ମନ୍ତ୍ରୀ ହୋଇ ନ ଥିଲେ ବଳାତ୍କାରୀଙ୍କୁ ଗୁଳି କରିବାକୁ କହିଥାନ୍ତି

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ

ଭୁବନେଶ୍ୱର/ସମ୍ବଲପୁର : ସମ୍ବଲପୁର ସଦର ମେଡିକାଲରେ ୩ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ବିବାଦୀୟ ମନ୍ତବ୍ୟ ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ଗଣମାଧ୍ୟମକୁ ଦେଇଥିବା ବୟାନରେ ଶ୍ରୀ ଜେନା କହିଛନ୍ତି ଯେ, ଏହା ଏକ ଦୁଃଖଦାୟକ ଘଟଣା। ଏଥିପାଇଁ କଠୋରରୁ କଠୋର ଦଣ୍ଡ ହେବା ଉଚିତ। ମୁଁ ମନ୍ତ୍ରୀ ହୋଇ ନ ଥିଲେ ଏଭଳି ଘଟଣା ଘଟଣାଉଥିବା ବ୍ୟକ୍ତିକୁ ଗୁଳି କରି ମାରିଦେବାକୁ କହିଥାନ୍ତି। ମନ୍ତ୍ରୀଙ୍କ ଏଭଳି ବୟାନ ପରେ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି ହୋଇଛି।

ଶ୍ରୀ ଜେନା ଆହୁରି ମଧ୍ୟ କହିଛନ୍ତି ଯେ, ଏଭଳି ଅଭାବନୀୟ ଘଟଣା ଘଟାଇଥିବା ବ୍ୟକ୍ତିକୁ ଗିରଫ କରାଯାଇଛି। ଯେଉଁ ଆଉଟସୋର୍ସିଂ କମ୍ପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭିମସାରରେ ଏହି ଆଉଟସୋର୍ସିଂ କମ୍ପାନିକୁ ଆଉ ଅନୁମତି ଦିଆଯିବ ନାହିଁ। ଏହାସହ ରାଜ୍ୟର ଅନ୍ୟ ମେଡିକାଲ ଗୁଡ଼ିକରେ ଥିବା ଆଉଟସୋର୍ସିଂ କମ୍ପାନିମାନଙ୍କୁ ମଧ୍ୟ ତାଗିଦ୍‌ କରାଯିବ। ଯଦି ସେସବୁ କମ୍ପାନିର କୌଣସି କର୍ମଚାରୀ ଏଭଳି ଅଭାବନୀୟ କାଣ୍ଡରେ ସଂପୃକ୍ତ ରୁହନ୍ତି ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କମ୍ପାନିକୁ କଳାତାଲିକାଭୁକ୍ତ କରାଯିବ କି ନାହିଁ ତାହାର ଅନୁଧ୍ୟାନ ଚାଲିଛି, ପରବର୍ତୀ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ଜେନା କହିଛନ୍ତି।

ଅପରପକ୍ଷରେ ସଦର ଡାକ୍ତରଖାନାରେ ୪ ବର୍ଷର ଶିଶୁକନ୍ୟାକୁ ଦୁର୍ଷ୍କମ ଅଭିଯୋଗରେ ଟାଉନ ଥାନା ପୁଲିସ ‘ଜି୫ଏସ୍‌’ ସଂସ୍ଥାର ସୁରକ୍ଷା କର୍ମୀ ସୁଜିତ ରଣା(୨୨)କୁ ଗୁରୁବାର କୋର୍ଟ ଚାଲାଣ କରିଛି। ମେଡିକାଲ କତୃର୍ପକ୍ଷ ଭିମସାରରେ କାର୍ଯ୍ୟରତ ସିକ୍ୟୁରିଟି ସଂସ୍ଥାର ଚୁକ୍ତିକୁ ବାତିଲ କରିଛନ୍ତି। ଚୁକ୍ତି ବାତିଲ ହେବା ପରେ ଏବେ ଡାକ୍ତରଖାନାରେ ସାମାୟିକ ଭାବେ ଗୃହରକ୍ଷୀଙ୍କୁ ନିୟୋଜିତ କରାଯାଇଛି। ଜଣେ ହାବିଲଦାରଙ୍କ ତତ୍ତ୍ୱାବଧାନରେ ୧୦ଜଣ ଗୃହରକ୍ଷୀଙ୍କୁ ନିୟୋଜିତ କରାଯାଇଥିବା ସିଡିଏମ୍‌ଓ କେ.କେ.ଗୁପ୍ତା ସୂଚନା ଦେଇଛନ୍ତି। ଡାକ୍ତରଖାନା ପରିସରରେ ଏକ ପୁଲିସ୍‌ ଫାଣ୍ଡି ସ୍ଥାପନ କରିବାକୁ ଏସପି ସଂଜୀବ ଅରୋରାଙ୍କୁ ସାକ୍ଷାତ କରି ଅନୁରୋଧ କରାଯାଇଛି। ଜିଲ୍ଲାପାଳ ମଧ୍ୟ ଏ ସଂକ୍ରାନ୍ତରେ ଏସ୍‌ପିଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ତେବେ ଡାକ୍ତରଖାନାର ସୁରକ୍ଷା ପାଇଁ ଆଉ ଥରେ ଟେଣ୍ଡର ଜରିଆରେ ଘରୋଇ ସୁରକ୍ଷା କର୍ମୀ ନିଯୁକ୍ତି ଦିଆଯିବ। ସୁରକ୍ଷା କର୍ମୀଙ୍କୁ ନିଯୁକ୍ତି ଦିଆଯିବା ପୂର୍ବରୁ ପୁଲିସ୍‌ ଯାଞ୍ଚ ରିପୋର୍ଟ ଦାଖଲ ବାଧ୍ୟତାମୂଳକ କରାଯିବା ସହିତ ଆଉ କେତେକ ମେଡିକାଲ ପକ୍ଷରୁ ସର୍ତ ରଖାଯିବ ବୋଲି ସିଡିଏମ୍‌ଓ ଡାକ୍ତର ଗୁପ୍ତା କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ମଂଗଳବାର ରାତିରେ ୯ଟାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ମାଆ ଓ ଶିଶୁ ଡାକ୍ତରଖାନାରେ କାର୍ଯ୍ୟରତ ମାନେଶ୍ୱର ବ୍ଲକ ବତେମୁରା ଗାଁ ନିବାସୀ ସୁଜିତ ରଣା ଜଣେ ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିଲା। ଟାଉନ ଥାନା ପୁଲିସ୍‌ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ସୁଜିତର ସଂପୃକ୍ତ ଜଣାପଡ଼ିବା ପଡ଼ିଥିଲା। ପରେ ଅଭିଯୁକ୍ତକୁ ବତେମୁରାରୁ ଗିରଫ କରିଥିଲା ପୁଲିସ। ସଂପୃକ୍ତ ସିକ୍ୟୁରିଟି ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ବଲପୁର ବିକାଶ ମଂଚ, ବିଜେପି, ବିଜେଡି, ସ୍ୱାଭିମାନ ସମ୍ବଲପୁର, ଉତ୍ସର୍ଗ, ନାଗରିକ କଲ୍ୟାଣ ସମିତି ଆଦି ସଂଗଠନ ପକ୍ଷରୁ ଦାବି ହୋଇଥିଲା।

ସମ୍ବନ୍ଧିତ ଖବର