ଜଳ ସଂକଟର ତ୍ରାଣକର୍ତା ‘ଉତ୍ତମ’, ୫ଟି ଗାଁକୁ ଯୋଗାଇବେ ବିଶୁଦ୍ଧ ପାଣି

ମାଲକାନଗିରି : ଅଭାବ ଅନଟନରେ କଟିଥିଲା ବାଲ୍ୟ ଜୀବନ। କିନ୍ତୁ କଠିନ ପରିଶ୍ରମ ଏବଂ ନିଷ୍ଠା ଯୋଗୁଁ ଆଜି ଜଣେ ସଫଳ ଉଦ୍ୟୋଗୀ। ହାଇଦ୍ରାବାଦ୍‌ଠାରେ ଏକ ଜଳ ବିଶୁଦ୍ଧିକରଣ ଉଦ୍ୟୋଗ ପ୍ରତିଷ୍ଠା କରି ୫ଟି ରାଜ୍ୟରେ ସୁନାମ ଅର୍ଜନ କରିଛନ୍ତି। ବଡ ସହରର ଚାକଚକ୍ୟ ମଧ୍ୟରେ ରହୁଥିଲେ ମଧ୍ୟ ଗାଁ ମାଟିକୁ ଆଦୌ ଭୁଲିନାହାନ୍ତି। ମାଲକାନଗିରି ଭଳି ପଛୁଆ ଜିଲ୍ଲାରେ ଲୋକଙ୍କୁ ପାନୀୟ ଜଳ ସଂକଟରୁ ଉଦ୍ଧାର କରିବା ପାଇଁ ଆରମ୍ଭ କରିଛନ୍ତି ଭିନ୍ନ ଏକ ଅଭିଯାନ। ଏଥିପାଇଁ ନିଜସ୍ୱ ଉଦ୍ୟମରେ ଜିଲ୍ଲାର ସର୍ବାଧିକ କିଡ଼ନି ରୋଗୀଙ୍କ ଗାଁରେ ନଳକୂପ ଖନନ କରିବା ସହ ଲୋକଙ୍କୁ ବିଶୁଦ୍ଧ ଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସମିଳିବାଞ୍ଛା ପଞ୍ଚାୟତ ଅନ୍ତର୍ଗତ ସୋନାଲି ଗାଁର ଯୁବ ଉଦ୍ୟୋଗୀ ଉତ୍ତମ ମଲ୍ଲିକ।

କୃଷକ ପରିବାରରେ ଜନ୍ମ ହୋଇଥିବା ଉତ୍ତମ ହାଇଦ୍ରାବାଦ୍‌ଠାରେ ‘ଉତ୍ତମ କଣ୍ଟ୍ରାକ୍ଟର ଲିମିଟେଡ୍‌’ ନାମକ ଏହି କଂପାନି ପ୍ରତିଷ୍ଠା କରି ଜଳ ବିଶୁଦ୍ଧିକରଣ ନିମନ୍ତେ ବିଭିନ୍ନ ଯନ୍ତ୍ରପାତି ପ୍ରସ୍ତୁତ କରୁଛନ୍ତି। ତେଲେଙ୍ଗାନା ସମେତ ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ଓଡିଶାରେ ମେଗା ଜଳ ବିଶୁଦ୍ଧିକରଣ ପ୍ରକଳ୍ପ ତାଙ୍କ କଂପାନି ନିର୍ମାଣ କରିଛି। ଲୌହ ମିଶ୍ରିତ ଦୂଷିତ ପାଣି ଯୋଗୁଁ ସର୍ବାଧିକ କିଡନି ରୋଗୀଙ୍କ ଗାଁ ରୂପେ ପରିଚିତ କାଲିମେଳା ବ୍ଲକ ଅନ୍ତର୍ଗତ ମାଲାଭରମ ପଞ୍ଚାୟତର ଏମଭି-୮୮, ଲୁଗେଲ ପଞ୍ଚାୟତର ଏମଭି-୮୨, ଟିକଲ ପଞ୍ଚାୟତର ଟିକଲ, ଭୁପନପାଲ୍ଲୀ ପଞ୍ଚାୟତର କମାରପାଲ୍ଲୀ ଏବଂ ନାଲାଗୁଣ୍ଠି ପଞ୍ଚାୟତର ଏମଭି-୭୨ ଗାଁରେ ଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ସେ ବିଶୁଦ୍ଧିକରଣ ଯନ୍ତ୍ରପାତି ଲଗାଇବା କାମ ଜୋରସୋରରେ ଚଳାଇଛନ୍ତି। ଯାହାଦ୍ୱାରା ପ୍ରାୟ ୫ ହଜାର ଲୋକ ଉପକୃତ ହେବେ। ପ୍ରତ୍ୟେକ ଜଳ ବିଶୁଦ୍ଧିକରଣ ପ୍ରକଳ୍ପର ମୂଲ୍ୟ ପାଖାପାଖି ୮ଲକ୍ଷ ଟଙ୍କା ହୋଇଥିବା ବେଳେ ଏ ବାବଦରେ ମୋଟ ୪୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର