କଟକ/ଜଗତସିଂହପୁର : ଅଭିଯୁକ୍ତର ନାମ ଭାରତ ଭୂଷଣ ବାରିିକ । କିନ୍ତୁ ପୁଲିସ ଘରୁ ଉଠାଇ ଆଣି ଗିରଫ କଲା ଭରତ କୁମାର ବାରିକଙ୍କୁ। ଭରତଙ୍କ ପରିବାର ଲୋକେ ପୁଲିସକୁ କାକୁତି ମିନତି ହୋଇଥିଲେ ସୁଦ୍ଧା କେହି କିଛି ଶୁଣି ନଥିଲେ । ନିର୍ଦ୍ଦୋଷ କୁହାଯାଉଥିବା ଭରତ ଚୌଦ୍ୱାର ଜେଲ୍ରେ ବିଚାରାଧୀନ କଏଦୀ ଭାବେ ସଜା କାଟୁଛନ୍ତି । ଏ ପ୍ରକାର ଅଭାବନୀୟ ଘଟଣା ଜଗତସିଂହପୁର ଜିଲ୍ଲାରେ ଘଟିଥିବା ବେଳେ ମଧୁପାଟଣା ପୁଲିସ ନିର୍ଦ୍ଦୋଷଙ୍କୁ ଗିରଫ କରି ଅଡ଼ୁଆରେ ପଡ଼ିଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ମଧୁପାଟଣା ଥାନା ଅଞ୍ଚଳରେ ୨୦୧୦ ମସିହାରେ ଏକ ବୋମା ମାଡ଼ ଘଟଣା ଘଟିଥିଲା । ଏହି ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ତପୁ ଓରଫ ତପନ ନନ୍ଦକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ସେ ଗିରଫ ସମୟରେ ପୁଲିସ ସିଆର୍ପିସିର ଧାରା ୧୬୧ରେ ଦେଇଥିବା ବୟାନରେ ବୋମା ମାଡ଼ ଘଟଣାରେ ସମ୍ପୃକ୍ତ ଥିବା ସହଯୋଗୀ ଜଗତସିଂହପୁର ଜିଲ୍ଲା ଅଳସୁଧା ଅଞ୍ଚଳର ସନ୍ଦିପ ଓରଫ ଭାରତ ଭୂଷଣ ବାରିକର ନାମ କହିଥିଲା । ପୁଲିସ ସମ୍ପୃକ୍ତ ଅଭିଯୁକ୍ତକୁ ପ୍ରାୟ ୭ ବର୍ଷ ହେବ ଖୋଜୁଥିଲା ।
କର୍ଣ୍ଣାଟକରେ ଚାକିରି କରିଥିବା ଜଗତସିଂହପୁର ଜିଲ୍ଲା ପଳସୁଧା ଅଞ୍ଚଳର ବିଷ୍ଣୁ ଚରଣ ବାରିକଙ୍କ ପୁଅ ଭରତ କୁମାର ବାରିକ ଗତ ଅକ୍ଟୋବର ୨୯ ତାରିଖରେ ନିଜ ଘରକୁ ଆସିଥିଲେ । ଗତ ୫ ତାରିଖ ରାତିରେ ମଧୁପାଟଣା ଥାନା ପୁଲିସ ଟିମ୍ ଅତର୍କିତ ତାଙ୍କ ଘରେ ଚଢ଼ଉ କରି ଭରତଙ୍କୁ କଟକ ଆଣି ୬ ତାରିଖରେ କୋର୍ଟ ଚାଲାଣ କରିଥିଲା । ତାଙ୍କ ଓକିଲ ଶ୍ରୀନିବାସ ପରିଜା କୋର୍ଟରେ ତାଙ୍କ ଜାମିନ ପାଇଁ ଆବେଦନ କରିବା ସମୟରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲାା ପୁଲିସ ବୋମା ମାଡ଼ ଘଟଣାରେ ସମ୍ପୃକ୍ତ ଅଳସୁଧା ଅଞ୍ଚଳର ସନ୍ଦିପ ଓରଫ ଭାରତ ଭୂଷଣ ବାରିକକୁ ଗିରଫ କରିବା ବଦଳରେ ପଳସୁଧା ଅଞ୍ଚଳର ଭରତ କୁମାର ବାରିକଙ୍କୁ ଗିରଫ କରିଥିଲା । ପୁଅ ଜେଲ୍ ଯିବା ଶୁଣି ମା’ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି । ମଧୁପାଟଣା ପୁଲିସର ଏ ପ୍ରକାର କାର୍ଯ୍ୟକଳାପ ବିରୋଧରେ ଭରତ କୁମାର ବାରିକଙ୍କ ପରିବାର ଲୋକେ ଜଗତସିଂହପୁର ଏସ୍ପି ଏବଂ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।