକୁ ପରବର୍ତ୍ତୀ ପ୍ରକ୍ରିୟା ନିମନ୍ତେ ନିଆଯାଇଥିଲା। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ୍ ଅନ୍ତର୍ଗତ ଶାଳବଣୀ ପଞ୍ଚାୟତର ତାରାଶୋଳ ଭାଲୁବସା ଗ୍ରାମରେ।

ଗତକାଲି ରାତିରେ ସମ୍ପୂର୍ଣ୍ଣ ସୁସ୍ଥ ଥାଇ ଶୋଇଥିବା ଉକ୍ତ ଗ୍ରାମର ପରେଶ ଚନ୍ଦ୍ର ମହାନ୍ତ (୫୫) ଆଜି ସକାଳୁ ଅସୁସ୍ଥ ଅନୁଭବ କରିଥିଲେ। ଶ୍ବାସପ୍ରଶ୍ୱାସ ନେବାରେ କଷ୍ଟ ହେଉଥିବା ସେ ତାଙ୍କ ଝିଅଙ୍କୁ କହିଥିଲେ । ଘର ବାହାରେ ଶୋଇଥିବା ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ପରେଶଙ୍କ ପତ୍ନୀ ସୋମବାରୀ ଥାନାରେ ଅଭିଯୋଗ କରିଛନ୍ତି। ଗୁଜୁରାଟର ମୁରବୀ ଅଞ୍ଚରେ ରହୁଥିବା ପରେଶ ଚଳିତ ମାସ ୧୭ ତାରିଖ ଦିନ ଏକ ବସ୍ ଯୋଗେ ବେତନଟୀ ଆସିଥିଲେ। ତାଙ୍କୁ ଗରୁଡବସା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ହୋଇଥିବା ନୋଡାଲ ସଂଗରୋଧ କେନ୍ଦ୍ରରେ ୧୭ ତାରିଖ ସନ୍ଧ୍ୟାରୁ ୨୪ ତାରିଖ ପର୍ଯ୍ୟନ୍ତ ରଖାଯାଇ ଥିଲା। ସରକାରଙ୍କ ନୂତନ ଗାଇଡଲାଇନ୍ ଅନୁସାରେ ପରେଶଙ୍କୁ ୭ଦିନ ପରେ ସଂଗରୋଧ କେନ୍ଦ୍ରରୁ ଘରକୁ ଛଡ଼ାଯାଇଥିଲା। ନିଜ ଘରେ ହୋମ୍ କ୍ବାରାଣ୍ଟିନ୍‌ରେ ରହିବାକୁ ପରେଶଙ୍କୁ କୁହାଯାଇଥିଲା। ୨୪ରେ ସରକାରୀ ସଂଗରୋଧ କେନ୍ଦ୍ରରୁ ଆସି ହୋମ୍ କ୍ବାରାଣ୍ଟିନ୍‌ରେ ଥିବା ପରେଶ ମାତ୍ର ୩ ଦିନ ପରେ ମୃତ୍ୟୁବରଣ କରିଛନ୍ତି। ମାତ୍ର ତାଙ୍କର ଏହି ଅଚାନକ ମୃତ୍ୟୁକୁ ନେଇ ଉଠିଛି ଅନେକ ପ୍ରଶ୍ନବାଚୀ। କାରଣ ମିଳିଥିବା ସୂଚନା ଅନୁସାରେ ପରେଶଙ୍କର ସଂଗରୋଧ କେନ୍ଦ୍ରରେ କରୋନା ପରୀକ୍ଷା କରାଯାଇନଥିଲା। କୌଣସି ଲକ୍ଷଣ ନଥିବାରୁ ତାଙ୍କର କରୋନା ପରୀକ୍ଷା କରାଯାଇନଥିବା ଖୋଦ୍ ଜିଲ୍ଲାପାଳ ବିନୀତ ଭରଦ୍ବାଜ ସୂଚନା ଦେଇଛନ୍ତି। ମାତ୍ର ଆଜି ପରେଶ ମୃତ୍ୟୁବରଣ କଲାପରେ ତାଙ୍କ ଗାଁରେ କିନ୍ତୁ ତାଙ୍କୁ ଅନ୍ତିମ ସତ୍କାରର ନ୍ୟାୟ ମିଳିପାରିନଥିଲା। କରୋନା ଆଶଙ୍କା କରି କେହି ମଧ୍ୟ ତାଙ୍କୁ ଛୁଇଁନଥିଲେ କି ପାଖକୁ ଯାଇନଥିଲେ। ଯାହାକି ବର୍ଷାରେ ଓଦାହୋଇ ଅତ୍ୟନ୍ତ ଅସହାୟ ଅବସ୍ଥାରେ ପଡ଼ିଥିବା ଶବପ୍ରତି ଥିଲା ଘୋର ଅପମାନ।

ପରେଶଙ୍କ ଶବ ପ୍ରାୟ ୪ ଘଣ୍ଟା ଧରି ସେମିତି ବାହାରେ ପଡିରହିଥିଲା । ଖବର ପାଇବା ପରେ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ରାପିଡ୍ ରେସ୍ପନ୍ସ୍ ଟିମ୍‌ର ଡାକ୍ତର ସନ୍ଧ୍ୟାଶିଖା, ସ୍ଥାନୀୟ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ବେତନଟୀ ଥାନା ଏସ୍ଆଇ ଶ୍ରୀନିବାସ ମାର୍ଥା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚିଥିଲେ । ମୃତ ପରେଶଙ୍କ ଜ୍ୱାଇଁ ହରିଶ୍ଚନ୍ଦ୍ର ଓ ଅନ୍ୟମାନଙ୍କ ସହାୟତାରେ ଶବକୁ ପଞ୍ଚନାମା କରାଯାଇଥିଲା । ବାରିପଦାରୁ କୋଭିଡ ଟିମ୍ ଓ ସ୍ୱର୍ଗରଥ ଯାଇ ମୃତଦେହକୁ ପିଆରଏମ୍ ମେଡିକାଲ୍ କଲେଜ୍ ଏଣ୍ଡ୍ ହସ୍ପିଟାଲକୁ ଆଣିଥିଲେ। ସେଠାରେ ପରେଶଙ୍କର ପୋଷ୍ଟମର୍ଟମ କରାଯିବା ସହିତ ମୃତଦେହରୁ ଟି-ସ୍ୱାବ ସଂଗ୍ରହ କରି କରୋନା ପରୀକ୍ଷା ପାଇଁ ପଠାଯାଇଥିବା ପିଆରଏମ୍ ପକ୍ଷରୁ ସୂଚନା ମିଳିଛି। ତେବେ କୌଣସି ଲକ୍ଷଣ ନଥିବା ଏବଂ ସଙ୍ଗରୋଧ ସମୟସୀମା ସମାପ୍ତ କରିଥିବାରୁ କରୋନା ପରୀକ୍ଷା ରିପୋର୍ଟକୁ ନେଇ କୌଣସି ଆଶଙ୍କା କରିବାର ନାହିଁ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ମାତ୍ର ଶବ ସତ୍କାର କିନ୍ତୁ କୋଭିଡ୍ ନିୟମ ଅନୁସାରେ ନହୋଇ ସାଧାରଣ ପ୍ରକ୍ରିୟାରେ ହୋଇଥିବା ଜଣାପଡ଼ିଛି।

ସେହିପରି ଗାଁରୁ ମୃତଦେହ ନିଆଯିବା ପରେ ଗାଁକୁ ବେତନଟୀ ଦମକଳ ଅଧିକାରୀ ରବୀନ୍ଦ୍ର ସେଠୀଙ୍କ ନେତୃତ୍ୱରେ ବିଶୋଧନ କରାଯାଇଛି। ମୃତକଙ୍କ ପତ୍ନୀ ସୋମବାରୀଙ୍କ ଏତଲା କ୍ରମେ ବେତନଟୀ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତେବେ ପରେଶଙ୍କ ମୃତ୍ୟୁପରେ ସୃଷ୍ଟି ହୋଇଥିବା ଗୁଜବ କାରଣରୁ ଯୁବ ବିଜେଡି ଉପସଭାପତି ଲଲାଟେନ୍ଦୁ ବେହେରା, ବରିଷ୍ଠ ନେତା ମୁନ୍ନା ପରିଚ୍ଛା, ବାପି ମହାନ୍ତି, ଚନ୍ଦ୍ରଶେଖର ହେମ୍ବ୍ରମ, ଡମ୍ବରୁ ମହାନ୍ତ, ତାଇକୋଣ୍ଡୋ ମାଷ୍ଟର ହିମାଂଶୁଚନ୍ଦ୍ର ମହାନ୍ତ ପ୍ରମୁଖ ଗ୍ରାମରେ ପହଞ୍ଚି ଭୟଭୀତ ନହେବା ପାଇଁ ବୁଝାଇ ଥିଲେ।

ସମ୍ବନ୍ଧିତ ଖବର