ମୃତ ଭାବି ଶ୍ମଶାନକୁ ଦାହ ପାଇଁ ନେଉଥିଲେ, କୋକେଇରୁ ଉଠି ବସିଲେ ସୀମାଞ୍ଚଳ

ଭଞ୍ଜନଗର : କାନ୍ଦବୋବାଳିରେ ଫାଟି ପଡ଼ୁଥିଲା ଗାଁ ଦାଣ୍ଡ। ଅନ୍ତିମ ଯାତ୍ରା ପାଇଁ କୋକେଇ ବନ୍ଧା ସରିଲା। ‘ରାମ ନାମ ସତ୍ୟ ହେ…ଡାକ ଦେଇ ବନ୍ଧୁପରିଜନ ଓ ସଂପର୍କୀୟ ଶବକୁ ନେଇ ଶ୍ମଶାନକୁ ବାହାରି ପଡ଼ିଲେ। ସେପଟେ ଶବ ଦାହ ପାଇଁ ଶ୍ମଶାନରେ ଜୁଇ ପ୍ରସ୍ତୁତ ସରିଥିଲା। କିଛି ସମୟ ପରେ ଶବ ଦାହ ହୋଇଥାନ୍ତା। ହେଲେ ଶ୍ମଶାନଠୁ ଅଳ୍ପ ଦୂରରେ ହଠାତ୍ ଯାହା ଘଟିଲା ତାହା ସମସ୍ତଙ୍କୁ ଆଚମ୍ବିତ କରିପକାଇଲା। କୋକେଇରୁ ଶବ ହଠାତ୍ ଉଠି ବସି ପଡ଼ିଲା। ଏହା ଦେଖି ଭୟରେ କିଛି ଗାଁ ଲୋକ ଦୌଡ଼ି ବି ପଳାଇଥିଲେ। ତେବେ ସେ ଜୀବିତ ଅଛନ୍ତି ବୋଲି ଜଣାପଡ଼ିବା ପରେ ସଂଗେ ସଂଗେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ଆଉ ଚିକିତ୍ସା ପରେ ସେଠାରୁ ସୁସ୍ଥ ହୋଇ ବ୍ୟକ୍ତିଜଣକ ଘରକୁ ଫେରିଥିଲେ।

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍‌ ଲାଉଖାଲ ଗ୍ରାମରେ ଘଟିଥିବା ଏଭଳି ଏକ ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଲାଉଖାଲ ଗ୍ରାମର ସୀମାଞ୍ଚଳ ମଲ୍ଲିକ। ବୟସ ୫୨ ବର୍ଷ। ସୀମାଞ୍ଚଳ ୪ ଦିନ ହେଲା ଜ୍ବରରେ ଆକ୍ରାନ୍ତ ଥିଲେ। ଗତକାଲି ସେ ମେଣ୍ଢା ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ସନ୍ଧ୍ୟାରେ ମେଣ୍ଢାପଲ ଘରକୁ ଫେରି ଆସିଥିଲେ ହେଁ ସୀମାଞ୍ଚଳ ଆସି ନଥିଲେ। ତେଣୁ ପରିବାର ଲୋକେ ତାଙ୍କୁ ଆଖପାଖରେ ଖୋଜାଖୋଜି କରିଥିଲେ। ତେବେ ରାତି ବହୁତ ହୋଇଯିବାରୁ କେହି ଜଙ୍ଗଲକୁ ଖୋଜିବା ପାଇଁ ଯାଇ ନଥିଲେ। ଆଜି ସକାଳେ ପୁଣି ସଂପର୍କୀୟ ଓ ପରିବାରବର୍ଗ ଜଙ୍ଗଲରେ ଯାଇ ଖୋଜିବା ବେଳକୁ ସୀମାଞ୍ଚଳଙ୍କୁ ଅଚେତ ଅବସ୍ଥାରେ ଠାବ କରାଯାଇଥିଲା। ସୀମାଞ୍ଚଳଙ୍କ ହାତ ନାଡ଼ି ଦେଖିବା ସହ ତାଙ୍କୁ ଡାକି ଉଠାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ନ ଉଠିବାରୁ ସୀମାଞ୍ଚଳଙ୍କ ମୃତ୍ୟୁ ହୋଇ ଯାଇଥିବା ଭାବି ପରିବାର ଲୋକେ ତାଙ୍କୁ ଘରକୁ ନେଇ ଆସିଥିଲେ। ଘରେ କାନ୍ଦ‌ବୋବାଳି ପଡ଼ି ଯାଇଥିଲା। ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ଅନ୍ୟ ସଂପର୍କୀୟମାନେ ବି ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ। ପରେ ଶବକୁ କୋକେଇରେ ରଖି ଗ୍ରାମବାସୀ ଓ ସଂପର୍କୀୟ ଶ୍ମଶାନ ଅଭିମୁଖେ ବାହାରିଥିଲେ। ସେପଟେ ଦାହ ପାଇଁ ମଧ୍ୟ ଶ୍ମଶାନରେ ଜୁଇ ପ୍ରସ୍ତୁତ ସରିଥିଲା। ବିଧି ଅନୁଯାୟୀ

ଶ୍ମଶାନଠୁ କିଛି ଦୂର ରାସ୍ତାକଡ଼ରେ ଶବକୁ ରଖାଯାଇ ସେଠାରେ ‘ଅର୍ଦ୍ଧପଥ ନୀତି’ ସଂପନ୍ନ କରାଯାଉଥିଲା। ଏହି ସମୟରେ ସୀମାଞ୍ଚଳଙ୍କ ଚେତା ଫେରି ଆସିବାରୁ ସେ କୋକେଇରୁ ଉଠି ବସିପଡ଼ିବା ସହ ସମସ୍ତଙ୍କୁ ବିସ୍ମିତ ହୋଇ ଚାହିଁଥିଲେ। ଭୂତ ଭାବି ସାଙ୍ଗରେ ଆସିଥିବା ଗ୍ରାମବାସୀ ଓ ସଂପର୍କୀୟ ଭୟଭୀତ ହୋଇ ଦୌଡ଼ିଥିଲେ। ତେବେ ସୀମାଞ୍ଚଳ ଜୀବିତ ଥିବା ଜାଣିବା ପରେ କୋକେଇରେ ବନ୍ଧା ଯାଇଥିବା ଦଉଡ଼ିକୁ ଫିଟାଯିବା ସହ ତାଙ୍କ ଗୋଡ଼ ଓ ହାତକୁ ମାଲିସ୍ କରାଯାଇଥିଲା। ପରେ ଏକ ଅଟୋ ଯୋଗେ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ତାଙ୍କୁ ସାଲାଇନ୍ ଦିଆଯିବା ସହ ଅନ୍ୟାନ୍ୟ ଚିକିତ୍ସା କରାଯାଇଥିଲା। ସୁସ୍ଥ ଅନୁଭବ କରିବା ପରେ ସୀମାଞ୍ଚଳ ଘରକୁ ଫେରିଥିଲେ। ମୃତ୍ୟୁ ମୁହଁରୁ ଫେରି ଆସିଥିବାରୁ ପରିବାରରେ ଆନନ୍ଦର ଲହରି ଖେଳି ଯାଇଥିଲା। ଆଖପାଖ ଗ୍ରାମବାସୀ ଓ ପଡ଼ୋଶୀମାନେ ମଧ୍ୟ ତାଙ୍କୁ ଦେଖିବାକୁ ଭିଡ଼ ଜମାଇଥିଲେ। ଏଭଳି ଏକ ଘଟଣାକୁ ଗ୍ରାମବାସୀ ଭଗବାନଙ୍କ ଅଲୌକିକ ମହିମା ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର